ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲୀର ଠିକଣା ବଦଳିଛି। ଝାରପଡ଼ା ଜେଲରେ ରହୁଥିବା ଟିଟୋକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ସପ୍ତାହେ ତଳେ ଝାରପଡ଼ା ଜେଲରେ ଚଢ଼ଉ ସମୟରେ ଯେଉଁ ମୋବାଇଲ ଫୋନ୍ ମିଳିଥିଲା ସେହି ଆଧାରରେ ଟିଟୋକୁ ବଦଳାଇ ଦିଆ ଯାଇଥିବା ଜଣାପଡ଼ିଛି। ପୁଲିସର ସ୍ବତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଏହି ପ୍ରକ୍ରିୟା କରାଯାଇଛି। ଅନ୍ୟ କେତେକ ଦୁର୍ଦ୍ଦାନ୍ତ କଏଦୀଙ୍କୁ ମଧ୍ୟ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି। ଗ୍ୟାଙ୍ଗଷ୍ଟର୍ ହାଇଦର ଫେରାର ହେବା ପରେ ଏଭଳି ପଦକ୍ଷେପ ନିଆ ଯାଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ୨୦୧୮ ଜୁନରେ ଟିଟୋକୁ ଏସଟିଏଫ୍ ଏନକାଉଣ୍ଟର କରିଥିଲା। ଏହା ପରେ ତାକୁ ଗିରଫ କରାଯାଇଥିଲା। କିଛିଦିନ କେନ୍ଦ୍ରାପଡ଼ା ଜେଲରେ ରହିବା ପରେ ସୁରକ୍ଷା ଦୃଷ୍ଟିରୁ ଟିଟୋକୁ ଝାରପଡ଼ା ସ୍ବତନ୍ତ୍ର ଜେଲକୁ ଅଣା ଯାଇଥିଲା। ପ୍ରାୟ ଅଢ଼େଇ ବର୍ଷ ଧରି ଏଠାରେ ଟିଟୋ ରହିଥିଲା। ସେହିପରି ଗଞ୍ଜାମର ଅନ୍ୟତମ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ବିକ୍ରମ ମଲ୍ଲିକକୁ ଦୁଇ ମାସ ତଳେ ସମ୍ବଲପୁର ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ୨୦୦୮ରେ ବିକ୍ରମ ଗିରଫ ହୋଇ ଝାରସୁଗୁଡ଼ା ଜେଲ୍ରେ ଥିବା ବେ​ଳେ ସହଯୋଗୀ ସହ ମିଶି ଵାର୍ଡରକୁ ଗୁଳି କରି ଫେରାର ହୋଇ ଯାଇଥିଲା। ଧରାପଡ଼ିବା ପରେ ତାକୁ ଝାରପଡ଼ା ଜେଲ୍କୁ ଅଣା ଯାଇଥିଲା। ଏଠାରେ ଥିବା ସମୟରେ ୨୦୦୯ ନଭେମ୍ବରରେ ଜଣେ ଵାର୍ଡରକୁ ସହଯୋଗୀଙ୍କ ଜରିଆରେ ଗୁଳି କରି ହତ୍ୟା କରିଥିଲା। ପ୍ରାୟ ୧୨ ବର୍ଷ ଧରି ଝାରପଡ଼ା ଜେଲ୍ରେ ବିଚାରାଧୀନ ବନ୍ଦୀ ଥିବା ବିକ୍ରମକୁ ସମ୍ବଲପୁର ଜେଲ୍ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଜେଲ୍ ଆଇଜି ହିମାଂଶୁ ଲାଲଙ୍କ ନେତୃତ୍ବରେ ଏକ ଟିମ୍ ସପ୍ତାହେ ତଳେ ଝାରପଡ଼ା ଜେଲ୍ରେ ଅଚାନକ ଚଢ଼ଉ କରାଯାଇଥିଲା। ସେହି ସମୟରେ ଏକ ମୋବାଇଲ ଫୋନ୍ ମିଳିଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସକୁ ମୋବାଇଲ ଫୋନ୍ ଦିଆଯିବା ସହ ଜେଲ୍ ଅଧୀକ୍ଷକ ଲିଖିତ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Gangster-Tito-1.jpg)