ଭୁବନେଶ୍ୱର: ବିଏମ୍‌ସିର ରାଜସ୍ବ ଆଦାୟ ପାଇଁ ଯାବତୀୟ ଉତ୍ସ ରହିଥିଲେ ମଧ୍ୟ ଏଥିପ୍ରତି ଅଧିକାରୀ ଓ ଲୋକପ୍ରତିନିଧି ଉଭୟ ଆଖି ବୁଜି ଦେଇଛନ୍ତି। ଏଭଳି ରାଜସ୍ବ ଉତ୍ସ ତାଲିକାର ଆଗରେ ରହିଛି କଲ୍ୟାଣମଣ୍ଡପ। ହେଲେ ଏହି ଉତ୍ସ ସବୁଠାରୁ ଅବହେଳିତ ଅବସ୍ଥାରେ ଅଛି। ଏହାର ବଡ଼ ଉଦାହରଣ ହେଉଛି ୟୁନିଟ୍‌-୬ ଗଙ୍ଗନଗର କଲ୍ୟାଣମଣ୍ଡପ। ଗତ ଏପ୍ରିଲ ମାସରେ ବିଏମ୍‌ସି ଏହାର ଭଡ଼ା ୬୦ ପ୍ରତିଶତ ଭଡ଼ା ବଢାଇଛି। ପୂର୍ବରୁ ମଣ୍ଡପ ବୁକିଂ କରିବା ପାଇଁ ୩୦,୩୮୦ ଟଙ୍କା ଦେବାକୁ ପଡୁଥିଲା ବେଳେ ଏବେ ୪୮ ହଜାର ୩୮୦ ଟଙ୍କା ଦେବାକୁ ପଡ଼ୁଛି। ହେଲେ ଏସବୁ ସତ୍ତ୍ୱେ  ଭିତ୍ତିଭୂମି ପୂର୍ବ ପରି ଅସଜଡ଼ା ରହିଛି। 

Advertisment

୨୦୧୭ ମସିହା ସ୍ୱାୟତ୍ତ ଶାସନ ଦିବସ ଅବସରରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏଥିପାଇଁ ୩୯. ୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି କଲ୍ୟାଣମଣ୍ଡପ ଉଦ୍‌ଘାଟନ ହେବାର ବର୍ଷ ପରେ ୪୪ ଲକ୍ଷ ୭୫ ହଜାର ଟଙ୍କାରେ ଏହାର ଉପର ମହଲା ତିଆରି କରାଗଲା। କିନ୍ତୁ ତରବରିଆ ଭାବରେ ଏଭଳି ନିର୍ମାଣ କଲେ ଯେ ଉପରମହଲାକୁ ଯିବା ପାଇଁ ବାହାରେ  ସିଡ଼ି ରହିଲା ନାହିଁ।। ଫଳରେ ଉପର ମହଲା ବୁକିଂ ହୋଇପାରୁନଥିଲା। ଅନ୍ୟ ଘରୋଇମଣ୍ଡପରେ ଏକକାଳୀନ ତିନିରୁ ଚାରିଟି ମାଙ୍ଗଳିକ କାର୍ଯ୍ୟ ହୋଇପାରୁଥିଲେ ମଧ୍ୟ ଏଠାରେ ଗୋଟିଏ ମାତ୍ର ମାଙ୍ଗଳିକ କାର୍ଯ୍ୟ ହୋଇପାରୁଛି। ହେଲେ ନିଜ ଦୋଷକୁ ଲୁଚାଇବା ପାଇଁ ଯାଇ ଗତ ଏପ୍ରିଲରୁ ଆବଶ୍ୟକତା ନଥିଲେ ମଧ୍ୟ ଆବେଦନକାରୀଙ୍କୁ ତଳ ସହିତ ଉପର ମହଲା ବୁକିଂ କରିବାକୁ ବାଧ୍ୟ କରାଯାଉଛି। ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଉଠିଛି। ସେହିପରି ଏଠାକାର ମୌଳିକ ସୁବିଧା ମଧ୍ୟ ଭୁଶୁଡ଼ି ପଡ଼ିଛି।

ମଣ୍ଡପରେ ବେଦି ଭାଙ୍ଗିଯାଇଥିବା ବେଳେ ଟ୍ୟାପ୍‌ ଭାଙ୍ଗିଗଲାଣି। ରୋଷେଇ ଘର ଛୋଟ ହୋଇଥିବାରୁ ବାହାରେ ରୋଷେଇ କରାଯାଉଛି। ଡ୍ରେନ୍‌ ପାଣି ନିଷ୍କାସନ ହେଇପାରୁନଥିବାରୁ ପାଣି ଅଟକି ରହିଛି। ମଣ୍ଡପର ଚାରିପାଖରେ ନିକଟ ବସ୍ତିର ଲୋକମାନେ ଲୁଗାପଟା ଶୁଖାଉଛନ୍ତି। ପାଚେରି ଛୋଟ ଥିବାରୁ ଏବଂ ଗେଟ୍‌ ଖୋଲା ରହୁଥିବାରୁ ବାହାର ଲୋକଙ୍କ ଆଡ଼ା ଜମୁଛି। ପୁଣି ଭିତରେ ପଡ଼ିଥିବା ପେଭର୍‌ ବ୍ଲକ ମଧ୍ୟ ଦବି ଗଲାଣି।  ଏନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଭିତ୍ତିଭୂମି ସଜାଡ଼ିବାକୁ ଯୋଜନା ହୋଇଛି। ଏପରିକି ବାହାର ପାଚେରିକୁ ବଡ଼ କରିବାକୁ ମଧ୍ୟ ଯୋଜନା ରହିଛି। ଖୁବ୍‌ଶୀଘ୍ର କାମ ହେବ ବୋଲି ସେ କହିଛନ୍ତି।