ଶିକ୍ଷକଙ୍କ ସହ ଗଞ୍ଜେଇ ବେପାରୀ ସ୍ତ୍ରୀ ଛୁ’ ୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଗାଏବ

ଭୁବନେଶ୍ବର : ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ବର୍ଷ ପାଇଁ ଜେଲ୍‌ ଯାଇଥିବା ଜଣେ ନିଶା ବେପାରୀର ସ୍ତ୍ରୀ ଏକ ବିଦ୍ୟାଳୟର ଶିକ୍ଷକଙ୍କ ସହ ଘରୋଇ ଘର ଛାଡ଼ି ଛୁ’ ମାରିଛି। ନଗଦ ୩୦ ଲକ୍ଷ ଟଙ୍କା, ୬ଶହ ଗ୍ରାମ୍‌ର ସୁନାଗହଣା ଓ ଖୋର୍ଦ୍ଧା ବେଗୁନିଆରେ ଥିବା ଏକ ୩ ହଜାର ବର୍ଗଫୁଟ୍‌ର ଜମି ବିକ୍ରି ଟଙ୍କା ନେଇ ସ୍ତ୍ରୀ ଶିକ୍ଷକ ପ୍ରେମିକ ସହ ଫେରାର୍ ହୋଇଯାଇଛି। କେବଳ ସେତିକି ନୁହେଁ, ସ୍ବାମୀ ଜେଲ୍‌ ଯିବା ବେଳେ ଗାଉଁଲି ଥିବା ସ୍ତ୍ରୀ ଏବେ ଅତ୍ୟାଧୁନିକା ହୋଇଯାଇଛି। ଶାଢ଼ି ପିନ୍ଧୁଥିବା ସ୍ତ୍ରୀ ଏବେ ଜିନ୍‌ସ ଓ ଟି’ସାର୍ଟ ପିନ୍ଧି ଫେସ୍‌ବୁକ୍‌ରେ ଫଟୋ ଛାଡ଼ୁଛି। ଜେଲ୍‌ରୁ ମୁକୁଳିବା ପରେ ବିଚରା ସ୍ବାମୀ ଏବେ ତା’ ସ୍ତ୍ରୀ ଓ ସମ୍ପତ୍ତି ଫେରି ପାଇବା ପାଇଁ ଭରତପୁର ଥାନାର ଦ୍ବାରସ୍ଥ ହୋଇଛି। ଟଙ୍କା ପଇସା ଓ ସୁନାଗହଣା ଭଳି ସମ୍ପତ୍ତି ଲୋଭରେ ପ୍ରେମିକ କୁହାଯାଉଥିବା ଯୁବକ ତା’ ସ୍ତ୍ରୀକୁ ଫସାଇ ନେଇଛି ବୋଲି ସେ ଅଭିଯୋଗ କରିଛି। ଘଟଣାଟି କଳିଙ୍ଗବିହାର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଏମିତି। ବେଗୁନିଆ ଅଞ୍ଚଳର ଶରତ କୁମାର ସେନାପତି କଳିଙ୍ଗବିହାରରେ ରହୁଥିଲା। ଗଞ୍ଜାମ ଓ କନ୍ଧମାଳରୁ ଗଞ୍ଜେଇ ଚାଲାଣ କରି ସେ ପ୍ରଚୁର ରୋଜଗାର କରିଥିଲା। ତେବେ ୨୦୧୫ ନଭେମ୍ବର ୮ରେ ସେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ତାକୁ ଗିରଫ କରିଥିଲା। ଏହି ମାମଲାରେ ଏନ୍‌ଡିପିଏସ୍ ଆକ୍ଟ୍‌ରେ ତାକୁ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ପ୍ରାୟ ୭୧ମାସ ଜେଲ୍‌ରେ ରହିବା ପରେ ତାକୁ ଅନ୍ତରୀଣ ଜାମିନ ମିଳିଥିଲା। ଗତ ସେପ୍ଟେମ୍ବର ୧୬ରେ ଜାମିନ୍ ପାଇବା ପରେ ସେ ଘରକୁ ଫେରିଥିଲା। କିନ୍ତୁ ସେତେବେଳକୁ ତା’ ସ୍ତ୍ରୀ ସିନି ପୁରୁଷ ବନ୍ଧୁ ସହିତ ଘର ଛାଡ଼ି ଛୁ’ ମାରିସାରିଥିଲା। ଶରତ ପୁଲିସକୁ ଦେଇଥିବା ଅଭିଯୋଗ ଅନୁସାରେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ଯୁବକ ତାଙ୍କ ସ୍ତ୍ରୀ ସିନିକୁ ଫସାଇ ନେଇଯାଇଛି। ସିନି ସାଙ୍ଗରେ ନଗଦ ୩୦ ଲକ୍ଷ ଟଙ୍କା, ପ୍ରାୟ ୬ ଶହ ଗ୍ରାମ୍‌ର ସୁନାଗହଣା ନେଇପଳାଇଛି। ସେହିଭଳି ବେଗୁନିଆରେ ଥିବା ଏକ ଜମି ବିକା ଟଙ୍କା ମଧ୍ୟ ସିନି ନେଇଛି। ସବୁ ସମ୍ପତ୍ତିର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଶରତ ଅଭିଯୋ‌ଗରେ ଦର୍ଶାଇଛି। ସେହିଭଳି ଶରତ ଆଉ ଏକ ସଂଗିନ୍ ଅଭିଯୋଗ କରିଛି ଯେ ସିନିକୁ ଉକ୍ତ ଶିକ୍ଷକ ଏବେ ଖରାପ କାମରେ ନି‌ୟୋଜିତ କରୁଛି।

ସମ୍ବନ୍ଧିତ ଖବର