କଟକ: ଓଡ଼ିଶା ସାହିତ୍ୟ ଏକାଡେମି ଓ ସାରସ୍ୱତ ଅନୁଷ୍ଠାନ ‘ଗପଘର’ ମିଳିତ ଆନୁକୂଲ୍ୟରେ ଗପ ଉତ୍ସବ ଶତାବ୍ଦୀ ଭବନରେ ଆୟୋଜିତ ‌ହୋଇଛି। ବିଶିଷ୍ଟ ଗାଳ୍ପିକ ଅଚ୍ୟୁତାନନ୍ଦ ପତି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି, କାର୍ଯ୍ୟକାରୀ ପରିଷଦ ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ସଂପାଦକ(ଫିଚର୍‌) ଡକ୍ଟର ଗୌରହରି ଦାସ କହିଲେ, ମଣିଷ ଜୀବନ କେଉଁ ଗପଠାରୁ କମ୍ ନୁହେଁ। ଆମ ଦୈନନ୍ଦିନ ଜୀବନରେ ପ୍ରତି ମୁହୂର୍ତ୍ତରେ ଗପକୁ ଭେଟୁ ଓ ଭୋଗୁ ବୋଲି ଡକ୍ଟର ଦାସ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଡକ୍ଟର ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିଲେ। ସଭାପତି ଡକ୍ଟର ସିଂହ ଅନ୍ୟ ପ୍ରତିବେଶୀ ସାହିତ୍ୟ ତୁଳନାରେ ଓଡ଼ିଆ ସାହିତ୍ୟର ସମୃଦ୍ଧ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ସାହିତ୍ୟ ଏକାଡେମି ପ୍ରକାଶନ ଅଧିକାରୀ ସଂଜୟ ଛୁଆଳସିଂହ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ‘ଗପଘର’ ଆବାହକ ରବିନାରାୟଣ ଦାଶ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲେ। ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଗାଳ୍ପିକ ଡକ୍ଟର ଅରବିନ୍ଦ ରାୟ ଓ ଚିରଶ୍ରୀ ଇନ୍ଦ୍ରସିଂ ଗପ ପାଠ କରିଥିବା ବେଳେ ପ୍ରଫେସର ବିଜୟ କୁମାର ଶତପଥୀ ଓ ଡକ୍ଟର ସଂଜିତା ମିଶ୍ର ଗପ ସମୀକ୍ଷା କରିଥିଲେ। ତୃତୀୟ ଅଧିବେଶନରେ ମିନି ଗପ ପାଠୋତ୍ସବ ହୋଇଥିଲା। ଏଥିରେ ଅତିଥି ଭାବେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଓ ଇଞ୍ଜିନିୟର ବିଷ୍ଣୁ ସାହୁ ଯୋଗ ଦେଇଥିଲେ। ଏହି ଅଧିବେଶନରେ ଗାଳ୍ପିକ ରବି ପଣ୍ଡା, ତରୁଣ କୁମାର ସାହୁ, ମୀନାକ୍ଷୀ ଦେବୀ, ସୁବ୍ରତ ଦାଶ, ଲିଙ୍ଗରାଜ ମହାନ୍ତି, ସୁଶୀଲ ମିଶ୍ର, ଅମୀୟ ବେଜ, ଶର୍ମିଷ୍ଠା ମହାପାତ୍ର, ପ୍ରଣିତାରାଣୀ ବେହେରା, ପ୍ରତିଭା ପ୍ରିୟଦର୍ଶିନୀ, ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ମିନି ଗପ ପାଠ କରିଥିଲେ। ଅଧ୍ୟାପକ କମଳ ମାହୁନ୍ତ ଓ ରାଜେଶ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।