ଭୁବନେଶ୍ବର : ଅଳିଆକୁ ନେଇ ଚିନ୍ତାରେ ପଡ଼ିଛି ବିଏମ୍ସି। ଆଗକୁ ସ୍ବାୟତ୍ତ ଶାସନ ଦିବସ, ଗଣେଶ ପୂଜା ତା ସାଙ୍ଗକୁ ହକି ଖେଳ ପାଇଁ ବି ଭୁବନେଶ୍ବର ପ୍ରସ୍ତୁତ ହେଉଛି। ଏତିକିବେଳେ ଆବର୍ଜନା ପାହାଡ଼ ଭଳି ଗଦା ହେଲାଣି। ଏବେଠୁ ବ୍ୟବସ୍ଥା ନ କଲେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇବା ପରେ ଅଚିନ୍ତାରେ ଥିବା ବିଏମ୍ସି ଏବେ ଚିନ୍ତା ପ୍ରକଟ କରିଛି। ଆଜି ଦିନ ତମାମ୍ ମେୟର ଓ କମିସନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ କରିବା ପରେ ସ୍ବତନ୍ତ୍ର ଗାଡ଼ି ଯୋଗାଇ ଗଦା ହୋଇଥିବା ଆବର୍ଜନାକୁ ସଫା କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ତିନିଟି ଜୋନ୍କୁ ବିଏମ୍ସି ୧୨ଟି ଗାଡ଼ି ଯୋଗାଇ ଦେଇଛି। ଏହି ତାଲିକାରେ ଜୋନ୍ ପିଛା ଗୋଟିଏ ଜେସିବି, ଗୋଟିଏ ଟିପର ଓ ଦୁଇଟି ଟ୍ରାକ୍ଟର ରହିଛି। କିଭଳି ସଫା ହେବ? କାହାକୁ ଗୁରୁତ୍ବ ଦେବେ? କେତେବେଳେ ଉଠାଇବେ? ଏସବୁକୁ ନେଇ ଏକ ଏସ୍ଓପି ମଧ୍ୟ ଜାରି ହୋଇଛି।
ଏଣେ କିନ୍ତୁ ଟିଟିଏସ୍ ଭର୍ତ୍ତି। ଆବର୍ଜନା ଖାଲି ହୋଇପାରୁନି ବୋଲି ଟ୍ରକ୍ ଟିଟିଏସ୍ ଆଗରେ ଛିଡ଼ା ହୋଇଛି। ସେପଟେ ଦାରୁଠେଙ୍ଗ ବି ବିଏମ୍ସିକୁ ମନା। ଆବର୍ଜନା ପକାଇବା ପାଇଁ ବିଏମ୍ସି ବିକଳ୍ପ ଖୋଜି ନାହିଁ। ଯେଉଁଥିପାଇଁ ଠିକାସଂସ୍ଥାଙ୍କ ପାଖରେ ଗାଡ଼ି ଥିଲେ ମଧ୍ୟ ଜାଗା ନଥିବାରୁ ସେମାନେ ଆବର୍ଜନା ଉଠାଉ ନାହାନ୍ତି। ଅଭିଯୋଗ ଭୟରେ ଘର ପାଖରୁ ନେଇ ଆସି ଏକ ନିର୍ଦ୍ଦିଷ୍ଟ ଜାଗାରେ ଗଦା କରିଦେଉଛନ୍ତି। ଏବେ ବିଏମ୍ସି ୧୨ ଗାଡ଼ି ଲଗାଇବ। ଏଥିପାଇଁ ନିଜ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିବ। ହେଲେ ଆବର୍ଜନା ଗଦା କରିବ କେଉଁଠି? ଏସ୍ଓପିରେ ଲେଖା ହୋଇଛି କି ଯେ ପରିମଳକୁ ନେଇ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ବିଏମ୍ସି ଏହି ଗାଡ଼ିଗୁଡ଼ିକୁ ବ୍ୟବହାର କରୁଛି। ହେଲେ ପ୍ରଶ୍ନ ଉଠୁଛି, ଏଭଳି ଜରୁରୀକାଳୀନ ପରିସ୍ଥିତି କାହିଁକି ହେଲା? ଏଥିପାଇଁ କିଏ ଦାୟୀ? ବିଏମ୍ସି ନିଜ ପାଣ୍ଠିରୁ ଯେଉଁ ଖର୍ଚ୍ଚ କରିବ ସେ ଅର୍ଥ ଠିକା ସଂସ୍ଥା ଭରଣା କରିବେ କି? ନା ଠିକା ସଂସ୍ଥା ନିଜେ ପାଇବାକୁ ଥିବା ଅର୍ଥ ନେବେ ନାହିଁ? ଗୋଟିଏ କାମ ପାଇଁ ଦୁଇଦୁଇ ଥର ଖର୍ଚ୍ଚ କରି ବିଏମ୍ସି ଅଡିଟ୍କୁ କି ଉତ୍ତର ଦେବ?
ଦିନକୁ ଗୋଟିଏ ୱାର୍ଡରୁ ୮ ଟନ୍ ଆବର୍ଜନା ବାହାରୁଛି। ଯେଉଁ ସଂସ୍ଥାମାନଙ୍କର ଚୁକ୍ତି ଅବଧି ଗତ ୧୬ ତାରିଖରେ ସରିଯାଇଛି ସେମାନେ ଶେଷ ଦୁଇ ତିନିଦିନର ଅର୍ଥାତ୍ ୧୪ ତାରିଖରୁ ଆବର୍ଜନା ଉଠାଇ ନାହାନ୍ତି। କାରଣ ଆବର୍ଜନା ପକାଇବାକୁ ଜାଗା ନାହିଁ। ଏଣୁ ପୁରୁଣା ଓ ନୂଆ ଅଳିଆ ମିଶି ଗୋଟିଏ ୱାର୍ଡରେ ୧୦ ଟନ୍ ଆବର୍ଜନା ରହିଛି। ଏଭଳି ସ୍ଥିତି ୫୦ ୱାର୍ଡରୁ ଅଧିକ ୱାର୍ଡରେ ସୃଷ୍ଟି ହୋଇଛି। ଯଦି ଆମେ ୧୬ ତାରିଖରୁ ହିସାବ କରିବା ତେବେ ୯ ଦିନ ଭିତରେ ଗୋଟିଏ ୱାର୍ଡରେ ଅର୍ଥାତ୍ ସହରରୁ ୯୦ ଟନ୍ ଆବର୍ଜନା ରହିଛି। ଏଣୁ ୫୦ ୱାର୍ଡରେ ୪୫୦୦ ଟନ୍ ଆବର୍ଜନା ଉଠିବାକୁ ଅଛି। ଏବେ ଏହି ଆବର୍ଜନାକୁ ବିଏମ୍ସି ଟ୍ରାକ୍ଟର, ଟିପର ଲଗାଇ ନେବ କୁଆଡ଼େ?
ସହରରେ ଏଣେ ତେଣେ ଆବର୍ଜନା ଗଦା ହେଉଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚିଲିପୋଖରିରୁ ଗ୍ୟାରେଜ୍ ଛକ ରାସ୍ତାରେ ନୂଆ ଠିକା ସଂସ୍ଥା (ଗ୍ରିନ୍ ସର୍କଲ) ଅସ୍ଥାୟୀ ଡମ୍ପିଂ ୟାର୍ଡ କରିଛି। ଦୁଇଦିନ ହେବ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। କେବଳ ଏହି ଜାଗା ନୁହେଁ, ପଟିଆ ଅଞ୍ଚଳରେ ମଧ୍ୟ ଏକ ଅସ୍ଥାୟୀ ଜାଗାରେ ଡମ୍ପିଂ ହେଉଥିବାରୁ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଏବେ ନୂଆ ନିୟୋଜିତ ହେଉଥିବା ଗାଡ଼ିରେ ‘ଆବର୍ଜନାକୁ ଯୁଆଡ଼େ ନେଉଛ ନିଅ, କିନ୍ତୁ ସହରରୁ ଉଠାଅ’ ବୋଲି ଅଲିଖିତ ଆଦେଶ ହୋଇଥିବା କୁହାଯାଉଛି।