ଭୁବନେଶ୍ବରକୁ ଗଞ୍ଜାମ ବିପଦ: କ୍ୟାପିଟାଲ ହସ୍ପିଟାଲରେ ହୋଇପାରେ ଏମ୍‌ସ ପରିସ୍ଥିତି

୧୦୦ ଜଣଙ୍କ ରାପିଡ୍ ଆଣ୍ଟିଜେନ୍‌ ପରୀକ୍ଷା, ସବୁ ନେଗେଟିଭ୍, ଆଉ ୨ ରୋଗୀ ପଜିଟିଭ୍

ଭୁବନେଶ୍ବର: ଗଞ୍ଜାମରେ ଲାଗିଛି କଟକଣା। ଜିଲ୍ଲା ଭିତରକୁ କେହି ଯାଇ ପାରୁ ନାହାନ୍ତି କି ବାହାରକୁ କେହି ବାହାରି ପାରୁ ନାହାନ୍ତି। ପ୍ରଶାସନର କଡ଼ା କଟକଣା ଯୋଗୁଁ ଲୋକେ ଘାଣ୍ଟି ହେଉଛନ୍ତି। କାମ ଧନ୍ଧା ପାଉନାହାନ୍ତି। ଓଳିଏ ଖାଇଲେ ଆରଓଳିକୁ ଉପାସ ରହୁଛନ୍ତି। ଏଭଳି ସ୍ଥିତିରେ କାମ ଆଶାରେ ଗଞ୍ଜାମ ଜିଲ୍ଲାର ଶତାଧିକ ଶ୍ରମିକ ଏବେ ରାଜଧାନୀମୁହାଁ। ପ୍ରତିଦିନ ଶତାଧିକ ଲୋକ ଭୁବନେଶ୍ବରକୁ ଧାଇଁ ଆସୁଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ବାଡ଼ ପକାଇ ରାସ୍ତା‌ରେ ସେମାନଙ୍କୁ ଜଗିଛି। ତେବେ ଗଳା ବାଟ ଦେଇ ସେମାନେ ରାଜଧାନୀରେ ପହଞ୍ଚୁଛନ୍ତି। ଯେଉଁଥିପାଇଁ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ି ଚାଲିଛି। ଗୋଟିଏ ପ‌ରେ ଗୋଟିଏ ବସ୍ତିକୁ ମାଡ଼ୁଛି।

ସପ୍ତାହେ ହେଲା ଗଞ୍ଜାମ ଜିଲ୍ଲାର ଲୋକେ ବହୁ ପରିମାଣରେ ଲୁଚି ଛପି ଭୁବନେଶ୍ବରକୁ ଆସିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କିଏ ରାତିରେ ଟ୍ରକ୍‌ ଯୋଗେ ପଳାଇ ଆସିଛନ୍ତି ତ ଆଉ କିଏ ମାଲ ବୋଝେଇ ଗାଡ଼ିରେ ଲୁଚି ପଳାଇ ଆସିଛନ୍ତି। ଯାହାକି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ଯେତେ ଉଦ୍ୟମ କଲେ ମଧ୍ୟ ସେମାନଙ୍କୁ ରୋକିବାରେ ସକ୍ଷମ ହେଉନାହିଁ। ପ୍ରତି ବସ୍ତି, ୱାର୍ଡ ଅନୁଯାୟୀ କମିଟି ଗଠନ କରାଯାଇ ବାହାର ଜିଲ୍ଲା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ତା’ପରେ ବି ସଫଳତା ମିଳୁନି। ସେମାନେ ରାତିରେ ଆସି ଘରେ ପଶି ଯାଉଛନ୍ତି ଯେ କେହି ଟେର୍‌ ପାଉନାହାନ୍ତି। ୱାର୍ଡ ଅଫିସର ସକାଳୁ ବୁଲିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଜାଣି ପାରୁନାହାନ୍ତି। ସ୍ଥାନୀୟ ଲୋକେ ବି ଭୟରେ ମୁହଁ ଖୋଲୁ ନାହାନ୍ତି। ବଡ଼ କଥା ହେଲା, ଗଞ୍ଜାମ ଜିଲ୍ଲାରୁ ଆସୁଥିବା ଲୋକେ ସହର ଭିତରରେ ଥିବା କେତେକ ବସ୍ତିକୁ ନିଜର ଆଡ଼ା ଭାବେ ଚୟନ କରିଛନ୍ତି। ପୂର୍ବରୁ ବସ୍ତିରେ ରହୁଥିବା ଲୋକଙ୍କ ସହାୟତା ନେଇ ସେମାନେ ସେଠାରେ ରହୁଛନ୍ତି। ଭୁବନେଶ୍ବରରେ ବଡ଼ବଡ଼ ବିଲଡିଂ କାର୍ଯ୍ୟ କରୁଥିବା କିଛି ଠିକାଦାର ଗଞ୍ଜାମର ଶ୍ରମିକଙ୍କୁ ସହରକୁ ଆଣୁଛନ୍ତି। ବିଏମ୍‌ସି ଏସ୍‌ଓପି ଜାରି କରିଥିଲେ ମଧ୍ୟ ଠିକାଦାରମାନେ ଏହାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି। ଗଞ୍ଜାମର ଶ୍ରମିକମାନେ କମ୍‌ ମୂଲ୍ୟରେ କାର୍ଯ୍ୟ କରୁଥିବାରୁ ଠିକାଦାରମାନେ ସେମାନଙ୍କୁ ଆଣି କାର୍ଯ୍ୟରେ ଲଗାଉଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଗଞ୍ଜାମରୁ ଲୋକେ ଯେମିତି ରାଜଧାନୀରେ ପ୍ରବେଶ କରି ନପାରିବେ, ଆଉ ଯେଉଁମାନେ ଅଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି।

କୋଭିଡ୍‌ ରିପୋର୍ଟ ପାଇଁ ଖୋଲିଲା ଅତିରିକ୍ତ କାଉଣ୍ଟର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛି ଦିନ ହେବ ଡାକ୍ତରଙ୍କଠାରୁ ଆରମ୍ଭ କରି ଚିକିତ୍ସିତ ରୋଗୀ ସଂକ୍ରମିତ ହେଉଛନ୍ତି। ଆଜି ମଧ୍ୟ ଆହୁରି ୨ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଣେ ହୃଦ୍‌ରୋଗ ବିଭାଗ ଓ ଅନ୍ୟ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର। ଏ ପର୍ଯ୍ୟନ୍ତ ହସ୍ପିଟାଲରେ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। କ୍ୟାପିଟାଲ ହସ୍ପିଟାଲ‌ରେ ଧୀରେ ଧୀରେ ଏମ୍‌ସ ଭଳି ପରିସ୍ଥିତି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ଏମ୍‌ସରେ ରୋଗୀଙ୍କ ସମେତ ଡାକ୍ତର ଓ କର୍ମଚାରୀ ପଜିଟିଭ୍ ହେବା ପରେ ଏହାର ଓପିଡିକୁ ବନ୍ଦ କରି ଦିଆଯାଇଛି।

ସୂଚନା ଅନୁସାରେ, ହୃଦ୍‌ରୋଗ ବିଭାଗରେ ଜଣେ ରୋଗୀଙ୍କ ଗତ ୯ ତାରିଖରେ ଅସ୍ତ୍ରୋପଚାର ହୋଇଥିଲା। ସଂପୃକ୍ତ ରୋଗୀଙ୍କ ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ୫ଦିନ ପରେ ତାଙ୍କ ନମୁନା ରିପୋର୍ଟ ପଜିଟିଭ୍ ଆସିଛି। ସେହିପରି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଜଣେ ପ୍ରସୂତିଙ୍କ ଅସ୍ତ୍ରୋପଚାର ହୋଇଥିଲା। ସଂପୃକ୍ତ ପ୍ରସୂତିଙ୍କ ମଧ୍ୟରେ ସ୍ବାବ୍ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ମହିଳାଜଣକ ପଜିଟିଭ୍ ରହିଥିବା ଜଣାପଡ଼ିଛି। ଗତକାଲି ମଧ୍ୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ହୃଦ୍‌‌ରୋଗ ବିଭାଗରେ ୩୦ଜଣ ଓ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୨ଜଣଙ୍କୁ ମିଶାଇ ସମୁଦାୟ ୪୨ଜଣ ଆଜି ଚିହ୍ନଟ ହୋଇଥିବା ୨ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ହୃଦ୍‌ରୋଗ ବିଭାଗର ଓପିଡି ବନ୍ଦ ହେବା ନେଇ ଏକପ୍ରକାର ଆଶଙ୍କା ସୃଷ୍ଟି ହୋଇଛି।

ଅପରପକ୍ଷରେ ୨ ଦିନ ତଳେ ହସ୍ପିଟାଲର ଭେଷଜ ବିଭାଗର ଜଣେ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ହସ୍ପିଟାଲର ୧୨ଜଣ କର୍ମଚାରୀ ଆସିଥିଲେ। ସେମାନେ ଏବେ ସଙ୍ଗରୋଧରେ ଥିବା ବେଳେ ସେମାନଙ୍କ ସ୍ବାବ୍ ପରୀକ୍ଷା କରାଯିବ। ତେବେ ହସ୍ପିଟାଲରୁ ରୋଗୀମାନଙ୍କ ସଂଗୃହୀତ ନମୁନା ରିପୋର୍ଟ ଆସିବାରେ ବିଳମ୍ବ ହେବା ହସ୍ପିଟାଲ କର୍ତୃପକ୍ଷଙ୍କୁ ଅସନ୍ତୁଷ୍ଟ କରିଛି। ତେଣୁ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କ ନମୁନା ପରୀକ୍ଷା କରିବାକୁ ଆରଏମ୍‌ଆରସିକୁ ଅନୁରୋଧ କରାଯିବ। ଆବଶ୍ୟକ ପଡ଼ିଲେ ରାପିଡ୍‌ କିଟ୍‌ରେ ସଂପୃକ୍ତ କର୍ମଚାରୀଙ୍କ ପରୀକ୍ଷା କରାଯାଇ ଡ୍ୟୁଟିରେ ଯୋଗ ଦେବାକୁ ଅନୁମତି ମଧ୍ୟ ଦିଆଯାଇପାରେ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ହସ୍ପିଟାଲରେ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ଏସ୍‌ସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏହା ଆରମ୍ଭ ହୋଇଛି। ଏହାସହ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୫ଶହ ରାପିଡ୍ ଆଣ୍ଟିଜେନ୍ କିଟ୍ ଯୋଗାଇ ଦିଆଯାଇଥିଲା। ଗତ ୩ଦିନ ହେବ ହସ୍ପିଟାଲରେ ଏହି କିଟ୍‌ରେ ପରୀକ୍ଷା ଆରମ୍ଭ କରାଯାଇଛି। ଏ ପର୍ଯ୍ୟନ୍ତ ପ୍ରାୟ ୧୦୦ଜଣଙ୍କ ଏହି କିଟ୍‌ରେ ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ରହିଥିବା ଜଣାପଡ଼ିଛି। ଏଥିରେ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଯେଉଁ ବ୍ୟକ୍ତିମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ କିଛି ରୋଗୀଙ୍କ ପରୀକ୍ଷା ହୋଇଥିଲା। ତେବେ ଏଥିପାଇଁ ଆବଶ୍ୟକ ୟୁଜର୍‌ ଆଇଡି ନ ଥିବାରୁ ଏସବୁର ରିପୋର୍ଟ ପ୍ରକାଶ ପାଇ ପାରୁ ନଥିଲା। ଆଜି ୟୁଜର୍‌ ଆଇଡି ସଂପର୍କରେ ହସ୍ପିଟାଲକୁ ସୂଚନା ଦିଆଯିବା ପରେ ଏବେ ସମସ୍ତ ରିପୋର୍ଟ ପ୍ରକାଶ ପାଇଛି। ତେବେ ରାଜ୍ୟ ସରକାର ଆହୁରି ୧ଲକ୍ଷ ରାପିଡ୍ କିଟ୍ ପାଇଁ ଅନୁମୋଦନ ଦେଇଥିବାରୁ ଆଗକୁ କ୍ୟାପିଟାଲ ହସ୍ପିଟାଲକୁ କିଛି କିଟ୍‌ ଆସିବା ସମ୍ଭାବନା ରହିଛି।

ଏହାସହ ହସ୍ପିଟାଲରେ କୋଭିଡ୍ ରିପୋର୍ଟ ପାଇଁ ଆଜିଠାରୁ ଏକ ଅତିରିକ୍ତ କାଉଣ୍ଟର୍‌ ଖୋଲା ଯାଇଛି। ପୂର୍ବରୁ ଗୋଟିଏ କାଉଣ୍ଟରରେ ରୋଗୀମାନେ ରିପୋର୍ଟ ନେଉଥିବା ବେଳେ ଏବେ ସେମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ସହଜ ହେବ। କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁ କର୍ମଚାରୀମାନେ ଆସୁଛନ୍ତି, ସେମାନଙ୍କୁ ସଙ୍ଗରୋଧରେ ରହିବା ଲାଗି କୁହାଯାଇଛି। ତେବେ ଯେଉଁଭଳି ଭାବେ ରୋଗୀଙ୍କ ସ୍ବାବ୍ ନମୁନା ରିପୋର୍ଟ ଆସିବାରେ ବିଳମ୍ବ ହେଉଛି, ସେହି ଢଙ୍ଗରେ କର୍ମଚାରୀଙ୍କ ରିପୋର୍ଟ ଆସିଲେ, ତାହା ହସ୍ପିଟାଲ ପାଇଁ ସମସ୍ୟା ସୃଷ୍ଟି କରିବ। ତେଣୁ ଅଗ୍ରାଧିକାର ଭିତ୍ତିରେ ନମୁନା ରିପୋର୍ଟ ପ୍ରଦାନ କରିବା ଲାଗି ଆରଏମ୍‌ଆରସିକୁ ଅନୁରୋଧ କରାଯିବ। ଆଣ୍ଟି‌ଜେନ୍‌ କିଟ୍‌ରେ ପ୍ରାୟ ୧୦୦ ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ସବୁ ନମୁନା ନେଗେଟିଭ୍ ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର