ଭୁବନେଶ୍ବର : କମିସନରେଟ୍ ପୁଲିସ ଆରମ୍ଭ କରିଥିବା ଅପରେସନ୍ ‘ହ୍ବାଇଟ୍ ସ୍ପାଇଡର୍’ରେ ଭରତପୁର ଥାନା ପୁଲିସ ଏକ ବଡ଼ ସଫଳତା ପାଇଛି। ଆଜି ଭରତପୁର ବସ୍ତିରୁ ଜଣେ କୁଖ୍ୟାତ ବ୍ରାଉନ୍ସୁଗାର ବେପାରୀ ଭାବଗ୍ରାହୀ ସାହୁ ଓରଫ୍ ବାବାକୁ ଗିରଫ କରାଯାଇଛି। ତା’ନିକଟରୁ ୭୪ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର, ଗୋଟିଏ ମାଉଜର୍ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ସାଢ଼େ ୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ପୁଲିସ ସୂଚନାନୁସାରେ ନିଶା ମାଫିଆ ଭାବେ ଜଣାଶୁଣା ବାବା ଭଦ୍ରକରୁ ବ୍ରାଉନ୍ସୁଗାର ଆଣି ରାଜଧାନୀ ଓ ଖୋର୍ଦ୍ଧାରେ ବେପାର କରୁଥିଲା। ସେ ନିଜେ ଗ୍ରାହକଙ୍କୁ ବିକିବା ସହ କିଛି ଛୋଟ ବେପାରୀଙ୍କୁ ମାଲ୍ ଚାଲାଣ କରୁଥିଲା। ନିଶା କାରବାରରେ ଅର୍ଥ ଦେଣନେଣ ପାଇଁ ବହୁ ସମୟରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ସେ ମାଉଜର୍ ରଖିଥିଲା। ତେଣୁ ବନ୍ଧୁକ ଦେଖାଇ ସେ ଛୋଟ ବେପାରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲା। ଏମିତିକି ତା’ର ଗ୍ରାହକମାନଙ୍କୁ ମଧ୍ୟ ସେ ବନ୍ଧୁକ ଦେଖାଇ କାରବାର କରୁଥିବା ସ୍ବୀକାର କରିଛି। ଅପରପକ୍ଷରେ ଗତ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭରତପୁର ଶିବ ମନ୍ଦିର ଛକରେ କିଛି ନିଶାଡ଼ି ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ। ଏଥିରେ ବାବାର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ବାବା ଅାହୁରି କିଛି ଅପରାଧରେ ଜଡ଼ିତ ଥିବା ସନ୍ଦେହ କରାଯାଉଛି ଏବଂ ଏ ନେଇ ଖୋଳତାଡ଼ ଜାରି ରହିଛି ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ga-1.jpg)