ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ପ୍ରମୁଖ ପ୍ରାକୃତିକ ନାଳ ଗଙ୍ଗୁଆକୁ ପୁନରୁଦ୍ଧାର ସହ ଜବରଦଖଲମୁକ୍ତ କରାଯିବ। ବିଶୋଧନ ପ୍ରକଳ୍ପ ଜରିଆରେ ଗଙ୍ଗୁଆର ବର୍ଜ୍ୟଜଳକୁ ବିଶୋଧନ କରି ଦୟାକୁ ଛଡ଼ାଯିବ। ଏଭଳି ଅନେକ ସ୍ବପ୍ନ ଦେଖାଇଥିଲେ ସରକାର। ଏଥିପାଇଁ ଅଭିଜ୍ଞ ଯନ୍ତ୍ରୀଙ୍କୁ ନେଇ ଗଙ୍ଗୁଆ ସମନ୍ବୟ କମିଟି ନାଁରେ ୧୦ଜଣିଆ ବିଶେଷଜ୍ଞ କମିଟି ବି ଗଠନ ହେଲା। କମିଟି ଗଠନକୁ ୫ ମାସ ବିତିଲାଣି, କିନ୍ତୁ ଫଳଶୂନ। ଏବେ ବି ରାଜଧାନୀର ସବୁ ବର୍ଜ୍ୟଜଳ ସିଧାସଳଖ ଦୟାରେ ମିଶି ଏହାର ଜଳକୁ ବିଷାକ୍ତ କରୁଛି।
ଗତ ଜାନୁଆରିରେ ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ଦୟାର ଏହି ପ୍ରଦୂଷିତ ଜଳ ଯୋଗୁ ଝାଡ଼ାବାନ୍ତିରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା, ଶତାଧିକ ଆକ୍ରାନ୍ତ ହୋଇଥିଲେ। ସେ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ ଆଦି ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ସହ ଗଙ୍ଗୁଆ ବର୍ଜ୍ୟଜଳକୁ ସିଧାସଳଖ ଦୟାକୁ ନ ଛାଡ଼ି ବିଶୋଧନ କରି ଛାଡ଼ିବାକୁ ଦାବି କରିଥିଲେ। ଗତ ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଜବାବ ମାଗିଥିଲେ। ସେପଟେ ଗଙ୍ଗୁଆର ପୁନରୁଦ୍ଧାର ପାଇଁ ଗଙ୍ଗୁଆ ସମନ୍ବୟ କମିଟି ଗଠନ ହେଲା। ଏଥିରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ, ବିଡିଏ, ବିଏମ୍ସି, ଜଳନିଗମ, ସ୍ବେରେଜ ବୋର୍ଡ, ବନ ବିଭାଗ, ପର୍ଯ୍ୟଟନ ବିଭାଗ, ଶକ୍ତି ବିଭାଗ ନୋଡାଲ୍ ଅଧିକାରୀ, କଟକ ଡ୍ରେନେଜ୍ ମୁଖ୍ୟଯନ୍ତ୍ରୀ ସଦସ୍ୟ ରହିଥିଲେ। ଡ୍ରେନେଜ୍ ସର୍କଲ୍ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଆବାହକ ରହିଥିଲେ। କମିଟି ସ୍ଥିତି ଅନୁଧ୍ୟାନ କରି ମାସେ ଭିତରେ ଆବଶ୍ୟକ ଉନ୍ନୟନ କାର୍ଯ୍ୟ ଉପରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କମିଟି ସ୍ଥାଣୁ ପାଲଟିଛି। ସେ ସମୟରେ ବିଶୋଧନ ପ୍ରକଳ୍ପ କରିବାକୁ ସରକାର ଆଗ୍ରହ ଦେଖାଇଲେ। କିନ୍ତୁ ଅଦ୍ୟାବଧି ଏଥିରେ କୌଣସି ଅଗ୍ରଗତି ହୋଇନି। ଫଳରେ ପୁଣି ଦୟା ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ଝାଡ଼ାବାନ୍ତି ଭଳି ରୋଗରେ ଆକ୍ରାନ୍ତ କରିବା ସମ୍ଭାବନା ରହିଛି। ଏବେ ବର୍ଷାଦିନ ଚାଲିଥିବାରୁ ଏହି ଆଶଙ୍କା ବଢ଼ିଯାଇଛି।
ଝାଡ଼ାବାନ୍ତି ମୃତ୍ୟୁ ପରେ ବି ଚେତିଲେନି
ହେଲାନି ପୁନରୁଦ୍ଧାର, ବିଶୋଧନ ପ୍ରକଳ୍ପ
ଦୟାକୁ ଛାଡ଼ୁଛି ୬୫୨ କ୍ୟୁସେକ୍ ବର୍ଜ୍ୟଜଳ
କମିଟି ଗଠନ ହେଲା, ରିପୋର୍ଟ ଦେଲେନି
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଦୟା ପ୍ରଦୂଷଣ ଓ ଝାଡ଼ାବାନ୍ତି ମୃତ୍ୟୁ ପରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଙ୍ଗୁଆ ପାଇଁ ବିଶୋଧନ ପ୍ରକଳ୍ପ(ଏସ୍ଟିପି) କରିବାକୁ ଦାବି କରିଥିଲୁ। ଭୁବନେଶ୍ବରରୁ ନିଷ୍କାସିତ ବର୍ଜ୍ୟଜଳ ପ୍ରଥମେ ଏଥିରେ ବିଶୋଧନ ପରେ ଗଙ୍ଗୁଆକୁ ଛାଡ଼ିବାକୁ ଦାବି କରିଥିଲୁ। ଗଙ୍ଗୁଆର ଜବରଦଖଲ ଉଚ୍ଛେଦ କରି ମୁକ୍ତ ଜଳପ୍ରବାହ ବ୍ୟବସ୍ଥା କରିବାକୁ ଦାବି କରିଥିଲୁ। ଏଥିରେ ଅଦ୍ୟାବଧି କିଛି ଅଗ୍ରଗତି ହୋଇନି। କଣ୍ଟି ନିକଟରେ ଏକ ବିଶୋଧନ ପ୍ରକଳ୍ପ କରିବେ ବୋଲି କହୁଛନ୍ତି, କିନ୍ତୁ ଟେଣ୍ଡର ହୋଇନି। ସରକାର ଦୟାର ଜଳକୁ ସଂକ୍ରମଣମୁକ୍ତ କରିବାକୁ ହେଲେ, ଗଙ୍ଗୁଆ ପାଇଁ ବିଶୋଧନ ପ୍ରକଳ୍ପ ଅତ୍ୟାବଶ୍ୟକ ବୋଲି ସେ କହିଛନ୍ତି। ବିଏମ୍ସି ସିଟି ଇଂଜିନିୟର ବିଳାସ କୁମାର ବେହେରା କହିଛନ୍ତି, ଏହାର ନୋଡାଲ୍ ଏଜେନ୍ସି ହେଉଛି ଜଳସଂପଦ ବିଭାଗ। ତଥାପି ବିଶେଷଜ୍ଞ କମିଟି ଅଦ୍ୟାବଧି ଆମକୁ ରିପୋର୍ଟ ଦେଇନାହାନ୍ତି। ରିପୋର୍ଟ ସହ ପ୍ଲାନିଂ ପରେ ଆବଶ୍ୟକ କାମ ଆରମ୍ଭ ହେବ।
ଗଙ୍ଗୁଆ ନାଳର ଲମ୍ବ ୩୫.୭ କିଲୋମିଟର, ଓସାର ପ୍ରାୟ ୩୦ ମିଟର ଓ ଗଭୀରତା ପ୍ରାୟ ୨.୬୨ ମିଟର। ଜଳ ଗ୍ରହଣ ଅଞ୍ଚଳ ୭୫.୬ ବର୍ଗ କିଲୋମିଟର। ଏହା ଗାଡ଼କଣରୁ ବାହାରି ବିଏମ୍ସି ଦେଇ ପିପିଲି କଣ୍ଟିଠାରେ ଦୟାନଦୀରେ ମିଶିଛି। ବିଏମ୍ସିରୁ ଦୈନିକ ୧୦୭ ଏମ୍ଏଲ୍ଡି (୧୦୭୦ ଲକ୍ଷ ଲିଟର) ବର୍ଜ୍ୟଜଳ ବାହାରୁଛି। ଯେଉଁଥିରୁ ଘରୋଇ ବର୍ଜ୍ୟଜଳ ୪୬ ଏମ୍ଏଲ୍ଡି, ଶିଳ୍ପ ବର୍ଜ୍ୟଜଳ ୨୯ ଏମ୍ଏଲ୍ଡି ଓ ମିଶ୍ରିତ ବର୍ଜ୍ୟଜଳ ୩୦.୩୫ ଏମ୍ଏଲ୍ଡି। ସିଂହଭାଗ ବର୍ଜ୍ୟଜଳ ଗଙ୍ଗୁଆ ଦେଇ ନିଷ୍କାସିତ ହେଉଛି। ଗଙ୍ଗୁଆ କେବଳ ଦୟାକୁ ୬୫୨ କ୍ୟୁସେକ୍ ବର୍ଜ୍ୟଜଳ ଛାଡ଼ୁଛି।