ଆବର୍ଜନାକୁ ନେଇ ତନାଘନା: କାମ ନ କଲେ ବିଦା ହେବେ ସାନିଟାରି ଇନ୍‌ସ୍ପେକ୍ଟର

ଅଫିସରଙ୍କୁ ସ୍ପଟ୍‌ରେ ତାଗିଦ୍‌ କଲେ ମେୟର, କଟା ହେବ ଏଜେନ୍‌ସିଙ୍କ ପ୍ରାପ୍ୟ

ଭୁବନେଶ୍ବର: ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଆବର୍ଜନା। ଗୋଟିଏ ପଟେ ଡମ୍ପିଂ ୟାର୍ଡ ପାଇଁ ଜାଗା ମିଳୁନି, ଅନ୍ୟପଟେ ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହୋଇପାରୁନି। ଏଭଳି ସ୍ଥିତିରେ ଆପାର୍ଟମେଣ୍ଟ ବାସିନ୍ଦା ରାସ୍ତା କଡ଼ ଓ ନାଳରେ ଆବର୍ଜନା ଗଦା କରୁଛନ୍ତି। ନାଳ ଭିତ‌ରେ ଛିଣ୍ଡା ସପ, କନ୍ଥା, କୁକୁର ଓ ବିରାଡ଼ିଙ୍କ ଶବ ପକାଇ ଦେଉଛନ୍ତି। ଆଜି ସକାଳୁ ୱାର୍ଡ ନଂ ୩୭, ୩୮ ଓ ୩୯ ପରିକ୍ରମା କରୁଥିବା ବେଳେ ଏଭଳି ଚିତ୍ର ଦେଖି ମେୟର ସୁଲୋଚନା ଦାସ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘଟଣାସ୍ଥଳକୁ ସାନିଟାରି ଇନ୍‌ସ୍‌ପେକ୍ଟର ଓ ୱାର୍ଡ ଅଫିସରଙ୍କୁ ଡାକି ତନାଘନା କରିଛନ୍ତି। ରାସ୍ତା ଉପରେ ଅସନ୍ତୋଷ ଝାଡ଼ିବା ସହ ଅଧିକାରୀଙ୍କ ଠାରୁ ଉତ୍ତର ଚାହିଛନ୍ତି। ୱାର୍ଡ ଅଫିସର କଣ କରୁଛନ୍ତି? ଆବର୍ଜନା କାହିଁକି ଉଠିନି? ଏଜେନ୍‌ସି ଯଦି କାମ କରିନି, ତେବେ ତାକୁ ଉତ୍ତର ମାଗିଛନ୍ତି କି?

ଏ ନେଇ କେତେ ଥର ଅଫିସରମାନେ ବିଏମ୍‌ସିକୁ ଅବଗତ କରାଇଛନ୍ତି? ଅଫିସରମାନେ କଣ କଣ କାମ କରୁଛନ୍ତି ସେ ନେଇ ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ଶ୍ରୀମତୀ ଦାସ। ତେବେ କେବଳ ଅଫିସର ନୁହନ୍ତି, ବରଂ ଲୋକମାନଙ୍କର ଅଭ୍ୟାସକୁ ନେଇ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯିଏ ଯେଉଁଠି ପାରୁଛି, ଆବର୍ଜନା ଗଦା କରିଦେଉଛି। ଲୋକମାନଙ୍କର ସହଯୋଗ ନ ରହିଲେ କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ୱାର୍ଡ ନମ୍ବର ୩୭ରେ ଥିବା ଏକ ଆପୋର୍ଟମେଣ୍ଟ ରାସ୍ତା ଉପରେ ଆବର୍ଜନା ଗଦା କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ଆଗକୁ ଏଭଳି ଅଭିଯୋଗ ଆସିଲେ ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଆବର୍ଜନା ଗଦା କରିଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ଲୋକମାନେ ସହଯୋଗ କରନ୍ତୁ।

ପ୍ରମାଣ ସହ ଅଭିଯୋଗ କରନ୍ତୁ। ଏ ସବୁ ଉପରେ ଦୃଢ଼ କାର୍ଯ୍ୟା‌ନୁଷ୍ଠାନ ନିଆଯିବା ପରିମଳ ବ୍ୟବସ୍ଥାରେ ଢେର୍‌ ଉନ୍ନତି ଆସିପାରିବ ବୋଲି ସେ କହିଥିଲେ। ସେଠାରେ ପ୍ରାୟ ୫ଶହ ଡିସିମିଲି ଜମି ସମ୍ପୃକ୍ତ ଆପାର୍ଟମେଣ୍ଟ ମାଡ଼ି ବସିଥିବା ନେଇ ଲୋକମାନେ ମେୟରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ମାପଚୁପ କରାଯାଇ ସରକାରୀ ଜାଗା ବାହାର କରାଯିବ। ଏହାକୁ ଜବରଦଖଲମୁକ୍ତ କରାଯାଇ ଏହି ୱାର୍ଡର ୱାର୍ଡ ଅଫିସ ସେଠାରେ କରାଯିବ ବୋଲି ମେୟର କହିଥିଲେ।

ଆଜି ସକାଳ ୭ଟାରେ ମେୟର ୱାର୍ଡ ନମ୍ବର ୩୭ରେ ପହଞ୍ଚିଥିଲେ। ପ୍ରଥମେ ସେ ୱାର୍ଡର ନଳା ଯାଞ୍ଚ କରିଥିଲେ। ନଳା ଆରମ୍ଭରୁ ଶେ‌ଷ ପର୍ଯ୍ୟନ୍ତ ଜାମ୍‌ ରହିଥିଲା। ଏଭଳି ସ୍ଥିତି ଦେଖି ସେ ଅଫିସରମାନଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ଅଫିସରମାନେ ଘଟଣାସ୍ଥଳକୁ ଆସିବା ପରେ ସେମାନଙ୍କ ଠାରୁ ଉତ୍ତର ଚାହିଥିଲେ। ସାନିଟାରି ଇନ୍‌ସ୍‌ପେକ୍ଟର ଓ ୱାର୍ଡ ଅଫିସର ଉତ୍ତର ଦେଇଥିଲେ କି ଏଜେନ୍‌ସି କାମ କରୁନାହିଁ। ମାତ୍ର ତିନିଦିନ କାମ କରୁଛି। ଏଥିପାଇଁ ତାଙ୍କର ପ୍ରାପ୍ୟ କଟାଯାଉଥିବା ସୂଚନା ଦେଇଥିଲେ। ତା ଛଡ଼ା ଅଫିସରମାନେ ରାଜସ୍ବ ଆଦାୟରେ ବ୍ୟସ୍ତ ଥିବା କହିଥିଲେ। ଏହା ଶୁଣିବା ପରେ ମେୟର ରାଗି ଯାଇଥିଲେ। ଏଜେନ୍‌ସି କାମ ନ କଲେ ଆପଣମାନେ କଣ କରୁଛନ୍ତି? ରାଜସ୍ବ ଯଦି ଆଦାୟ କରିଥାନ୍ତେ, ତେବେ ବିଏମ୍‌ସି ଯାଇ କେଉଁଠି ପହଞ୍ଚନ୍ତାଣି!

ଅନେକ ଜାଗାରେ ଲୋକମାନେ ରେସିଡେନ୍‌ସିଆଲ ଘର ପାଇଁ ସ୍ବୀକୃତି ନେଇ ଦୋକାନ କରିଛନ୍ତି। ତାଙ୍କ ଠାରୁ କମର୍ସିଆଲ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛ କି? ଏ ପ୍ରଶ୍ନରେ ୱାର୍ଡ ଅଫିସର ମାନେ ନିରବ ରହିଥିଲେ। ଏଣୁ ଅଫିସରମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯିବ ବୋଲି ସେ କହିଥି‌ଲେ। ଯେଉଁମାନେ କାମ କରୁନଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି ସାନିଟାରି ଇନ୍‌ସ୍‌ପେକ୍ଟର ଓ ୱାର୍ଡ ଅଫିସରମାନେ ଅଭିଯୋଗ କରିଥିଲେ କି ଏଜେନ୍‌ସିମାନେ କାମ କରୁନାହାନ୍ତି। ଏଣୁ ଏଜେନ୍‌ସିମାନଙ୍କର କାମର ମଧ୍ୟ ରିଭ୍ୟୁ ହେବ। ଯଦି ସେମାନେ କାମ କରୁନଥିବେ ତେବେ ସେମାନଙ୍କର ମଧ୍ୟ ପ୍ରାପ୍ୟ କଟା ଯିବ ବୋଲି ଚେତାବନୀ ଦେଇଥିଲେ।

ଏହା ପରେ ସେ ୩୮ ଓ ୩୯ ନମ୍ବର ୱାର୍ଡକୁ ଯାଇଥିଲେ। ସେଠାରେ ମଧ୍ୟ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଦେଖିଥିଲେ। ଆଜି ମେୟରଙ୍କର ଏଭଳି ଆକ୍‌ସନ୍‌ ମୁଡ୍‌କୁ ବେଶ୍‌ ପସନ୍ଦ କରାଯାଇଛି। ଅନେକ ବରି‌ଷ୍ଠ ନାଗରିକ ତାଙ୍କ ପାଖରେ ପହଞ୍ଚି ବିଭିନ୍ନ ଅଭିଯୋଗ ଆଣିଥିଲେ। ତେବେ କେବଳ ସମସ୍ୟା‌ ନେଇ ଆସନାହିଁ ବରଂ ସମସ୍ୟା ସହ ସମାଧାନ ନେଇ ଆସ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର