ଖୋଲିବା ପୂର୍ବରୁ ବନ୍ଦ ହେଲା ଗଙ୍ଗନଗର କର୍ମଜୀବୀ ମହିଳା ନିବାସ

ମିଳିଲେନି କର୍ମଜୀବୀ ମହିଳା!

ଭୁବନେଶ୍ବର: ରାଜଧାନୀରେ ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗକୁ ମିଳିଲେ ନାହିଁ କର୍ମଜୀବୀ ମହିଳା। ତେଣୁ ଗଙ୍ଗନଗରସ୍ଥିତ ନୂତନ କର୍ମଜୀବୀ ମହିଳା ନିବାସକୁ ଭିନ୍ନ କାର୍ଯ୍ୟରେ ବ୍ୟବହାର କରିବାକୁ ନିଷ୍ପତ୍ତି କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ପ୍ରକୃତରେ ରାଜଧାନୀରେ ଘର ଖୋଜୁଥିବା କର୍ମଜୀବୀ ମହିଳା ନାହାନ୍ତି ନା କର୍ମଜୀବୀ ନିବାସର ପ୍ରଚାରପ୍ରସାର କରାଗଲା ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାହାର ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ବର୍ଗର ମହିଳାମାନେ ରାଜଧାନୀସ୍ଥିତ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ଅନେକ ମଧ୍ୟ ଏଠାରେ ବ୍ୟବସାୟ କରୁଛନ୍ତି। ଏକୁଟିଆ କର୍ମଜୀବୀ ମହିଳାଙ୍କୁ ସୁରକ୍ଷିତ ଘରଟିଏ ପାଇବା କେତେ କଷ୍ଟକର ହୁଏ, କେବଳ ଜଣେ ଭୁକ୍ତଭୋଗୀ ହିଁ କହିପାରେ।

ଅନେକ ମହିଳା ସୁରକ୍ଷିତ ବାସସ୍ଥାନଟିଏ ନ ପାଇ ନିଯୁକ୍ତିର ବଡ଼ ସୁଯୋଗ ହରାଇ ଘରକୁ ଫେରିଯାଆନ୍ତି। ମହିଳାମାନଙ୍କ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାରେ କର୍ମଜୀବୀ ମହିଳା ଆବାସ ଖୋଲାଯାଉଛି। ରାଜଧାନୀରେ ୩ଟି ଆବାସସ୍ଥଳୀ ଖୋଲାଯାଇଛି। ଏଥିମଧ୍ୟରୁ ରାଜୀବ ଭବନ ନିକଟରେ ୧୩୦ ଶଯ୍ୟା ଲେଖାଏଁ ୨ଟି ଆବାସ ରହିଛି। କିଛି ବର୍ଷ ପୂର୍ବରୁ ଗଙ୍ଗନଗରରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଆବାସ ନିର୍ମାଣ କରାଗଲା। ରାଜୀବ ଭବନ ନିକଟସ୍ଥ ଆବାସରେ ମଧ୍ୟ ଅନେକ ଶଯ୍ୟା ଖାଲି ପଡ଼ିଛି। ଏଠାରେ ଗୋଟିକରେ ୯୦ ଏବଂ ଅନ୍ୟଟିରେ ୯୫ ଜଣ ମହିଳା ଅନ୍ତେବାସୀ ଅଛନ୍ତି। ଏହି ନିବାସରେ ଶଯ୍ୟା ସହିତ ପାଣି, ବିଜୁଳି ଆଦି ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏହି ଆବାସ ପ୍ରାୟ ବର୍ଷେ ହେଲା ଖାଲି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ରାଜଧାନୀର ଅନେକ କର୍ମଜୀବୀ ମହିଳାଙ୍କ କହିବା ଅନୁସାରେ ଗଙ୍ଗନଗରରେ ଏମିତି ଏକ ସରକାରୀ କର୍ମଜୀବୀ ନିବାସ ରହିଛି ବୋଲି ସେମାନେ ଅବଗତ ନାହାନ୍ତି। ଦ୍ବିତୀୟତଃ ରାଜଧାନୀର କେଉଁ ସ୍ଥାନରେ କର୍ମଜୀବୀ ମହିଳା ରହିବା ପାଇଁ ଆଗ୍ରହ ରଖନ୍ତି, ଏହାର ଉପଯୁକ୍ତ ସର୍ଭେ କରାନଯାଇ ମନଇଚ୍ଛା ଯେକୌଣସି ସ୍ଥାନରେ କର୍ମଜୀବୀ ନିବାସ କରାଯାଉଛି। ଏଥିଯୋଗୁଁ କର୍ମଜୀବୀ ମହିଳାମାନେ ସେଠାରେ ରହିବାକୁ ଆଗ୍ରହ କରୁନାହାନ୍ତି ଏବଂ ସେସବୁ ଖାଲି ପଡ଼ୁଛି। କେବଳ ରାଜଧାନୀ ନୁହେଁ, ଅନେକ ଜିଲ୍ଲାର କର୍ମଜୀବୀ ନିବାସ ନିର୍ମାଣ ପରେ ପ୍ରଚାର ପ୍ରସାର କରାଗଲା ନାହିଁ। ତେଣୁ ସେସବୁ ଖାଲି ପଡ଼ିବା ବାହାନାରେ ବର୍ତ୍ତମାନ ଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର