ଭୁବନେଶ୍ବର: ନିଶା ମାଫିଆ ହେଉନ୍ତୁ କି କୁଖ୍ୟାତ ଅପରାଧୀ। ଆଉ ଅପରାଧୀଙ୍କୁ ନିସ୍ତାର ନାହିଁ। ଅପରାଧୀଙ୍କୁ ରାଜଧାନୀରେ ସ୍ଥାନ ମିଳିବ ନାହିଁ। ଖୋଜିଖୋଜି ପୁଲିସ ବାନ୍ଧିବ। ଯଦି ସରକାରୀ ଜମିରେ ଜବରଦଖଲ କରିଥିବେ, ତାକୁ ମାଟିରେ ମିଶାଇଦିଆଯିବ। ଆଜି ନୂଆପଲ୍ଲୀ ଥାନା ଆଇଡି ମାର୍କେଟ୍ ନିକଟ ଗଣପତିନଗର ବସ୍ତିରେ ଥିବା ନିଶା ମାଫିଆ ସାବିତ୍ରୀ ବେହେରାର ଘରକୁ ପୁଲିସ ମାଟିରେ ମିଶାଇ ଏଭଳି ଚେତାବନୀ ଦେଇଛି।
ମଙ୍ଗଳବାର ଦିନ ପାଖାପାଖି ସାଢ଼େ ୧୧ଟା ସମୟରେ କମିସନରେଟ୍ ପୁଲିସ, ବିଏମ୍ସି ଓ ବିଡିଏ ଉଚ୍ଛେଦକାରୀ ଟିମ୍ ମିଳିତ ଭାବେ ସାବିତ୍ରୀଙ୍କ ଘରକୁ ଭାଙ୍ଗିଥିଲେ। ତେବେ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ କିଛି ନିଶା ମାଫିଆ ଓ କୁଖ୍ୟାତ ଅପରାଧୀଙ୍କ ତାଲିକା କରିଛି। ଆଗକୁ ପୁଲିସ ଥାନା ୱାରି ଅପରାଧିକ ଇତିହାସ ଯାଞ୍ଚ କରି ଯେଉଁମାନଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିବ, ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବ। ଅପରାଧୀଙ୍କୁ ରାଜଧାନୀରୁ ତଡ଼ିବା ପାଇଁ କମିସନରେଟ୍ ପୁଲିସ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି।