ଭୁବନେଶ୍ବର: ଐତିହ୍ୟ ସମ୍ପନ୍ନ ନଦୀ ହେଉଛି ‘ଗଙ୍ଗୁଆ’। ଭୁବନେଶ୍ବର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ବାହାରିଥିବା ଏହି ନଦୀ ଏବେ ସତ୍ତା ହରାଇବାକୁ ବସିଛି। ଏପରିକି ଏବେ ଏହା ଏକ ନାଳରେ ପରିଣତ ହୋଇଛି। ପ୍ରଦୂଷଣ ଏତେ ମାତ୍ରାରେ ହୋଇଛି ଯେ ଏକଦା କାଚ କେନ୍ଦୁ ଭଳି ଦିଶୁଥିବା ନଦୀର ପାଣି ବିଶାକ୍ତ ହୋଇଗଲାଣି। ବ୍ୟବହାର ଯୋଗ୍ୟ ଦୂରରେ ଥାଉ, ସେଥିରେ ଜଳଚର ପ୍ରାଣୀ ବଞ୍ଚିବା କଷ୍ଟ ହୋଇଗଲାଣି। ଏବେ ଏହି ନଦୀରେ ଆଉ ମାଛ ନାହାନ୍ତି, କେବଳ ମଶା ବଂଶ ରହିଛନ୍ତି। ଦିନକୁ ଦିନ ଏହି ନଦୀର ସ୍ଥିତି ବିଗିଡ଼ିବାକୁ ଲାଗିଥିବାବେଳେ ଲଣ୍ଡନର ଥେମ୍‌ସ ନଦୀର ପୁନରୁଦ୍ଧାର ଭଳି ଓଡ଼ିଶା ସରକାର ଗଙ୍ଗୁଆ ନଦୀର ପୁନରୁଦ୍ଧାର ପାଇଁ ନକ୍‌ସା ପ୍ରସ୍ତୁତ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Advertisment

ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଗଙ୍ଗୁଆ: ଦ ହେରିଟେଜ୍‌ ରିଭର୍‌ ଅଫ୍‌ ଏକାମ୍ରକ୍ଷେତ୍ର/ଭୁବନେଶ୍ବର’ ଓ ସାମାଜିକ କର୍ମୀ ବିପିନ ମହାନ୍ତିଙ୍କ ଦ୍ବାରା ପ୍ରସ୍ତୁତ ‌ମାନଚିତ୍ର ଉନ୍ମୋଚନ ଉତ୍ସବରେ ବକ୍ତାମା‌ନେ ଆଜି କ୍ରମଶଃ ହଜିଯାଉଥିବା ଗଙ୍ଗୁଆ ଉପରେ ଘୋର ଚିନ୍ତା ପ୍ରକଟ କରିଛନ୍ତି। ଭୁବନେଶ୍ବରର ପ୍ରଚୀନ ଜୀବନଧାରା ‘ଗଙ୍ଗୁଆ ନଦୀ’ର ଉନ୍ନୟନ ଓ ପୁନର୍ଜୀବନ ସମ୍ପର୍କରେ ବୁଦ୍ଧ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚନ୍ଦ୍ର ହୋତା ଯୋଗଦେଇ କହିଲେ ପୁସ୍ତକ ଓ ମାନଚିତ୍ର ମାଧ୍ୟମରେ ଭୁବନେଶ୍ବରର ପରିବେଶ ଓ ସାଂସ୍କୃତିକ ଇତିହାସରେ ହଜିଯାଇଥିବା ଅଧ୍ୟାୟକୁ ପୁନର୍ଜୀବିତ ହୋଇଛି। 

‘ଗଙ୍ଗୁଆ: ଦ ହେରିଟେଜ୍‌ ରିଭର୍‌ ଅଫ୍‌ ଏକାମ୍ରକ୍ଷେତ୍ର/ଭୁବନେଶ୍ବର’ ଉନ୍ମୋଚିତ

ଲେଖକ ପ୍ରଫେସର ରଥ କହିଲେ ଗଙ୍ଗୁଅ ବା ଗନ୍ଧବତୀ ନଦୀର ଐତିହ୍ୟ ବହୁ ପୁରୁଣା। ଏହାର ଜଳ ଦିନେ ଅମୃତ ସ୍ୱରୂପ ଥିଲା। କିନ୍ତୁ ଏବେ ତାହା ବିଷରେ ପରିଣତ ହୋଇଛି। ସହରର ସମସ୍ତ ବିଷାକ୍ତ ଜଳ ଗଙ୍ଗୁଆକୁ ଛଡ଼ାଯାଉଛି। ସେହିପରି ଦୟା ନଦୀର ବିଷାକ୍ତ ଜଳ ବ୍ୟବହାର କରି ବହୁ ଜୀବନ କିଭଳି ଗଲା ସେ କଥା ମଧ୍ୟ ପୁସ୍ତକରେ କୁହାଯାଇଛି। ଗଙ୍ଗୁଅ ନଦୀର ସମସ୍ତ ଇତିହାସ, ତଥ୍ୟ ଓ ମାନଚିତ୍ରକୁ ପୁସ୍ତକରେ ସ୍ଥାନିତ ହୋଇଛି। ଗଙ୍ଗୁଆର ଉତ୍ପତ୍ତି ସହ ଏହା କିଭଳି ବ୍ୟାପକ ତାହା ବହିରେ ସ୍ଥାନ ପାଇଛି। ଗଙ୍ଗୁଆର ପୁନରୁଦ୍ଧାର ସହ ପ୍ରକୃତି ଓ ପରିବେଶକୁ ରକ୍ଷା କରିବାକୁ ବହୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିବା ସେ କହିଥିଲେ। ସାମାଜିକ କର୍ମୀ ଶ୍ରୀ ମହାନ୍ତି କହିଲେ ଜାଣି ନ ଥିଲି ଯେ ଭୁବନେଶ୍ବର ମଧ୍ୟରେ ବହୁଥିବା ଏହି ନାଳ ପ୍ରକୃତରେ ଏକ ପବିତ୍ର ନଦୀ ବୋଲି। ପ୍ରଫେସର ରଥଙ୍କ ପୁସ୍ତକ ପଢ଼ି ଆଶ୍ଚର୍ଯ୍ୟ ଓ ବିଷ୍ମୟ ହେଲି। ମାନଚିତ୍ର ମାଧ୍ୟମରେ ଲୋକଙ୍କୁ ଗଙ୍ଗୁଆର ଗୌରବ ଓ ପୁନର୍ଜୀବନର ଆବଶ୍ୟକତା ବୁଝାଇବାକୁ ଚେଷ୍ଟା କରାଯାଇଛି। ଏହା ଜନ‌ସଚେତନତା, ଯୋଜନା ଓ ନୀତି ନିର୍ଦ୍ଧାରଣର ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି କହିଥିଲେ। ପକ୍ଷୀଘର ପ୍ରକାଶନର ପ୍ରତିନିଧି ତଥା ପୁସ୍ତକର ପ୍ରକାଶକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଞ୍ଜୁବଳା ରଥ ଗଙ୍ଗୁଆ ଉପରେ ଏକ ଗୀତ ପରିବେଷଣ କରିଥିଲେ।