‘ଦାଦାବଟିକୁ ନା’ ମିସନ୍‌ର ପ୍ରଥମ କାର୍ଯ୍ୟାନୁଷ୍ଠାନ : ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର : ଦାଦାବଟି ବିରୋଧରେ କଠୋର ହୋଇଛି କମିସନରେଟ୍‌ ପୁଲିସ। ଏହି ଅପରାଧକୁ ରୋକିବା ପାଇଁ ଆରମ୍ଭ କରିଥିବା ‘ଦାଦାବଟିକୁ ନା’ ମିସନ୍‌ର ପ୍ରଥମ ଶିକାର ହୋଇଛି ଚର୍ଚ୍ଚିତ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ। ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ୍‌-୧ ଅଞ୍ଚଳରେ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ୍‌ ତାକୁ ଗିରଫ କରିଛି। ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ୧୦ବର୍ଷ ସଜା କାଟି ଫେରିବାର କିଛି ମାସ ପରେ ତା’କୁ ଆଜି ପୁଣି ଜେଲ୍‌ ଯିବାକୁ ପଡ଼ିଛି।

ରାଜା ସହିତ ତା’ର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ସେମାନେ ହେଲେ, ଶିରିପୁରର ନୃସିଂହ ବେହେରା ଓ ବିଜେବିନଗରର ବିନୟ ଦାସ। ରାଜାର ନିର୍ଦ୍ଦେଶକ୍ରମେ ଏମାନେ ଏକ ନମ୍ବର ମାର୍କେଟ୍‌ ଓ ଦୁଇ ନମ୍ବର ମାର୍କେଟ୍‌ ଅଞ୍ଚଳରେ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଣନ୍ତି। ଆଜି ଫୁଟ୍‌ପାଥ୍‌ ଦୋକାନଗୁଡ଼ିକରୁ ବଟି ପାଇଁ ଯାଇଥିବା ବେଳେ କ୍ୟାପିଟାଲ ଥାନା ପୁଲିସ ସେମାନଙ୍କୁ ଗିରଫ କରିଥିଲା। ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ୟୁନିଟ୍‌-୧ ଅଞ୍ଚଳ‌ରେ ସରକାରୀ ଜମି ଜବରଦଖଲ କରି ଘର କରିବା ଓ ବ୍ୟବସାୟୀଙ୍କୁ ଧମକ ଚମକ ଦେଇ ଦାଦାବଟି ନେବା ଭଳି ଅଭିଯୋଗ ରାଜା ନାଁରେ ରହିଥିଲା। ଏସବୁ ଅଭିଯୋଗକୁ ଆଧାର କରି କ୍ୟାପିଟାଲ ଥାନା ପୁଲିସ ରାଜା ଉପରେ କଡ଼ା ନଜର ରଖିଥିଲା। ଆଜି ୟୁନିଟ୍‌-୧ ଅଞ୍ଚଳରେ ସମ୍ପୃକ୍ତ ଜବରଦଖଲ ଜାଗାରେ ଥିବା ବେଳେ ଏସିପି ମାନସ ଗଡ଼ନାୟକ ଓ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସଦଳବଳ ଚଢ଼ଉ କରି ତାକୁ ଧରିଥିଲେ। ଦଫା ୪୪୭, ୩୮୬ ଓ ୫୦୬ ବଳରେ ମାମଲା ରୁଜୁ ହେବା ସହ ତା’କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବା ସହ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା ୨୦୦୮ ମସିହା ଏପ୍ରିଲ ୧୩ ତାରିଖରେ ଜୁଡୋ କୋଚ୍‌ ବିରଞ୍ଚି ଦାସଙ୍କୁ ହତ୍ୟା କରିଥିଲା। କୁନି ଧାବକ ବୁଦ୍ଧିଆକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିବା ବିରଞ୍ଚିଙ୍କ ହତ୍ୟାକାଣ୍ଡକୁ ନେଇ ସେତେବେଳେ ସାରା ଓଡ଼ିଶାରେ ହଇଚଇ ହୋଇଥିଲା। ଗିରଫ ଭୟରେ ସେ ଓଡ଼ିଶା ଛାଡ଼ି ଚାଲି ଯାଇଥିଲା। ଘଟଣାର ମାସେ ପରେ ଅର୍ଥାତ ମେ’ ୨୮ରେ ତାକୁ ଗୋଆରୁ ଗିରଫ କରାଯାଇଥିଲା। ୨୦୧୦ ଡିସେମ୍ବର ୧୭ରେ ଭୁବନେଶ୍ୱର ଫାଷ୍ଟଟ୍ରାକ୍‌ କୋର୍ଟ ରାଜାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସୁପ୍ରିମ୍‌କୋର୍ଟରେ ଆବେଦନ କରିବା ପରେ ତାକୁ ମୁକ୍ତି ମିଳିଥିଲା। ଝାରପଡ଼ା ଜେଲରେ ଦୀର୍ଘ ୧୦ବର୍ଷ ରହିବା ପରେ ୨୦୧୮ ଏପ୍ରିଲରେ ସୁପ୍ରିମ୍‌କୋର୍ଟ କେତେକ ସର୍ତ୍ତ ରଖି ଜେଲରୁ ମୁକୁଳିବାକୁ ଆଦେଶ ଦେଇଥିଲେ। ତେବେ କୋର୍ଟଙ୍କ ଏହି ସର୍ତ୍ତ ଖିଲାପ କରିଥିବାରୁ ୨୦୧୯ ନଭେମ୍ବର ୧୩ରେ କଟକ ମାଲଗୋଦାମ ଥାନା ପୁଲିସ ତାକୁ ପୁଣି ଗିରଫ କରିଥିଲା। ଚଳିତବର୍ଷ ପ୍ରାରମ୍ଭରେ ସେ ଜାମିନ୍‌ରେ ମୁକୁଳିଥିଲା। ମୁକୁଳିବା ପରେ ବିଜେବି ନଗରରେ ରହିବା ସହ ଦାଦାବଟି, ସରକାରୀ ଜମି ଜବରଦଖଲ, ଦଖଲରୁ ହଟାଇବା ପ୍ରଭୃତି କାମରେ ମାତି ଯାଇ କମିସନରେଟ୍‌ ପୁଲିସ ଟାର୍ଗେଟ୍‌ରେ ପୁଣି ଆସି ଯାଇଥିଲା।

ସମ୍ବନ୍ଧିତ ଖବର