ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାନ୍ସଫର ଷ୍ଟେସନ(ଟିଟିଏସ୍) ଏବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କେଉଁ ପରିସ୍ଥିତିରେ ସେଠାରେ ଅଳିଆଗଦା କରାଯାଉଛି ତାହାର ରିପୋର୍ଟ ସେପ୍ଟେମ୍ବର ୩ ସୁଦ୍ଧା ଦାଖଲ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ କୁହାଯାଇଛି। ଅଞ୍ଚଳବାସୀ ଯେଉଁ ଅଭିଯୋଗ କରିଛନ୍ତି ତାହାର ଆଧାରରେ ୬ଟି ପଏଣ୍ଟ ଅନୁଯାୟୀ ତଥ୍ୟ ପ୍ରଦାନ କରିବାକୁ ଏସ୍ପିସିବି ସଦସ୍ୟ ସଚିବ ଅଗଷ୍ଟ ୩୦ରେ ବିଏମ୍ସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗାଡ଼କଣ ଅଞ୍ଚଳରେ ବେଆଇନ ଭାବେ ଅଳିଆ ଗଦା କରାଯାଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ ୨୦୦୨ରୁ ବିଏମ୍ସି ବେଆଇନ ଭାବେ ସୈନିକ ସ୍କୁଲ କ୍ୟାମ୍ପସ ନିକଟରେ ଡର୍ମ୍ପିଂୟାର୍ଡ କରିବା ସହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବାରେ ଓଏସ୍ପିସିବି ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଏମ୍ସି କମିସନରଙ୍କ ପକ୍ଷରୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ୍(ଏନ୍ଜିଟି)ରେ ଯେଉଁ ସତ୍ୟପାଠ ଦାଖଲ ହୋଇଛି ତାହା ପୂର୍ବ ପ୍ରତିଶ୍ରୁତିର ଖିଲାଫ କରୁଛି ବୋଲି ଲୋକେ ଅଭିଯୋଗ କରିଥିଲେ।
ଓଏସ୍ପିସିବି ତୁରନ୍ତ ଏଦିଗରେ ପଦକ୍ଷେପ ନେବା ସହ ବେଆଇନ ଅଳିଆ ପକା ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ୨୦୦୨ରୁ ୨୦୨୫ ମଧ୍ୟରେ ବିଏମ୍ସିଠାରୁ ଘଣ୍ଟା ପ୍ରତି ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ, ଟିଟିଏସ୍ରେ ଯେଉଁ ଅଳିଆ ରହିଛି ତାହାକୁ ତୁରନ୍ତ ସଫା କରିବା, ଶୁଖିଲା ଅଳିଆ ପରିଚାଳନା ପାଇଁ ଏହା ପରିସରରେ ବସିଥିବା ମେସିନ୍କୁ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗାଡ଼କଣ ସମେତ ଭିଏସ୍ଏସ୍ନଗର, ରେଳ ବିହାର, ରଙ୍ଗମାଟିଆ, ଲକ୍ଷ୍ମୀବିହାର, ଧିରୁକୁଟି ସାହି, ଗଜପତି ନଗର ଲୋକେ ଅଗଷ୍ଟ ୨୫ରେ ଏନେଇ ଅଭିଯୋଗ କରିଥିଲେ।
ସୈନିକ ସ୍କୁଲ ବଞ୍ଚାଅ, ଅଳିଆଗଦା ହଟାଅ ଅଭିଯାନ ସଦସ୍ୟ ବାସୁଦେବ ଭଟ୍ଟ କହିଛନ୍ତି ଯେ ବିଏମ୍ସି ବାରମ୍ବାର ନିୟମ ଉଲ୍ଲଂଘନ କରିଛି। ଲୋକଙ୍କୁ ଭୂଆଁ ବୁଲାଯାଉଛି। ଟେମ୍ପରାରି ଟ୍ରାନ୍ସଫର ଷ୍ଟେସନ(ଟିଟିଏସ୍) ସମ୍ପର୍କରେ ବିଏମ୍ସି କୋର୍ଟକୁ ଗୋଟିଏ କଥା କହୁଥିବା ବେଳେ ପ୍ରଦୂଷଣ ବୋର୍ଡକୁ ଆଉ ଗୋଟିଏ ଦର୍ଶାଇଛି। ଏନ୍ଜିଟିରେ ଭୁଲ୍ ତଥ୍ୟ ଦେଇଛି । ଓଏସ୍ପିସିବି ରିପୋର୍ଟ ମାଗିଥିବାରୁ ଏବେ ବିଏମ୍ସିର ରିପୋର୍ଟକୁ ଅପେକ୍ଷା। ଯଦି ସେମାନେ ପୁଣିଥରେ ଭୁଲ୍ ତଥ୍ୟ ଦିଅନ୍ତି ତାହା ହେଲେ ଏଥର ଚରମ ପନ୍ଥା ଆପଣାଇବୁବୋଲି ଶ୍ରୀ ଭଟ୍ଟ କହିଛନ୍ତି।