ଭୁବନେଶ୍ବର : ବିଏମ୍ସିରେ ରାଜଧାନୀରେ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବିଏମ୍ସି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏପରିକି ବର୍ଷକୁ ପ୍ରାୟ ୬୦କୋଟିରୁ ଅଧିକ ଖର୍ଚ୍ଚ ହେଉଛି। ହେଲେ ଏହିି ଆଳରେ କେତେକ ଅଧିକାରୀ ବିଏମ୍ସି ରାଜସ୍ବ ଲୁଟିବାରେ ଲାଗିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ଘୋଡ଼ା ୬କୁ ଦାନା ୯ଟଙ୍କା ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ଦିନକୁ ପ୍ରାୟ ୬୦୦ଟନ୍ ଆବର୍ଜନା ବାହାରୁଥିବାବେଳେ ଏହାକୁ ପ୍ରଥମେ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ଗଦା କରାଯାଉଛି। ଏହାପରେ ଏଠାରୁ ପ୍ରତିଦିନ ଭୁ୍ଆସୁଣୀସ୍ଥିତ ଡମ୍ପିଂୟାର୍ଡକୁ ନିଆଯାଉଛି। ହେଲେ ଭୁଆସୁଣୀରେ ଆବର୍ଜନା ପାହାଡ଼ ଛିଡ଼ା ହେବାରୁ ଏହାକୁ ପ୍ରତିଦିନ ଏକ ଏସ୍କାଭେଟର ସହାୟତାରେ ଲେଭେଲିଂ କରାଯାଉଛି। ଏହି ଏସ୍କାଭେଟରକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏଥିପାଇଁ ବିଏମ୍ସି କର୍ତ୍ତୃପକ୍ଷ ବର୍ଷକୁ ପ୍ରାୟ ୭୯ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କେଉଁ କେଉଁ ମାସରେ ତ ଏହା ୮୫ରୁ ୯୦ଲକ୍ଷ ପର୍ଯ୍ୟନ୍ତ ଛୁଇଁ ଯାଉଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଭୁଆସୁଣୀ ଡମ୍ପିଂୟାର୍ଡରେ ଆବର୍ଜନା ଲେଭେଲିଂ କରିବା ପାଇଁ ଯେଉଁ ଏସ୍କାଭେଟର ବ୍ୟବହାର ହେଉଛି ସେଥିପାଇଁ ବାର୍ଷିକ ପ୍ରାୟ ୭୯ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିରେ ଏସ୍କାଭେଟର ପାଇଁ ୩୬ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ଏସ୍କାଭେଟରକୁ ଦୈନିକ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରୁ ଭୁଆସୁଣୀକୁ ନେବା ଏବଂ ପୁଣି ଆଣିବା ବାବଦକୁ ଆଉ ୪୩ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।
ମିଳିଥିବା ହିସାବ ଅନୁଯାୟୀ, ଭୁଆସୁଣୀରେ ଆବର୍ଜନା ପାହାଡ ଲେଭେଲିଂ କରିବା ପାଇଁ ବ୍ୟବହାର ହେଉଥିବା ଏସ୍କାଭେଟରର ଦୈନିକ ଭଡ଼ା ବାବଦକୁ ୧୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ମାସକୁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହିପରି ବର୍ଷକୁ ପ୍ରାୟ ୩୬ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହି ଏସ୍କାଭେଟରକୁ ବୋହିବା ପାଇଁ ବ୍ୟବହାର ହେଉଥିବା ଟ୍ରଲର ବାବଦକୁ ଦୈନିକ ୧୨ହଜାର ଟଙ୍କା ଭଡ଼ା ହିସାବରେ ମାସକୁ ୩ଲକ୍ଷ ୬୦ହଜାର ଟଙ୍କା ଏବଂ ବର୍ଷକୁ ପ୍ରାୟ ୪୩ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହିପରି ମୋଟ୍ ୭୯ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।
ଏହି ହିସାବରେ ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା ହେଉଛି ବୋଲି କୁହାଯାଉଛି। କାରଣ ମୁଖ୍ୟ ଉଦ୍ଦେଶ୍ୟ ପାଇଁ ୩୬ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାକୁ ବୋହିବା ପାଇଁ ଆଉ ୪୩ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ବି ପର୍ଯ୍ୟାପ୍ତ ଯୁକ୍ତିି ଅଛି।
ବିଏମ୍ସି ଇଞ୍ଜିନିୟରିଂ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୁଆସୁଣୀରେ ପ୍ରତିଦିନ ଆବର୍ଜନା ଲେଭେଲିଂ କରିବା ଦରକାର। ତେଣୁ ଏସ୍କାଭେଟର ବ୍ୟବହାର ହେଉଛି। କିନ୍ତୁ ଦାରୁଠେଙ୍ଗ ଗ୍ରାମବାସୀ ଡମ୍ପିଂୟାର୍ଡରେ ବିଭିନ୍ନ ସମୟରେ ଗାଡ଼ି ଭଙ୍ଗାରୁଜା କରୁଥିବାରୁ ଏବଂ ଡମ୍ପିଂୟାର୍ଡରେ ବିଭିନ୍ନ ସମୟରେ ନିଆଁ ଲାଗି ଯାଉଥିବାରୁ ଗାଡ଼ି ପୋଡ଼ିଯିବାର ଆଶଙ୍କା ରହୁଛି। ତେଣୁ ଆମେ ଏସ୍କାଭେଟରକୁ ପ୍ରତିଦିନ ଭୁଆସୁଣୀକୁ ନେବା ଆଣିବା କରୁଛୁ। ଏଥିପାଇଁ ବର୍ଷକୁ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ଆମର ଅତିରିକ୍ତ ଖର୍ଚ୍ଚ ବୋଲି ଆମେ ଜାଣୁଛୁ। କିନ୍ତୁୁ ଆମ ପାଖରେ କିଛି ଉପାୟ ନାହିଁ।
ଏସ୍କାଭେଟରକୁ ଆେମ ନନ୍ଦନକାନନ ଥାନାରେ ରଖିବାକୁ କହିଥିଲୁ। କିନ୍ତୁ ଥାନା କର୍ତ୍ତୃପକ୍ଷ ମନା କଲେ। ଏହାପରେ ଆମେ ଥାନା ବାହାରେ କିମ୍ବା ଭୁ୍ଆସୁଣୀ ନିକଟସ୍ଥ କୌଣସି ସୁରକ୍ଷିତ ସ୍ଥାନରେ ରଖି ନେବା ଆଣିବା କରିବାକୁ ଯୋଜନା କରିଥିଲୁ। ହେଲେ ଚେନ୍ ଲାଗିଥିବା ଏହି ଏସ୍କାଭେଟର ସଦାବେଳେ ରାସ୍ତାରେ ଯାତାୟତ କରିବା ସମ୍ଭବପର ନୁହେଁ। ଏହା ରାସ୍ତାରେ ଗଲେ ଅଧିକ ସମୟ ଲାଗିବ ଏବଂ ରାସ୍ତା ନଷ୍ଟ ହୋଇଯିବ। ତେଣୁ ଆମେ ଏହାକୁ ଟ୍ରଲର ମାଧ୍ୟମରେ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରୁ ଭୁଆସୁଣୀକୁ ପ୍ରତିଦିନ ନେବା ଆଣିବା କରୁଛୁ।
ଆମର ଏସ୍କାଭେଟର ନେବା ଆଣିବା ବାବଦକୁ ଅତିରିକ୍ତ ଖର୍ଚ୍ଚ ବଢ଼ି ଯାଉଥିବାରୁ ଆମେ ପୁଣି କମିସନରେଟ୍ ପୁଲିସକୁ ଚିଠି ଲେଖିବାକୁ ଯୋଜନା କରୁଛୁ। ନନ୍ଦନକାନନ ଥାନାରେ ଏହାକୁ ରଖିବୁ ନଚେତ୍ ଭୁଆସୁଣୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିବାକୁ କହିବୁ।
ଏଠାରେ ପ୍ରଶ୍ନ ଉଠୁଛି ବିଏମ୍ସି କର୍ତ୍ତୃପକ୍ଷ ବର୍ଷକୁ ଏତେ ଟଙ୍କା ଗାଡ଼ି ଭଡ଼ା ବାବଦରେ ଖର୍ଚ୍ଚ କରୁଥିଲେ ହେଁ ଏହାର ଅଧା ଟଙ୍କାରେ ଗାଡ଼ି କିଣି ପାରଥାନ୍ତେ। ଦେଢ଼ ବର୍ଷ ମଧ୍ୟରେ ଯେତିକି ଟଙ୍କା ଗାଡ଼ି ଭଡ଼ା ବାବଦକୁ ଦିଆଯାଇଛି ତାହା ଠାରୁ ଢେର୍ କମ୍ ଅର୍ଥରେ ଗାଡ଼ଇ କିଣା ଓ ତେଲ ଖର୍ଚ୍ଚ ହୋଇଯାଇଥାନ୍ତା। କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଏହା ଜୁଟୁନି।