ଭୁବନେଶ୍ୱର: ରାଜଧାନୀରେ ଘରକୁ ଘର ବୁଲି ଆବର୍ଜନା ଉଠାଇବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଟେଣ୍ଡର କରୁଛି। ଟେଣ୍ଡର୍ ସର୍ତ୍ତାବଳୀ ଆଧାରରେ ଚୟନ ହୋଇଥିବା ଏଜେନ୍ସିମାନେ ସହରର ଆବର୍ଜନା ଉଠାଉଛନ୍ତି। ଗତ ଏପ୍ରିଲ ମାସରୁ ନୂଆ ଏଜେନ୍ସିମାନେ ଘରକୁ ଘର ବୁଲି ଆବର୍ଜନା ଉଠାଇବାର ଟେଣ୍ଡର ନେଲେଣି। କିନ୍ତୁ ଏହି ସ୍ବଚ୍ଛତା ପ୍ରକ୍ରିୟାରେ ଘଳିଆ ଫିଟାଇବାକୁ ଚାଲିଛି ଜୋରଦାର ଉଦ୍ୟମ। ସର୍ତ୍ତାବଳୀକୁ ଉଲ୍ଲଂଘନ କରି ଅଧିକ କର୍ମଚାରୀ ନିଯୁକ୍ତି ଦେବାକୁ ଚାଲିଛି ଭିତିରିଆ ଷଡ୍ଯନ୍ତ୍ର। ଅଭିଯୋଗ ହୋଇଛି ଯେ ନିୟୋଜିତ ଠିକାସଂସ୍ଥାମାନେ କର୍ପୋରେଟର୍ଙ୍କ ଜରିଆରେ ଏଥିପାଇଁ ଜୋରଦାର ଚାପ ପକାଉଛନ୍ତି। କର୍ପୋରେଟର୍ମାନେ ବି ନିଜ ପିଲାଙ୍କୁ କାମରେ ନିୟୋଜିତ କରିବାକୁ ସର୍ତ୍ତ ରଖିଛନ୍ତି। ଅଧିକାରୀମାନେ ମଧ୍ୟ କର୍ପୋରଟେର୍ମାନଙ୍କ ସହ ହାତ ମିଳାଇ ଏହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଘନଘନ ବୈଠକ ଚାଲିଛି। ପୂର୍ବରୁ ବି ଟେଣ୍ଡରକୁ ନେଇ ବହୁ ବିବାଦ ମୁଣ୍ଡାଇଛି ବିଏମ୍ସି। କେବେ ଅନଭିଜ୍ଞ ସଂସ୍ଥା ତ କେବେ ତଥ୍ୟ ଲୁଚାଇବା ପାଇଁ ହାଇକୋର୍ଟଙ୍କ ଆଦେଶରେ ଠିକାସଂସ୍ଥାକୁ ଅଧାରୁ ବିଦା କରାଯାଇଛି। ଏଭଳି ସ୍ଥିତିରେ ଟେଣ୍ଡର ସର୍ତ୍ତ ଉଲ୍ଲଂଘନ ଅଭିଯୋଗ ପୁଣିଥରେ ବିଏମ୍ସିକୁ ବିବାଦ ଭିତରକୁ ଟାଣିଛି।
ଗାଡ଼ି ପିଛା ଜଣେ ଚାଳକ ଓ ଜଣେ ହେଲ୍ପର୍ ରଖିବାକୁ ଥିଲା ସର୍ତ୍ତ
ଆଉ ଜଣେ ହେଲ୍ପର୍ ରଖିବାକୁ ଭିତିରିଆ ଚକ୍ରାନ୍ତ
ଟେଣ୍ଡରରୁ ବାଦ୍ ପଡ଼ିଥିବା ଏଜେନ୍ସିମାନଙ୍କ ମହଲରେ ଏହା ଅସନ୍ତୋଷର କାରଣ ହୋଇଛି। ଯେଉଁ ସର୍ତ୍ତାବଳୀ ଆଧାରରେ ସେମାନେ ଟେଣ୍ଡରରୁ ବାଦ୍ ପଡ଼ିଥିଲେ, ତାକୁ ଉଲ୍ଲଂଘନ କରି ଅଧିକ କର୍ମଚାରୀ ନିଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି। କାରଣ ପ୍ରି-ବିଡିଂ ବୈଠକରେ ଏଜେନ୍ସିମାନେ ଗାଡ଼ି ପିଛା ଦୁଇଜଣ ହେଲ୍ପର୍ ନିଯୁକ୍ତି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ରୋକ୍ଠୋକ୍ ମନା କରି ଦେଇଥିଲେ। ଯଦି ଭୁବନେଶ୍ବର ମହାନଗର ନିଗମ ଏଭଳି ବେଆଇନ୍ ନିଯୁକ୍ତି ଦିଏ, କୋର୍ଟକୁ ଯିବେ ବୋଲି ଏଜେନ୍ସିମାନେ ମତବ୍ୟକ୍ତ କରିଛନ୍ତି। ଘରକୁ ଘର ବୁଲି ପୃଥକ୍ ବର୍ଜ୍ୟ ସଂଗ୍ରହ ଓ ଆଇଇସି(ଜନସ୍ବାସ୍ଥ୍ୟ ଓ ପରିମଳ) କାର୍ଯ୍ୟ ପାଇଁ ଭୁବନେଶ୍ବର ମହାନଗର ନିଗମ ୬୭ଟି ୱାର୍ଡ ପାଇଁ ୬ଟି ପ୍ୟାକେଜ୍ରେ ଟେଣ୍ଡର(ପତ୍ର ସଂଖ୍ୟା-୪୦୪୯୭/୦୧.୦୬.୨୦୨୪) ଆହ୍ବାନ କରିଥିଲା। ୯ଟି ସଂସ୍ଥା ଆବେଦନ କଲେ। ଯାଞ୍ଚ ପରେ ୬ଟି ସଂସ୍ଥା, ସାହା, ବେସିକ୍ସ ମ୍ୟୁନିସିପାଲ୍ ୱେଷ୍ଟ୍ ଭେନ୍ଚର୍ସ ଲିମିଟେଡ୍, ଜାଗୃତି ୱେଲ୍ଫେୟାର ଅର୍ଗାନାଇଜେସନ୍, ଫିଡ୍ବ୍ୟାକ୍ ଫାଉଣ୍ଡେସନ୍ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ, ବିକାଶ ଓ ପିଏମ୍ଆର୍ କନ୍ସୋର୍ଟିୟମ୍କୁ ଚୟନ କରାଗଲା। ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ପରେ ବୈଷୟିକ ଜ୍ଞାନ ଆଧାରରେ ବେସିକ୍ସ ମ୍ୟୁନିସିପାଲ୍ ୱେଷ୍ଟ ଭେନ୍ଚର୍ସ ଲିମିଟେଡ୍, ଫିଡ୍ବ୍ୟାକ ଫାଉଣ୍ଡେସନ୍ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ ଓ ବିକାଶ ସଂସ୍ଥାକୁ ୩ ବର୍ଷ ପାଇଁ ବର୍ଜ୍ୟ ପରିଚାଳନା ଦାୟିତ୍ବ ଦିଆଯାଇଛି। ୬୭ ୱାର୍ଡକୁ ନର୍ଥ ଜୋନ୍-୧ ଓ ୨, ସାଉଥ୍-ଇଷ୍ଟ ଜୋନ୍-୧ ଓ ୨ ଏବଂ ସାଉଥ୍ ୱେଷ୍ଟ ଜୋନ୍-୧ ଓ ସାଉଥ୍ ୱେଷ୍ଟ ଜୋନ୍-୨, ଏଭଳି ୬ଟି ପ୍ୟାକେଜ୍ରେ ବିଭକ୍ତ କରି ପ୍ରତି ସଂସ୍ଥାକୁ ୨ଟି ଲେଖାଏ ପ୍ୟାକେଜ୍ ଦିଆଯାଇଛି। ଟେଣ୍ଡର ସର୍ତ୍ତ ଅନୁଯାୟୀ, ପ୍ରତି ଅଳିଆ ଗାଡ଼ି ୧ହଜାର ଘରୁ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଆବର୍ଜନା ଉଠାଇବ। ଗାଡ଼ି ଚଳାଇବା ପାଇଁ ଜଣେ ଡ୍ରାଇଭର ଓ ଅଳିଆ ଉଠାରେ ସହଯୋଗ ପାଇଁ ପ୍ରତି ଗାଡ଼ିରେ ଜଣେ ହେଲ୍ପର୍, ଏଭଳି ଦୁଇଜଣ କର୍ମଚାରୀ ନିୟୋଜିତ ହେବେ। ୬୭ଟି ୱାର୍ଡ ପାଇଁ ସର୍ବମୋଟ ୪୩୫ଜଣ ଡ୍ରାଇଭର ଓ ୪୩୫ଜଣ ହେଲ୍ପର୍ଙ୍କୁ ଠିକାସଂସ୍ଥା ନିୟୋଜିତ କରିବେ। ଭୁବନେଶ୍ବର ମହାନଗର ନିଗମ ଡ୍ରାଇଭରଙ୍କୁ ଅର୍ଦ୍ଧକୁଶଳୀ ଓ ହେଲ୍ପର୍ଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ମଜୁରି ଦେବ। କିନ୍ତୁ ପ୍ରତି ଗାଡ଼ି ପିଛା ଆଉ ଜଣେ ଲେଖାଏଁ ହେଲ୍ପର୍ ନିଯୁକ୍ତି ଦେଇ ଏହି ସର୍ତ୍ତକୁ ନିଜେ ବିଏମ୍ସି ଭାଙ୍ଗିବାକୁ ଯୋଜନା କରିଛି। ଭୁବନେଶ୍ବର ମହାନଗର ନିଗମର ଜଣେ ଅଧିକାରୀ କହିଛନ୍ତି, ଏହା ଉପରେ ବୈଠକରେ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇନି କି କାହାରିକୁ ନିୟୋଜିତ କରାଯାଇନି।