ଟ୍ରକରୁ ୮୦୬କେଜି ଗଞ୍ଜେଇ ଜବତ: ଉପରେ ସ୍ନାକ୍ସ, ଭିତରେ ଗଞ୍ଜେଇ; ବିଦେଶୀ ନାଗରିକ ସମେତ ୨ଗିରଫ

ଭୁବନେଶ୍ବର : ଖୋର୍ଦ୍ଧାସ୍ଥିତ ପିତାପଲ୍ଲୀ ଫ୍ଲାଏଓଭର୍‌ରୁ ଏକ ସ୍ନାକ୍ସ କଣ୍ଟେନର୍‌ (ଏଚ୍‌ଆର୍ ୬୯ଡି ୫୦୬୬)ରୁ ପ୍ରାୟ ୮୦୬କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି ଏସ୍‌ଟିଏଫ୍। ସ୍ନାକ୍ସ କଣ୍ଟେନର୍‌ର ସିକ୍ରେଟ୍ ଚାମ୍ବର୍‌ରୁ ପ୍ରାୟ ୨୦ବସ୍ତାରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଏହାସହିତ ୨ଜଣ ନିଶା ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଜଣେ ଉତ୍ତରପ୍ରଦେଶ ସଫିନଗରର ଅନିଲ କୁମାର ଏବଂ ଅନ୍ୟ ଜଣେ ବିଦେଶୀ ନାଗରିକ ରହିଛନ୍ତି। ସେ ହେଉଛନ୍ତି ନେପାଳ ମହେନ୍ଦ୍ରନଗର ଜିଲ୍ଲାସ୍ଥିତ ଗଜୋରାଳା ଗାଁର ଗଣେଶ ସାହା। ସେ ଦିଲ୍ଲୀର କୀର୍ତ୍ତିନଗରରେ ରୁହନ୍ତି। ତେବେ ସେ କେବେଠାରୁ ନେପାଳରୁ ଆସି ଦିଲ୍ଲୀରେ ରହୁଛନ୍ତି, ସେ ବାବଦରେ ଏସ୍‌ଟିଏଫ୍ ପାଖରେ କୌଣସି ଖବର ନାହିଁ। ତେଣୁ ଗଞ୍ଜେଇ ଦିଲ୍ଲୀରୁ ନେପାଳ ନଚେତ୍ ଅନ୍ୟ ଦେଶକୁ ପଠାଯାଇଥାନ୍ତା ବୋଲି ଏସ୍‌ଟିଏଫ୍ ଆଶଙ୍କା କରୁଛି। ଆବଶ୍ୟକ ହେଲେ ଅଧିକ ଖୋଳତାଡ଼ ପାଇଁ ଉଭୟ ନିଶା ବେପାରୀଙ୍କୁ ଏସ୍‌ଟିଏଫ୍ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଗତକାଲି ଭାଇଜାଗ୍‌ରୁ ଏକ ସ୍ନାକ୍ସ କଣ୍ଟେନର୍‌ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଏସ୍‌ଟିଏଫ୍ ଖବର ପାଇଥିଲା। ଟ୍ରକଟି ଖୋର୍ଦ୍ଧା ଅତିକ୍ରମ କରି ଦିଲ୍ଲୀ ଅଭିମୁଖେ ଯାଇଥାନ୍ତା। ଖବର ପାଇ ଏସ୍‌ଟିଏଫ୍ ଗାଡ଼ିକୁ ୧୬ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଛକ ପାଖରେ ଅଟକାଇଥିଲା। ପ୍ରଥମେ ଗାଡ଼ି ଯାଞ୍ଚ ବେଳେ କଣ୍ଟେନର୍ ସମ୍ପୂର୍ଣ୍ଣ ଫାଙ୍କା ଥିବା ଏସ୍‌ଟିଏଫ୍ ଟିମ୍ ଦେଖିଥିଲା। କଣ୍ଟେନର୍‌ର ଭିତର ପଟେ ଥିବା ସିକ୍ରେଟ୍ ଚାମ୍ବର୍ ଖୋଲିବା ପରେ ୨୦ବସ୍ତାରୁ ଅଧିକ ଗଞ୍ଜେଇ ଥିବା ଜାଣିବାକୁ ପାଇଛି। ତେବେ ଉପରେ ପ୍ରୀନିତି ସ୍ନାକ୍ସ ବୋଲି ଲେଖାଯିବା ସହିତ ଟ୍ରେଡ୍ ଲାଇସେନ୍ସ ନମ୍ବର ବି ଉଲ୍ଲେଖ ହୋଇଛି। ଯେମିତି ଜଣେ ଧରୁ ଧରୁ ପ୍ରାରମ୍ଭରୁ ଦ୍ବନ୍ଦ୍ବରେ ପଡ଼ି ଟ୍ରକ୍‌କୁ ଛାଡ଼ିଦେବ। ତେବେ ଏହି ଗଞ୍ଜେଇ ଚାଲାଣ ପଛରେ ଟ୍ରକ୍ ମାଲିକର ମଧ୍ୟ ସଂପୃକ୍ତି ଥିବା ଏସ୍‌ଟିଏଫ୍ ସୂଚନା ଦେଇଛି। ଆଗକୁ ଅଧିକ ତଦନ୍ତ ପରେ ପୂରା ରାକେଟ୍‌ର ପର୍ଦ୍ଦାଫାସ୍ ହେବ ବୋଲି ଏସ୍‌ଟିଏଫ୍ ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର