ଭୁବନେଶ୍ବର: ହାଇକୋର୍ଟ ମଂଜୁ ସର୍ଭିସ୍‌ର ଟେଣ୍ଡର୍‌ ରଦ୍ଦ କରିବା ପରେ ତା’ ଅଧୀନରେ ଭୁବନେଶ୍ବରରେ ଥିବା ୧୭ଟି ୱାର୍ଡର ସଫେଇ ପରିଚାଳନା ପାଇଁ ବିଏମ୍‌ସି ପୁଣି ଟେଣ୍ଡର୍‌ ଡାକିବାକୁ ସଜବାଜ ହେଉଛି। କିନ୍ତୁ ଗୁରୁଚଣ୍ଡାଳ ଦୋଷ ଥିବା ଯେଉଁ ଟେଣ୍ଡର୍‌ ପ୍ରକ୍ରିୟା ପାଇଁ ଉଭୟ ବିଏମ୍‌ସି ଓ ରାଜଧାନୀବାସୀ ହନ୍ତସନ୍ତ ହେଉଛନ୍ତି, ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେଣୁ ଏହାକୁ ନେଇ ଆଗାମୀ ଦିନରେ ବିବାଦ ଉପୁଜିବାର ଆଶଙ୍କା ଦେଖାଦେଇଛି। ଆସନ୍ତାକାଲି (ସୋମବାର) ହେବାକୁ ଥିବା କର୍ପୋରେସନ୍‌ ବୈଠକରେ ଏହାକୁ ନେଇ ତନାଘନା ହେବ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ସହରର ସଫେଇ ପାଇଁ ୧୦ ଟିକିଆ ପ୍ୟାକେଜ୍‌ରେ ମଂଜୁ ସର୍ଭିସ୍‌ ସହ ଅନ୍ୟ ସଂସ୍ଥା ଯେଉଁ ଟେଣ୍ଡର୍‌ ପ୍ରକ୍ରିୟାରେ ଚୟନ ହୋଇଥିଲେ, ସେଥିରେ ବ୍ୟାପକ ଦୋଷ, ତ୍ରୁଟି ରହିଥିଲା। ତା’ର ଫଳ ବିଏମ୍‌ସିକୁ ଭାରି ମହଙ୍ଗା ପଡ଼ୁଛି। ସଫେଇ ସଂସ୍ଥାକୁ ମୋଟା ଅଙ୍କର ଟଙ୍କା ଗଣିଦେବା ପରେ ମଧ୍ୟ ସହରର ଅଳିଆ ଅଡ଼ୁଆ ତୁଟୁନାହିଁ। ଆବର୍ଜନା ଗଦା ହୋଇ ରହିବାରୁ ବିଏମ୍‌ସିଅତିରିକ୍ତ ଅର୍ଥ ଖର୍ଚ୍ଚ କରି ଠିକା ସଂସ୍ଥାକୁ ସହଯୋଗ କରୁଛି। ତେଣୁ ଉକ୍ତ ଟେଣ୍ଡର୍‌କୁ ସଂପୂର୍ଣ୍ଣ ବାତିଲ୍‌ କରିବା ପାଇଁ ପୂର୍ବ କର୍ପୋରେସନ୍ ବୈଠକରେ କର୍ପୋରେଟର୍‌ମାନେ ପ୍ରସ୍ତାବ ଦେଇଥିଲେ। ହକି ବିଶ୍ବକପ୍‌ ପରେ ଏହାକୁ ବାତିଲ କରିବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାକୁ ବାତିଲ୍‌ ନ କରି ନୂଆ ସଂସ୍ଥା ପାଇଁ ଟେଣ୍ଡର୍‌ ଡକାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟପଟେ ମଞ୍ଜୁ ସର୍ଭିସ୍‌ ଭୁବନେଶ୍ବରର ୧୭ଟି ୱାର୍ଡର ସଫେଇ ଟେଣ୍ଡର୍‌ ପାଇବା ପୂର୍ବରୁ ଅନୁଗୁଳ ପୌରସଂସ୍ଥାରେ ଅନିୟମିତତା ପାଇଁ କଳା ତାଲିକାଭୁକ୍ତ ହୋଇସାରିଥିଲା। କିନ୍ତୁ ବିଏମ୍‌ସି ଟେଣ୍ଡର୍‌ରେ ଭାଗ ନେବା ବେ‌ଳେ ସେ ଏ ବାବଦରେ ଜଣାଇନଥିଲା। ତଥ୍ୟ ଲୁଚାଇ ସେ ବିଏମ୍‌ସିରେ ଉପରୋକ୍ତ ୧୭ଟି ୱାର୍ଡର ଟେଣ୍ଡର୍‌ ପାଇ ଯାଇଥିଲା। ଏହା ବିରୋଧରେ ‘ପିଏମ୍‌ଆର କନ୍‌ସୋର୍ଟିୟମ୍‌’ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟ ଏହି ମଞ୍ଜୁ ସର୍ଭିସ୍‌କୁ ଅଯୋଗ୍ୟ ଘୋଷଣା କରିବାରୁ ଏହି ୧୭ଟି ୱାର୍ଡର ଟେଣ୍ଡର ବାତିଲ ହୋଇଥିଲା। ଏଥିରେ ୱାର୍ଡ ନଂ ୨୪, ୨୫, ୨୭, ୩୧, ୩୨, ୩୩, ୩୭, ୩୮, ୩୯, ୪୨, ୪୩, ୪୫, ୪୭, ୪୮, ୪୯, ୫୦ ଓ ୫୧ ରହିଥିଲା। ଗତବର୍ଷ ଅକ୍ଟୋବରରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଥିଲା। ଟେଣ୍ଡର ପ୍ରକ୍ରିୟାରୁ ମଞ୍ଜୁ ସର୍ଭିସ୍‌କୁ ବିଦା କରିବା ସହ ସଂସ୍ଥା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ୪ ମାସ ବିତିଥିଲେ ମଧ୍ୟ ବିଏମ୍‌ସି ସମ୍ପୃକ୍ତ ସଂସ୍ଥାକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେବେ ଏହାକୁ କଳା ତାଲିକାଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଗୋଟିଏ ସଂସ୍ଥା ରାସ୍ତା ଓଳାଇବା, ବୁଦା କାଟିବା, ନଳା ସଫା କରିବା ଓ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ ଦାୟିତ୍ବ ନେଉଥିଲା। କିନ୍ତୁ ନୂଆ ପ୍ୟାକେଜ୍‌ ଟେଣ୍ଡର୍‌ରେ ଏହି ୪ଟି କାମ ପାଇଁ ୩ଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଫଳରେ ସମନ୍ବୟ ଅଭାବ ଯୋଗୁଁ ଆବର୍ଜନା ଉଠି ପାରୁନାହିଁ। ସର୍ବସାଧାରଣ ଡଷ୍ଟବିନ୍‌ ଉଠାଇ ନିଆଯାଇଥିବାରୁ ବିଭିନ୍ନ କଲୋନି ବା ଗଳିରୁ ଆବର୍ଜନା ଉଠାଇ ଗୋଟିଏ ଜାଗାରେ ଗଦା କରି ଦିଆଯାଉଛି। ଆଉ ଏକ ସଂସ୍ଥା ସେ ସବୁକୁ ଉଠାଉଛି। ଅନେକ ସମୟରେ ଆବର୍ଜନା ମଧ୍ୟ ଉଠା ଯାଉନାହିଁ। ପୂର୍ବରୁ ଓଜନ ଅନୁସାରେ ପଇସା ମିଳୁଥିବାରୁ ଅଭିଯୋଗ ହେବା ପୂର୍ବରୁ ଆବର୍ଜନା ଉଠିଯାଉଥିଲା। କିନ୍ତୁ ‘ଲମ୍ପସମ୍‌’ ବ୍ୟବସ୍ଥା ଥିବାରୁ ଏବେ ଅନେକ ଜାଗାରୁ ଆବର୍ଜନା ଉଠୁନାହିଁ। ଏବେ ହେବାକୁ ଥିବା ୧୭ ୱାର୍ଡର ଟେଣ୍ଡର୍‌ ନୂଆ ଢଙ୍ଗରେ ହେଉଥିବାରୁ ଆବର୍ଜନା ଅଡ଼ୁଆ ଲାଗି ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି।