ଜେଲ୍‌ ଭିତରୁ ଗ୍ୟାଙ୍ଗଷ୍ଟର ସକିଲର ଉତ୍ପାତ: କେନ୍ଦୁଝର ଜେଲରୁ ଫୋନ୍… ଲକ୍ଷେ ଟଙ୍କା ବଟି ଦେ

୪ ସହଯୋଗୀ ଗିରଫ; ପିସ୍ତଲ, ଗାଡ଼ି, ମୋବାଇଲ୍ ଜବତ

କଟକ: ଜେଲରେ ଥାଇ ବି ଉତ୍ପାତ ଚଳାଇଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍। ଚୌଦ୍ବାର ଜେଲରେ ଉତ୍ପାତ କରିବାରୁ ତାକୁ କେନ୍ଦୁଝର ଜେଲକୁ ସ୍ଥାନାନ୍ତର କରାଯାଇଥିଲେ ବି ସକିଲ ଜେଲରୁ ବକ୍ସିବଜାର ପେନସନ୍‌ ଲେନ୍‌ର ଜଣେ ମୋବାଇଲ ବ୍ୟବସାୟୀଙ୍କୁ ଫୋନ କରି ଲକ୍ଷେ ଟଙ୍କା ବଟି ମାଗିଛି। ଏହି ବଟି ମାଗିବା ଘଟଣାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ସକିଲର ୪ ଜଣ ଦୁର୍ଦ୍ଦାନ୍ତ ସହଯୋଗୀ ପେନସନ ଲେନ୍‌ର ପିଣ୍ଟୁ ଓରଫ ମହମ୍ମଦ ଆସିଫ(୨୮), ଲାଲବାଗ ଦିଓ୍ବାନବଜାରର ଚିକୁ ଓରଫ ଦିଲନଓ୍ବାଜ ଖାଁ(୨୮), ମୁନା ଓରଫ ସୟଦ ରହେମାନ ଅଲ୍ଲୀ(୨୮) ଏବଂ ମଙ୍ଗଳାବାଗ କେଶରପୁରର ମହମ୍ମଦ ଜାଭେଦ(୩୧)କୁ ଗିରଫ କରିଛି। ଏମାନେ ଅପରାଧରେ ବ୍ୟବହାର କରିଥିବା ଦେଶୀ ପିସ୍ତଲ, ଗାଡ଼ି ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗଲା ୭ ମାସ ଭିତରେ କେବଳ ସକିଲ ଗ୍ୟାଙ୍ଗର ୧୮ ଜଣଙ୍କୁ କମିସନରେଟ୍ ପୁଲିସ ଗିରଫ କରିସାରିଲାଣି।

ସୂଚନା ଅନୁଯାୟୀ, କ୍ୟାଣ୍ଟନମେଣ୍ଟ ଥାନା ବକ୍ସିବଜାର ପେନସନ ଲେନ୍‌ର ମିର୍ ମହମ୍ମଦ ରାଜା ଗଲା ୧୩ ତାରିଖ ଅପରାହ୍ନ ପ୍ରାୟ ୪ଟା ୧୦ ବେଳେ ବାପାଙ୍କ ସହିତ ମୋବାଇଲ ଦୋକାନରେ ଥିଲେ। ଏହି ସମୟରେ ପେନସନ୍‌ ଲେନ୍‌ର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ପିଣ୍ଟୁ ଏବଂ ଚିକୁ ଦୋକାନକୁ ଏକ ବାଇକ୍‌ରେ ଆସି ରାଜାଙ୍କୁ ଲକ୍ଷେ ଟଙ୍କା ବଟି ମାଗିଥିଲେ। ଚୌଦ୍ବାରରୁ କେନ୍ଦୁଝର ଜେଲ ସ୍ଥାନାନ୍ତର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ନିର୍ଦ୍ଦେଶ ମୁତାବକ ଉଭୟ ଏଭଳି ବଟି ମାଗିଥିଲେ। ସକିଲ ସମେତ ଓଡ଼ିଆ ବଜାରର ମୁନା ଓରଫ ସୟଦ ରହେମାନ ଅଲ୍ଲୀ, କେଶରପୁରର ମହମ୍ମଦ ଜାଭେଦ ଏବଂ ଅନ୍ୟମାନେ ବଟି ଆଦାୟର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ। ରାଜାଙ୍କୁ ଦୋକାନ ବାହାରକୁ ଡାକି ବଟି ପାଇଁ ଧମକାଇ ଥିଲେ। ସେମାନେ ଦୋକାନ ବାହାରେ ରାଜାଙ୍କୁ ଗ୍ୟାଙ୍ଗଷ୍ଟର ସକିଲ ସହିତ ଫୋନରେ କଥା କରାଇଥିଲେ। ୧ ଲକ୍ଷ ଟଙ୍କା ଦେବାକୁ ରାଜା ମନା କରିବାରୁ ପିଣ୍ଟୁ ରାଜାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲା। ତୁରନ୍ତ ଜାଭେଦ ଏବଂ ମୁନାକୁ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଟଙ୍କା ନ ମିଳିଲେ ଦୋକାନ ଉପରକୁ ବୋମା ଫିଙ୍ଗି ଉଡ଼ାଇ ଦେବା ସହିତ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିଲା। ରାଜା ଏ ସଂକ୍ରାନ୍ତରେ କ୍ୟାଣ୍ଟନମେଣ୍ଟ ଥାନାରେ ଗଲା ୧୬ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସକିଲ ଗ୍ୟାଙ୍ଗର ୪ ଦୁର୍ଦ୍ଦାନ୍ତ ସହଯୋଗୀଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଡିସେମ୍ବର ୧୨ ଓ ୧୪ ତାରିଖରେ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ ଚୌଦ୍ବାର ଜେଲରେ ଥିବା ବେଳେ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ ମାଲିକ ଯୋଗେଶ ଏବଂ ସୁରଜ ଅଗ୍ରୱାଲଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା। ହ୍ବାଟ୍‌ସଆପ୍‌ରେ ଭିଡଓ କଲ୍ କରି ସେ ବଟି ମାଗିଥିଲା। ଏହି ମାମଲାରେ ସକିଲର ବାପା, ଭାଇ, ଦୁଇ ପ୍ରେମିକା ସମେତ ୧୪ ଜଣଙ୍କୁ ଦରଘାବଜାର ଥାନା ପୁଲିସ ଗିରଫ କରିଥିଲା। ଚୌଦ୍ବାର ଜେଲରେ ଏଭଳି ଅପରାଧିକ କାର୍ଯ୍ୟକଳାପ ବଢ଼ିବାରୁ ସକିଲକୁ ମେ ୩୧ ତାରିଖରେ କେନ୍ଦୁଝର ଜେଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା। କିନ୍ତୁ ସେଠାରେ ରହିବା ପରେ ପୁଣି ସକିଲର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା କମିସନରେଟ୍ ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି। ସକିଲ ବିରୋଧରେ ଜେଲ୍‌ରୁ ବଟି ମାଗିବା ଘଟଣାରେ ଦରଘାବଜାର ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଏବେ ପୁଣି କ୍ୟାଣ୍ଟନମେଣ୍ଟ ଥାନା ଆଉ ଏକ ବଟି ମାମଲା ରୁଜୁ କରିଛି। ପୁଲିସ ରେକର୍ଡ ଅନୁଯାୟୀ, ପିଣ୍ଟୁ ଓରଫ ମହମ୍ମଦ ଆସିଫ୍ ବିରୋଧରେ ତିର୍ତ୍ତୋଲ, ମଧୁପାଟଣା, ବାଦାମବାଡ଼ି, ମଙ୍ଗଳାବାଗ ଏବଂ କ୍ୟାଣ୍ଟନମେଣ୍ଟ ଥାନାରେ ଡକାୟତି, ବଟି ଆଦାୟ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ମାମଲା ରହିଛି। ସେହିପରି ଚିକୁ ବିରୋଧରେ ଲାଲବାଗ ଏବଂ କ୍ୟାଣ୍ଟନମେଣ୍ଟ ଥାନାରେ ୩ଟି ମାମଲା ରହିଛି। ଜାଭେଦ ବିରୋଧରେ ଦରଘାବଜାର, କ୍ୟାଣ୍ଟନମେଣ୍ଟ ଥାନାରେ ୪ଟି ଏବଂ ଗ୍ୟାଙ୍ଗଷ୍ଟର ସକିଲ ବିରୋଧରେ କେବଳ କଟକ କମିସନରେଟ୍ ପୁଲିସରେ ୩୨ଟି ସଂଗିନ ଅପରାଧିକ ମାମଲା ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର