ବିଏମ୍‌ସି ନିୟନ୍ତ୍ରଣକୁ ଯିବ ଗଙ୍ଗୁଆ

୧୮ରେ ନିଷ୍ପତ୍ତି,  ଜବରଦଖଲ ହଟିବ, ଚଉଡ଼ା ହେବ, ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର : ଗଙ୍ଗୁଆ ନାଳ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଏହାର ଅଧିକାଂଶ ଅଂଶ ବିଏମ୍‌ସି ବ୍ୟବହାର କରୁଛି ଓ ରକ୍ଷଣାବେକ୍ଷଣ କଟକ ଡ୍ରେନେଜ୍‌ ଡିଭିଜନ୍‌ କରୁଛି। ‘ସାତସେଣାରେ ପାଣି ଉଠିବା’ ଭଳି ସ୍ଥିତି ହୋଇଥିବାରୁ ଏହାର ପୁନରୁଦ୍ଧାର ହୋଇପାରୁନାହିଁ। ଏହାର ବହୁ ଅଂଶ ଜବରଦଖଲ ହୋଇଥିବାରୁ ସହରରୁ ବର୍ଷାଜଳ ନିଷ୍କାସନ ହୋଇପାରୁନି ଓ ଅସରାଏ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଛି। ଏହାର ସମାଧାନ ପାଇଁଁ ଏବେ ଗଙ୍ଗୁଆ ନାଳକୁ ବିଏମ୍‌ସି ନିୟନ୍ତ୍ରଣକୁ ନେବାକୁ ଯୋଜନା କରାଯାଉଛି। ଜଳସମ୍ପଦ ବିଭାଗ ଏହି ପ୍ରସ୍ତାବ ଦେଇଛି। ଆସନ୍ତା ୧୮ ତାରିଖରେ ଜଳସମ୍ପଦ ବିଭାଗରେ ହେବାକୁ ଥିବା ବୈଠକରେ ବିଏମ୍‌ସି କମିସନର, ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନ ନିର୍ଦ୍ଦେଶକ, ଜଳସମ୍ପଦ ବିଭାଗ ଅଧିକାରୀ ଓ କଟକ ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀ ଅଂଶ ଗ୍ରହଣ କରିବେ। ତେବେ ବିଏମ୍‌ସି ଏହାର ପୁନରୁଦ୍ଧାର ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବା ଆରମ୍ଭ କରିଥିବା ଜଣାପଡ଼ିଛି।

ଗଙ୍ଗୁଆ ହେଉଛି ରାଜଧାନୀରୁ ଜଳ ନିଷ୍କାସନର ଏକମାତ୍ର ବାଟ। ସହରର ସମସ୍ତ ନଳା ଏହି ଗଙ୍ଗୁଆରେ ପଡ଼ିଛି। ହେଲେ ଜବରଦଖଲ ଓ ବର୍ଷ ବର୍ଷ ଧରି ଖୋଳା ନ ହେବା ଯୋଗୁଁ ଏହା ପୋତି ହୋଇପଡ଼ିଛି। ଅନେକ ଜାଗାରେ ସହରର ନଳା ନିଚାରେ ରହିଥିବା ବେଳେ ଗଙ୍ଗୁଆ ଉଚ୍ଚାରେ ରହିଛି। ଫଳରେ ଜଳ ନିଷ୍କାସନ ହେବା ବଦଳରେ ଓଲଟା ସହରର ନଳା ଭିତରକୁ ପାଣି ଠେଲୁଛି। ଏହି ନାଳ ସହ ଜଡ଼ିତ ତିନୋଟି ସରକାରୀ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ କୌଣସି ଏହାର ପୁନରୁଦ୍ଧାର ପାଇଁ ଠୋସ୍‌ ନିଷ୍ପତ୍ତି ନିଆଯାଇପାରୁନାହିଁ। କେବଳ ବର୍ଷା ଦିନ ଆସିଲେ ବିଭାଗ ବିଭାଗ ମଧ୍ୟରେ ଏନେଇ ଚିଠି ଦିଆନିଆ ହୁଏ ଓ ବର୍ଷା ଦିନ ସରିଲେ, ଚିଠି ସେମିତି ଫାଇଲ୍‌ରେ ଚାପି ହୋଇଯାଏ।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ମାସରେ ତତ୍‌କାଳୀନ ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂହ ଗଙ୍ଗୁଆ ନାଳର ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗକୁ ଚିଠି ଲେଖିଥିଲେ। ଏପ୍ରିଲ ୨୬ ତାରିଖରେ ହୋଇଥିବା ବିଭାଗୀୟ ସମନ୍ବୟ ବୈଠକରେ ଗଙ୍ଗୁଆ ନାଳ ସଫା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କଟକ ଡ୍ରେନେଜ୍‌ ଡିଭିଜନ୍‌ ମଧ୍ୟ କାମ ଆରମ୍ଭ କଲା। ଏହା ସହିତ ପ୍ରାଚୀଧାରା ଓ ନୟନଜୋରି ମଧ୍ୟ ପୁନରୁଦ୍ଧାର ହେବା ପାଇଁ ଯୋଜନା ରହିଥିଲା। ହେଲେ ଏବେ ଜଳସମ୍ପଦ ବିଭାଗ ଏହି ନାଳର ନିୟନ୍ତ୍ରଣ ବିଏମ୍‌ସିକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛି। ଏଣୁ ପୁଣି ମାନସମନ୍ଥନ ଆରମ୍ଭ ହୋଇଛି। ବିଏମ୍‌ସି ମାଷ୍ଟର ପ୍ଲାନ୍‌ରେ ଏହା ଉପରେ ଥିବା ଜବରଦଖଲ ହଟାଇବା ସହ ଏହାକୁ ଚଉଡ଼ା କରିବା ଓ ଗଭୀର କରିବା ପାଇଁ ଯୋଜନା ହୋଇଛି। ଏହି ପ୍ରାକୃତିକ ନାଳରେ ବର୍ଜ୍ୟଜଳ ଯେଭଳି ମୁକ୍ତ ପ୍ରବାହ କରିପାରିବ ସେ ନେଇ ବିଏମ୍‌ସି ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ସଫଳ ହେଲେ ରାଜଧାନୀ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ସହରରେ ୧୦ଟି ପ୍ରାକୃତିକ ନାଳ ରହିଛି। ଏହିସବୁ ନାଳ ଦେଇ ସହରରୁ ବର୍ଜ୍ୟଜଳ ଗଙ୍ଗୁଆ ନାଳକୁ ଯାଉଛି ଓ ଶେଷରେ ଦୟାନଦୀରେ ମିଶୁଛି।

ସମ୍ବନ୍ଧିତ ଖବର