ଖଣ୍ଡଗିରି : ଦୀର୍ଘ ବର୍ଷ ହେଲା ଖଣ୍ଡଗିରି ଥାନା ପଛ ପଟ ତପୋବନ ବସ୍ତିରେ ଚୋରା ଗଞ୍ଜେଇ ବେପାର କରୁଥିବା ପ୍ରଫୁଲ୍ଲ ଜେନା(୪୭) ଶେଷରେ ପୁଲିସ ପଞ୍ଝାରେ ପଡ଼ିଛି। ତା’ଠାରୁ ୩୮ କିଲୋ ଗଞ୍ଜେଇ ଓ ୯୧ ହଜାର ଟଙ୍କା ଜବତ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ନୟାଗଡ଼ ଇଟାମାଟିର ପ୍ରଫୁଲ୍ଲ ତପୋବନ ବସ୍ତିରେ ରହି ଚୋରା ଗଞ୍ଜେଇ କାରବାର ଚଳାଇ ଆସୁଥିଲା। କନ୍ଧମାଳରୁ ମାଲ୍ ଆଣି ସେ ବରମୁଣ୍ଡା ଅଞ୍ଚଳର ଖୁଚୁରା ବେପାରୀଙ୍କ ଜରିଆରେ ଏହି କଳା କାରବାର କରୁଥିଲା। ପୁଲିସ ଚଢ଼ଉରୁ ବର୍ତ୍ତିବା ପାଇଁ ସେ ବସ୍ତିର ଏକ ପରିତ୍ୟକ୍ତ ଘରେ ମାଲ୍ ଲୁଚାଇ ରଖୁଥିଲା। ବସ୍ତିବାସିନ୍ଦାମାନେ ସବୁ ଜାଣୁଥିଲେ ବି ତା’ ସହିତ ହାତ ମିଳାଇଥିବା କିଛି ଅସାମାଜିକ ଯୁବକଙ୍କ ଭୟରେ କେହି ମୁହଁ ଖୋଲୁନଥିଲେ। ରବିବାର ସକାଳେ ବସ୍ ଯୋଗେ କନ୍ଧମାଳରୁ ମାଲ୍ ଆସିଥିବା ଖବର ପୁଲିସ ନିକଟରେ ପହଞ୍ଚିଥିଲା। ଖବର ପାଇ ଏସ୍ ଆଇ ଏସ୍ ଏନ୍ ଓଝା ଓ ତାଙ୍କ ଟିମ୍ ତାକୁ ଧରିବା ପାଇଁ ଛକି ରହିଥିଲେ। ସନ୍ଧ୍ୟାବେଳେ ପ୍ରଫୁଲ୍ଲ ଉକ୍ତ ପରିତ୍ୟକ୍ତ ଘରୁ ମାଲ୍ ଆଣି ଖୁଚୁରା ବେପାରୀଙ୍କୁ ଦେବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ଟିମ୍ ଚଢ଼ଉ କରି ଧରିଥିଲା।