ରାଜଧାନୀ ପାଲଟିଛି ଗଞ୍ଜେଇ ବେପାର ହବ୍‌

ଖଣ୍ଡଗିରି: ଚାଷ ହେଉଛି କନ୍ଧମାଳ, ଗଞ୍ଜାମ ଓ କୋରାପୁଟରେ। କିନ୍ତୁ ବଡ଼ ବଜାର ହେଉଛି ରାଜଧାନୀ ଭୁବନେଶ୍ୱର। ଗଞ୍ଜେଇ ବେପାରର ହବ୍‌ ପାଲଟିଛି ରାଜଧାନୀ। ନାର୍କୋଟିକ୍‌ସ ବିଭାଗ ଓ ଅବକାରୀ ବିଭାଗଠାରୁ ଆରମ୍ଭ କରି ଥାନା ପୁଲିସ, କ୍ୟୁଏଟି, ସ୍ପେସାଲ୍‌ ସ୍କ୍ଵାଡ୍‌ ପୁଲିସ ମିଳିତଭାବେ ଜଗି ଜଗି ଗୁଡ଼ାଏ ବେପାରୀଙ୍କୁ ବାନ୍ଧୁଛନ୍ତି। ମାତ୍ର ବେପାର ଥମିବା ନାଁ ଧରୁନାହିଁ। ପୁଲିସର ଗିରଫଦାରୀ ସହ ତାଳ ଦେଇ ମାଫିଆମାନେ ସେମାନଙ୍କ ବେପାର ଜାରି ରାଖିଛନ୍ତି। ଚୋରା ଚାଲାଣ ପ୍ରତିଦିନ ହେଉଛି। ବସ୍‌ରେ ଯେତିକି କାର୍‌ରେ ସେତିକି। ପୁଲିସର ଗିରଫଦାରୀ ରାଜଧାନୀର ଚୋରା ଗଞ୍ଜେଇ ବେପାରରେ ରୋକ୍‌ ଲଗାଇବା ସମ୍ଭବ ହୋଇନାହିଁ। କାରଣ ଯେଉଁମାନେ ଧରାପଡ଼ୁଛନ୍ତି, ସେମାନେ ଚାଲାଣକାରୀ। ଅସଲ ମାଫିଆ ରହିଯାଉଛନ୍ତି ଅଣ୍ଡରଗ୍ରାଉଣ୍ଡରେ। ପୁଲିସ କେବଳ ଜାତୀୟ ରାଜପଥରୁ ମାଲ୍‌ ଜବତ କରୁଛି, ଅସଲ ଗୋଦାମରେ ପହଞ୍ଚି ପାରିନାହିଁ। ମାଫିଆମାନଙ୍କ ଗୋଦାମ ସୁରକ୍ଷିତ ରହୁଛି। ତେଣୁ ପୁଲିସର ଧରପଗଡ଼ କେବଳ ଲୋକଦେଖାଣିଆ ବୋଲି ଅଭିଯୋଗ ହୋଇଆସୁଛି।

ଗତ ୮ ମାସର ହିସାବକୁ ଦେଖିଲେ ରାଜଧାନୀରେ ହେଉଥିବା ଗଞ୍ଜେଇ ବେପାରର ଚିତ୍ର ଜଳଜଳ ହୋଇ ଦିଶିଯିବ। ରାଜଧାନୀ ଯେ ଗଞ୍ଜେଇ ବେପାରର ହବ୍‌ ବୋଲି ସ୍ପଷ୍ଟ ପ୍ରମାଣ ମିଳିଯିବ। ଗତ ମେ ମାସରେ କମିସନରେଟ୍‌ ପୁଲିସ ୪ଟି ମାମଲାରେ ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବାବେଳେ ୫ଜଣଙ୍କୁ ଗିରଫ କରିଥିଲା ଓ ଗୋଟିଏ ଅଟୋ ଏବଂ ଦୁଇଟି ବାଇକ୍‌ ଜବତ କରିଥିଲା। ଜଟଣୀ ଥାନା ପୁଲିସ ତଳଖେତା ଛକରୁ ଅଟୋରେ ୨୫ କିଲୋ ଗଞ୍ଜେଇ ଭର୍ତି ହୋଇଥିବା ଅବସ୍ଥାରେ ଧରିଥିଲା।

ସେହିଭଳି ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟିର ମିଳିତ ଅପରେସନରେ ପାତ୍ରପଡ଼ା ଏବଂ ଜୟଦେବବାଟିକା ଅଞ୍ଚଳରୁ ୨ ଜଣଙ୍କୁ ପୃଥକ ପୃଥକଭାବେ ଗିରଫ କରାଯାଇ ପ୍ରାୟ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ତେବେ ସେହି ମାସରେ ଧରାପଡ଼ିଥିଲା ଏକ ଧଳା ହସ୍ତୀ। ଏକ ଏନ୍‌ଜିଓର ପରିଚାଳନା ନିର୍ଦେଶକ ତାଙ୍କ ପ୍ରେସ୍‌ ଲେଖା ବଲେରୋରେ ୨୦ କେଜି ଗଞ୍ଜେଇ ଚାଲାଣ କରୁଥିବାବେଳେ ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଥିଲେ। ସେହିଭଳି ଜୁନ୍‌ ମାସରେ ୩ଟି ବଡ଼ ବଡ଼ ଚୋରା ଚାଲାଣ ଧରାପଡ଼ିଥିଲା। ପ୍ରାୟ ଦେଢ଼ କ୍ୱିଣ୍ଟାଲ ମାଲ୍‌ ସହ ୨ଟି କାର୍‌ ଜବତ ହୋଇଥିଲା ଓ ୪ ଜଣ ଗିରଫ ହୋଇଥିଲେ। ତମାଣ୍ଡୋ ଥାନ ପୁଲିସ ଏକ କାର୍‌ରୁ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଅଗଷ୍ଟ ମାସରେ ମାତ୍ର ପୁଲିସ ଗୋଟିଏ କେସ୍‌ ଧରିବାରେ ସଫଳ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟିର ମିଳିତ ଅପରେସନ୍‌ରେ ଗଣ୍ଡମୁଣ୍ଡା ଛକରୁ ୨ଟି କାର୍‌ରେ ଭର୍ତି ହୋଇଥିବା ଅଧ କ୍ୱିଣ୍ଟାଲ ମାଲ୍‌ ଜବତ କରାଯାଇଥିଲା। ଏଥିରେ ୩ଜଣ କୁଖ୍ୟାତ୍‌ ଗଞ୍ଜେଇ ବେପାରୀଙ୍କୁ ଜେଲ୍‌ ପଠାଯାଇଥିଲା।

ସେପ୍ଟେମ୍ବର ମାସରେ ପୁଣି ପୁଲିସକୁ ମିଳିଥିଲା ୪ଟି ସଫଳତା। ନାର୍କୋଟିକ୍‌ସ ବିଭାଗ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୩ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨୫ କେଜି ମାଲ୍‌ ଜବତ କରିଥିଲା। ଖଣ୍ଡଗିରି ଥାନା ପୁଲିସ ମଧ୍ୟ ୩ଟି ମାମଲାରେ ୩ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୭୫ କେଜି ମାଲ୍‌ ଜବତ କରିଥିଲା। ଅକ୍ଟୋବର ମାସରେ ପୁଲିସ ହାତ ଖାଲି ରହିଥିଲା। ସେହିଭଳି ନଭେମ୍ବର ମାସରେ ତମାଣ୍ଡୋ ଥାନା ପୁଲିସ ହାତରେ ଲାଗିଥିଲା ଏକ ଭଲ ମାମଲା। ଜଣେ ଯୁବ ଇଂଜିନିୟର ତାଙ୍କ ନିଜ କାର୍‌ରେ ଏକ କ୍ୱିଣ୍ଟାଲ୍‌ ମାଲ୍‌ ଧରି ଭୁବନେଶ୍ୱର ଆସୁଥିବାବେଳେ କଳିଙ୍ଗନଗରରେ ପୁଲିସ ହାତରେ ଧରାପଡ଼ିଥିଲେ। ଚଳିତ ଡିସେମ୍ବର ୧୨ ତାରିଖରେ ଅବକାରୀ ବିଭାଗ ଶୈଳଶ୍ରୀ ବିହାର ହରେକୃଷ୍ଣନଗର ବସ୍ତିରୁ ଜଣଙ୍କୁ ଗିରଫ କରିବା ସହ ତା’ଠାରୁ ୩୦ କେଜି ମାଲ୍‌ ଜବତ କରିଥିଲା।

ଏହି ହିସାବରୁ ସହଜରେ ଅନୁମେୟ ରାଜଧାନୀକୁ ବିପୁଳ ପରିମାଣ ମାଲ୍‌ ଆସୁଛି। ତେବେ ପୁଲିସ ନଜରରୁ ଖସି ଯାଉଥିବା ମାମଲା ହେଉଛି ୯୦ ଶତକଡ଼ା। ୧୬ ନମ୍ବର ଜାତୀୟ ରାଜପଥରେ ଫୁଲବାଣୀରୁ ରାଜଧାନୀକୁ ଏମିତି ବହୁ ଗାଡ଼ି ରାତିରେ ଆସୁଛି। ସେସବୁର ହିସାବ ପୁଲିସ ପାଖରେ ନାହିଁ। ବଡ଼ କଥା ହେଉଛି, ଗିରଫ ହେଉଥିବା ବ୍ୟକ୍ତିମାନେ କେବଳ ଚାଲାଣ କରନ୍ତି। ମାଲ୍‌ ପଠାଉଥିବା ଓ ବିକୁଥିବା ର‍୍ୟାକେଟ୍‌ କେବେ ଧରାପଡ଼ିନାହାନ୍ତି। ସେମାନେ ସବୁବେଳେ ଅଣ୍ଡରଗ୍ରାଉଣ୍ଡରେ ରହିବାରେ ସକ୍ଷମ ହୋଇଛନ୍ତି। ବଡ଼ ବଡ଼ ଅଧିକାରୀ ଓ ରାଜନୈତିକ ପୃଷ୍ଠପୋଷକତାରେ ଏଭଳି ମାଫିଆମାନେ ନିଜକୁ ସୁରକ୍ଷିତ ରଖିପାରୁଛନ୍ତି ବୋଲି ଅଭିଯୋଗ ହୁଏ। ପୁଲିସ ସେମାନଙ୍କ ପାଖ ମାଡ଼ିବା ସମ୍ଭବ ହୁଏ ନାହିଁ।

ଜଣେ ବରିଷ୍ଠ ଅବକାରୀ ଅଧିକାରୀଙ୍କ ସୂଚନାନୁସାରେ ରାଜଧାନୀରେ ଦୈନିକ ୩୦ କେଜିରୁ ଅଧିକ ଗଞ୍ଜେଇ ଧୂଅାଁକୁ ଲୋକେ ଗିଳି ପକାଉଛନ୍ତି। ବସ୍ତିରେ ଯେତିକି, ବସ୍ତି ବାହାରେ ବି ସେତିକି। ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳର ପାନ ଦୋକାନରେ ଏମିତିକି ଭେରାଇଟ୍‌ ଷ୍ଟୋରମାନଙ୍କରେ ବି ଗଞ୍ଜେଇ ସିଗାରେଟ୍‌ ବିକ୍ରି ହେଉଛି। ପ୍ରାୟ ରାଜଧାନୀର ସବୁ ହାଟମାନଙ୍କରେ ଏହି ବେପାର ଖୁବ୍‌ ଜମୁଛି। ଇଂଜିନିୟରିଂ ଛାତ୍ରଙ୍କଠାରୁ ଆରମ୍ଭ କରି ବହୁ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ସିଗାରେଟ୍‌ ନିଶାରେ ପଡ଼ୁଛନ୍ତି।

ସମ୍ବନ୍ଧିତ ଖବର