ଭୁବନେଶ୍ୱର : କାଜୁ ପାର୍ସଲ ନାଁରେ ଦିଲ୍ଲୀକୁ ଗଂଜେଇ ଚାଲାଣ କରୁଥିବା ଏକ ରୢାକେଟ୍ର ପର୍ଦାଫାସ୍ କରିଛି ଭୁବନେଶ୍ବର ଜିଆର୍ପି ଥାନା ପୁଲିସ୍। ରୢାକେଟ୍ର ଦୁଇ ଏଜେଣ୍ଟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪ କ୍ବିଣ୍ଟାଲ ଗଂଜେଇ ଜବତ କରିଛି। ଜବତ ଗଂଜେଇର ବଜାର ମୂଲ୍ୟ ୪୦ଲକ୍ଷରୁ ଊର୍ଧ୍ବ ଟଙ୍କା ହେବ ବୋଲି ଜିଆର୍ପି କହିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ, ଗଂଜାମ ପୋଲସରା ଅଞ୍ଚଳର ସାଗର ପ୍ରଧାନ ଓ ସନ୍ତୋଷ ସାହୁ। ଉଭୟ ଦୀର୍ଘ ବର୍ଷ ହେବ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ବରୀ କଲୋନିରେ ରହୁଥିଲେ। ସେମାନଙ୍କଠାରୁ ଦୁଇଟି ମୋବାଇଲ ଫୋନ୍, ଏଟିଏମ୍ କାର୍ଡ ଜବତ କରାଯାଇଛି। ତେବେ ଏହି ରୢାକେଟ୍ର ମୁଖ୍ୟ ତଥା ମାଷ୍ଟରମାଇଣ୍ଡ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ୍ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଫେରାର୍ ଗଞ୍ଜେଇ ବେପାରୀ ତଥା ଘଟଣାର ମାଷ୍ଟରମାଇଣ୍ଡ ଘର ରାୟଗଡ଼ାରେ। ସେ ଗାଡ଼ିରେ ଗଞ୍ଜେଇ ଧରି ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲା। ବୁଦ୍ଧେଶ୍ବରୀ କଲୋନି ଯାଇ ଏଜେଣ୍ଟ ସାଗର ଓ ସନ୍ତୋଷ ରହୁଥିବା ଘରେ ଗଞ୍ଜେଇ ଅନଲୋଡ୍ କରିଥିଲା। ଏହାକୁ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ଦିଲ୍ଲୀ ପଠାଇବା ଲାଗି ଯୋଜନା ହୋଇଥିଲା। ରାତିରେ ଦୁଇ ଏଜେଣ୍ଟ ଡାଲା ଅଟୋରେ ଗଞ୍ଜେଇ ଧରି ଷ୍ଟେସନ୍ ପାର୍ସଲ ଗେଟ୍ ନିକଟରେ ପହଞ୍ଚିଥିଲେ। ପେଟି ଭିତରେ ଛୋଟ ଛୋଟ ପୁଡ଼ିଆ ହୋଇ ରହିଥିବା ଗଞ୍ଜେଇକୁ ସେମାନେ କାଜୁ ବୋଲି କହିଥିଲେ। କାଜୁ ନାଁରେ ପାର୍ସଲ ମଧ୍ୟ କଟାଯାଇଥିଲା। କିନ୍ତୁ ସେଠାରେ ଥିବା କର୍ମଚାରୀଙ୍କର ସନ୍ଦେହ ହେବାରୁ ଜିଆରପି ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଯାଞ୍ଚ କରିବା ପରେ ତାହା ଗଞ୍ଜେଇ ବୋଲି ଜଣାପଡ଼ିଥିଲା।
ଅପରପକ୍ଷେ କରୋନା ଲାଗି କଟକଣା ରହିଥିବା ବେଳେ ଅଭିଯୁକ୍ତ ରାୟଗଡ଼ାରୁ ୪ଜିଲ୍ଲା ଡେଇଁ କେମିତି ଭୁବନେଶ୍ବରରେ ପହଞ୍ଚିଲା? ଗଞ୍ଜାମରେ ପ୍ରବେଶ ଉପରେ କଟକଣା ଥିବା ବେଳେ ଗଞ୍ଜେଇ ଗାଡ଼ି ଧରାପଡ଼ିଲା ନାହିଁ କେମିତି? ପୁଲିସ ନାକାରୁ କେମିତି ଖସିଗଲା? ଏ ସବୁ ଦିଗ ପୁଲିସର ନାକାବନ୍ଦୀ ଓ ଯାଞ୍ଚ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।
କରୋନାରେ ଚାହିଦା ଅଧିକ ଦିଲ୍ଲୀରେ ୫ ଗୁଣା ଦାମରେ ବିକ୍ରି
କରୋନା ସମୟରେ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ପୂର୍ବ ଭାରତରେ ଗଞ୍ଜେଇର ଚାହିଦା ବୃଦ୍ଧି ପାଇଛି। ଓଡ଼ିଶାରୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଛି। ଓଡ଼ିଶାରେ କେଜି ୫ ହଜାରରୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଦିଲ୍ଲୀରେ ୨୫ରୁ ୩୦ ହଜାର ଟଙ୍କା ମୂଲ୍ୟ ରହିଛି। ଏବେ ଗଞ୍ଜେଇର ଚାହିଦା ବଢ଼ି ଯାଇଥିବାରୁ ରାୟଗଡ଼ା, ଗଜପତି, କନ୍ଧମାଳରୁ ବିପୁଳ ପରିମାଣର ଗଂଜେଇ ଚାଲାଣ ହେଉଛି। ଏହା ପଛରେ ଏକାଧିକ ରୢାକେଟ୍ କାମ କରୁଛି। ଭୁବନେଶ୍ବରରେ ରହୁଥିବା ଏଜେଣ୍ଟଙ୍କ ପାଖରେ ଗଞ୍ଜେଇ ପହଞ୍ଚିବା ପରେ ସେମାନେ ଦିଲ୍ଲୀ ଓ ଅନ୍ୟ ସ୍ଥାନକୁ ପଠାଇ ଥାଆନ୍ତି ବୋଲି ଜଣାପଡ଼ିଛି। କ୍ବିଣ୍ଚାଲ ପିଛା ଏଜେଣ୍ଟ ୨୦ ହଜାର ଟଙ୍କା ନେଇଥାନ୍ତି ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଟ୍ରାକ୍ଟର୍ ଟ୍ୟାଙ୍କର୍ରେ କୋରାପୁଟରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏସ୍ଟିଏଫ୍ ପର୍ଦାଫାସ୍ କରିଥିଲା।