ଭୁବନେଶ୍ୱର: ଶନିବାର କେରଳ ଛୁଇଁଛି ମୌସୁମୀ। ତେଣୁ ଓଡ଼ିଶାରେ ମଧ୍ୟ ମୌସୁମୀ ସଅଳ  ପହଞ୍ଚିବ। ତଥାପି ବର୍ଷା ଜଳ ପରିଚାଳନା ତଥା ବର୍ଷାଜଳ ନିଷ୍କାସନ ଦିଗରେ ଅଦ୍ୟାବଧି ପୂର୍ଣ୍ଣ ପ୍ରସ୍ତୁତ ହୋଇନାହାନ୍ତି। ବିଶେଷକରି ଭୁବନେଶ୍ବର ମହାନଗର ନିଗମ ପାଇଁ  ବର୍ଷା ଜଳ ନିଷ୍କାସନରେ ବରଦାନ ସାଜିଥିବା ଦୟା ୱେଷ୍ଟ କେନାଲ୍ ଓ ପ୍ରାକୃତିକ ଗଙ୍ଗୁଆ ନାଳ ଏବେ ବି ଆର୍ବଜନାରେ ଭର୍ତ୍ତି। ଏବେ ବି ଏହି ପ୍ରାକୃତିକ ନାଳ ଜବରଦଖଲମୁକ୍ତ ହୋଇପାରିନି। ତେଣୁ ପ୍ରତିବର୍ଷ ବର୍ଷା ଦିନେ କୃତ୍ରିମ ବନ୍ୟାରେ ସହରବାସୀ ଘାଣ୍ଟି ହୋଇଥା’ନ୍ତି।  ବର୍ଷା ପୂର୍ବରୁ ଏହି ସମସ୍ୟାର ପ୍ରତିକାର ପାଇଁ ଦୁଇ ପ୍ରାକୃତିକ ନାଳକୁ ଜବରଦଖଲମୁକ୍ତ ଓ ଆବର୍ଜନାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଆଜି ସକାଳୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଦୁଇ ପ୍ରାକୃତିକ ନାଳ ଦୟା ୱେଷ୍ଟ କେନାଲ୍ ଓ ଗଙ୍ଗୁଆ ନାଳର ସ୍ଥିତି ପରଖିବା ସହ ସଂପୃକ୍ତ ଅଧିକାରୀଙ୍କୁ ଦୁଇ ନାଳ ଦେଇ ବର୍ଷା ଜଳ ନିଷ୍କାସନର ପଥକୁ ସୁଗମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ଉଭୟ ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭୁବନେଶ୍ବରରେ ଥିବା ଜଳାଶୟର ସ୍ଥାୟୀ ପରିଚାଳନାକୁ ବି ଗୁରୁତ୍ବ ଦେଇଛନ୍ତି।

Advertisment

ବିଏମ୍‌ସି କମିସନର୍, ବିଡିଏ ଉପାଧ୍ୟକ୍ଷଙ୍କ ସହ ସ୍ଥିତି ପରଖିଲେ ସଚିବ
ଜଳାଶୟଗୁଡ଼ିକର ହେବ ସ୍ଥାୟୀ ପରିଚାଳନା ବ୍ୟବସ୍ଥା
ଜଳ ପରିଚାଳନାର ଦୀର୍ଘସ୍ଥାୟୀ ଯୋଜନା କରିବାକୁ ନିର୍ଦ୍ଦେଶ

ଆଜି ସକାଳେ ଶ୍ରୀମତୀ ପାଢ଼ୀ ବିଏମ୍‌ସି କମିସନର୍ ରାଜେଶ ପ୍ରଭାକର ପାଟିଲ୍, ବିଡିଏ ଉପାଧ୍ୟକ୍ଷ ଡ. ଏନ୍. ଥିରୁମାଲା ନାଏକ, ଅତିରିକ୍ତ ସଚିବ ଶତ୍ରୁଘ୍ନ କରଙ୍କ ସମେତ ବିଏମ୍‌ସି, ବିଡିଏର ବରିଷ୍ଠ ଯନ୍ତ୍ରୀ, ବିଭାଗର ପ୍ରମୁଖ ଅଧିକାରୀଙ୍କ ସହ ଉଭୟ ବିଡିଏ ଓ ବିଏମ୍‌ସି ଅଞ୍ଚଳ ପରିଦର୍ଶନ କରି ଦୁଇ ପ୍ରାକୃତିକ ନାଳ ସ୍ଥିତି ଅନୁଧ୍ୟାନ କରିଥିଲେ। ଜଳ ନିଷ୍କାସନ ଚ୍ୟାନେଲ ଓ ଜଳାଶୟଗୁଡ଼ିକର ସ୍ଥିତିକୁ ଆକଳନ କରିଥିଲେ। ଏହି ଅବସରରେ ଶ୍ରୀମତୀ ପାଢ଼ୀ ସହରାଞ୍ଚଳ ବନ୍ୟା ଆହ୍ୱାନର ମୁକାବିଲା ଓ ଭୁବନେଶ୍ୱରରେ ଥିବା ଜଳାଶୟଗୁଡ଼ିକର ସ୍ଥାୟୀ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଏକ ସକ୍ରିୟ ପଦକ୍ଷେପ ନେବାକୁ କହିଥିଲେ। ଚ୍ୟାନେଲ୍‌ଗୁଡ଼ିକର ପ୍ରାକୃତିକ ପ୍ରବାହକୁ ସହଜ କରିବା, ଅବରୋଧମୁକ୍ତ କରିବା ଓ ପୁନରୁଦ୍ଧାର କରିବା ପାଇଁ ତ୍ବରିତ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଜବରଦଖଲ ସମସ୍ୟା, ଢାଞ୍ଚାଗତ ପ୍ରତିବନ୍ଧକ, ସହରାଞ୍ଚଳ ଜଳସ୍ରୋତର ଜଳ ପରିବହନ କ୍ଷମତା ଓ ପରିବେଶ ସନ୍ତୁଳନ ପାଇଁ ସମନ୍ୱିତ ଯୋଜନାର ଆବଶ୍ୟକତା ଉପରେ ଶ୍ରୀମତୀ ପାଢ଼ୀ ସମୀକ୍ଷା କରିଥିଲେ। ଏ ଦିଗରେ ମିଳିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀମତୀ ପାଢ଼ୀ ଜଳ ପରିଚାଳନା କ୍ଷେତ୍ରରେ ପରିବେଶଗତ ପୁନରୁଦ୍ଧାର ଓ ଗୋଷ୍ଠୀଗତ ସହଭାଗିତାକୁ ଗୁରୁତ୍ବ ଦେଇଥିଲେ। ଭୁବନେଶ୍ୱର ଏକ ବନ୍ୟା ପ୍ରତିରୋଧୀ ଓ ସ୍ଥାୟୀ ସହରାଞ୍ଚଳ କେନ୍ଦ୍ର ହେବାର ବ୍ୟାପକ ଦୃଷ୍ଟିକୋଣରୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଏ ନେଇ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।