ଭୁବନେଶ୍ୱର: ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜାରେ ନିଜର ସ୍ୱତନ୍ତ୍ର ତୋରଣ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିବ ଗଙ୍ଗନଗର। ଗଙ୍ଗନଗର ଯୁବ ପରିଷଦ ପକ୍ଷରୁ  ଅନୁଷ୍ଠିତ ହେଉଥିବା ଏହି ଦୁର୍ଗାପୂଜାରେ ଚଳିତ ବର୍ଷ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ‘ସବୁଜ ତପୋବନ ତୋରଣ’ ପ୍ରସ୍ତୁତ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ପ୍ରାକୃତିକ ରୂପ ଦେବା ପାଇଁ ଘାସ ଗାଲିଚା ଠାରୁ ଆରମ୍ଭ କରି ବିଭିନ୍ନ ଜୀବଜନ୍ତୁକୁ ମଧ୍ୟ ସ୍ଥାନିତ କରାଯାଇଛି। ତୋରଣର ଉଭୟ ଉଚ୍ଚତା ଓ ଦୈର୍ଘ୍ୟ ୬୦ ଫୁଟ ରହିଛି। ତୋରଣକୁ ଆଉ ଟିକେ ଅଧିକ ଆକର୍ଷଣୀୟ କରିବା ପାଇଁ ଭିତର ସାଜସଜ୍ଜାକୁ ରାଜମହଲ ସଦୃଶ କରାଯାଇଛି।

Advertisment

ଚଳିତ ବର୍ଷ ମା’ ଓ ପାର୍ଶ୍ୱ ଦେବଦେବୀ ସୁନା ଓ ରୁପାର ଅଳଙ୍କାର ପରିଧାନ କରିବେ। ସେହିପରି ଭୋଗର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। କାକରା, ଖିରି, ରାମ ଖେଚୁଡ଼ି, ଦହି ପଖାଳ ଆଦି ଭୋଗ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ୫୦ ଜଣ ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ କର୍ମଚାରୀ, ଅଗ୍ନିଶମ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗଙ୍ଗନଗର ଛକରୁ ଏୟାରପୋର୍ଟ ଛକକୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ସପ୍ତମୀରେ ଛୋଟ ପିଲାଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା, ଅଷ୍ଟମୀ ଓ ନବମୀରେ ମେଲୋଡିର ବ୍ୟବସ୍ଥା ହୋଇଛି। ଭସାଣିରେ ସମସ୍ତ ପାରମ୍ପରିକ ବାଦ୍ୟଯନ୍ତ୍ରରେ ମା’ଙ୍କୁ ମେଲାଣି ଦିଆଯିବ।