ଖଣ୍ଡଗିରି: ରାଜଧାନୀର କ‌ଳେବର ବଢ଼ୁଛି। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ସହରୀକରଣ ଭିତରେ ସହରର ଆବର୍ଜନା ନେଇ ଉଠୁଥିବା ବିବାଦ ତୁଟୁନି। ଏପଟେ ସହର ଗାଁକୁ ଗ୍ରାସିବା ପରେ ସମଗ୍ର ଗାଁ ଆବର୍ଜନାମୟ ହୋଇପଡ଼ିଲାଣି।  ଗାଁର ଆବର୍ଜନା ପରିଚାଳନା ପାଇଁ ସରକାର ପ୍ରତି ପଞ୍ଚାୟତରେ ୩ଟି ଅଳିଆଉଠା ଠେଲାଗାଡ଼ି ଓ ଗାଁ ମୁଣ୍ଡରେ ଗୋଟିଏ ଲେଖାଏଁ ଜୈବ ବିଘଟନ ଆବର୍ଜନା କୁଣ୍ଡର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉନାହିଁ।
ନାରଗୋଦା, ସିଜୁପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ଦଶବାଟିଆ, ବାଲିପଡ଼ା, କାଶୀପୁର, ବେଗୁନିଆବରାହୀ ଆଦି ୯ଟି ଗ୍ରାମକୁ ନେଇ ଗଠିତ ତମାଣ୍ଡୋ ପଞ୍ଚାୟତର ଜନସଂଖ୍ୟା  ୨୦ ହଜାରରୁ ଅଧିକ। ସ୍ବଚ୍ଛ ଭାରତ ମିସନ ଯୋଜନାରେ ପଞ୍ଚାୟତକୁ ୩ଟି ଅଳିଆବୁହା ଠେଲାଗାଡ଼ି ଦିଆଯାଇଥିଲା। ଏଥିରେ ଓଦା ଓ ଶୁଖିଲା ଆବର୍ଜନା ପାଇଁ ୨ଟି ଡାଲା ରହିଥିଲା। ଘରୁ ଘରୁ ପୃଥକ୍‌ ଭାବେ ଆବର୍ଜନା ସଂଗ୍ରହ ଯୋଜନା ରହିଥିଲା। ଯୋଜନାକୁ ୨ ବର୍ଷ ପୂରିଥିଲେ ମଧ୍ୟ ଅଳିଆବୁହା ଠେଲାଗାଡ଼ି ପଞ୍ଚାୟତ ଅଫିସ୍‌ରେ ମୁହଁ ମାଡ଼ି ପଡ଼ିଛି। 
ସେହିପରି  ସୁଆଙ୍ଗ, ସିଜୁଆ, ଛୋଟରାୟପୁର, ସରକନ୍ତରା, ବାହାଦଲପୁର, ହାଟସାହି, ଦାମୋଦରପୁର, ରଣସିଂହପୁର ଓ ଶ୍ରୀନିବାସପୁର ଆଦି ୯ଟି ଗ୍ରାମକୁ ନେଇ ଗଠିତ ରଣସିଂହପୁର ପଞ୍ଚାୟତର ଜନସଂଖ୍ୟା ୧୮ ହଜାରରୁ ଅଧିକ। ଗାଁ ମୁଣ୍ଡରେ ଆବର୍ଜନା କୁଣ୍ଡ ଅଛି। ଠେଲାଗାଡ଼ି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। କିନ୍ତୁ ଦିନେ ହେଲେ ଗାଡ଼ି ଆବର୍ଜନା ଉଠାଇବାକୁ ଆସୁନାହିଁ।  ଦାରୁଠେଙ୍ଗ ପଞ୍ଚାୟତର ଭାଲୁଙ୍କ, ଚୂଡ଼ଙ୍ଗ, କୃଷ୍ଣନଗର, ଯୁଝଗଡ଼, ଭୁଆସୁଣି, ଦାରୁଠେଙ୍ଗ, ଶ୍ୟାମସୁନ୍ଦରପୁର ଓ ତୁଳସୀଦେଈପୁର ଭଳି ୮ଟି ରାଜସ୍ବ ଗ୍ରାମରେ ପ୍ରାୟ ୧୫ ହଜାର ଲୋକ ବସବାସ କରନ୍ତି। ଏହି ପଞ୍ଚାୟତରେ ବିଏମ୍‌ସିର ଚର୍ଚ୍ଚିତ ଡମ୍ପିଂୟାର୍ଡ ରହିଛି। ସାରା ସହରର ଆବର୍ଜନା ଏଠାରେ ବର୍ଷ ବର୍ଷ ଧରି ଗଦା ହେଉଛି। କିନ୍ତୁ ଏହି ସବୁ ଆବର୍ଜନା ଉଠୁ ନାହିଁ। ଏ ସମସ୍ତ ଗ୍ରାମର ଆବର୍ଜନା ସଂଗ୍ରହ ପାଇଁ ୩ଟି ଠେଲାଗାଡ଼ି ସରକାର ‌ଯୋଗାଇ ଦେଇଛନ୍ତି। ସଫେଇ ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦେବା ଯୋଜନା ରହିଛି। ସରକାରୀ ହିସାବରେ ଅଳିଆଗାଡ଼ି ବୋହୁଥିବା‌ କର୍ମଚାରାୀଙ୍କୁ ଘର ପିଛା ୫ ଟଙ୍କା ହିସାବରେ ପ୍ରଦାନ କରାଯିବ। ଏହା ସ୍ବଳ୍ପ ପରିମାଣର ହେଉଥିବାରୁ କେହି ରାଜି ହେଉନାହାନ୍ତି। ଏଣୁଏହା କାର୍ଯ୍ୟକାରୀ ହୋଇ ପାରୁନି। ଫଳରେ ପ୍ରତି ପଞ୍ଚାୟତ ପାଇଁ ବାର୍ଷିକ ଘରପିଛା ୧୨୯ ଟଙ୍କ‌‌‌ା ଲେଖାଏ ଯେଉଁ ଟଙ୍କା ମିଳୁଛି ସେଥିରୁ ଗ୍ରାମର ସମସ୍ତ ଖର୍ଚ୍ଚ ଯିବାପରେ ‌ବାର୍ଷିକ ‌କେବଳ ୩ ଥର ଗ୍ରାମର ସଫେଇ ହେଉଛି। ଗଙ୍ଗାପାଟଣା ସରପଞ୍ଚ ସୁନିଲ ମୁଦୁଲିଙ୍କ କହିଛନ୍ତି, ୩ଟି ଗାଡ଼ି ପଞ୍ଚାୟତରେ ଥୁଆ ହୋଇଛି।  ପଞ୍ଚାୟତ ଟଙ୍କାରେ ଯାହା ସଫା ହୋଇ ପାରିବ କରାଯାଉଛି। ଯଦି ସରକାର ଏହାକୁ ପରିଚାଳନା ପାଇଁ ସହଯୋଗ କରନ୍ତେ ତେବେ ଅଞ୍ଚଳରୁ ଅଳିଆ ସଫା ହୋଇ ପାରନ୍ତା।
ତମାଣ୍ଡୋ ଗ୍ରାମର ବିଦ୍ୟାଧର ମହାଲିକ କହିଛନ୍ତି, ଯେଉଁଗାଡ଼ି ଗାଁ ସଫା କରିବାକୁ ଆସୁଛି, ସେମାନେ ମାସକୁ ୩୦୦ ଟଙ୍କା ମାଗୁଛନ୍ତି। ଲୋକ ଦେଉନଥିବାରୁ ଗ‌ାଡ଼ି ଆବର୍ଜନା ଉଠାଉନି। ସରକାରୀ ଗାଡ଼ି ସହ ଆଉ ଏକ ଘରୋଇ ଗାଡ଼ି ମଧ୍ୟ ଆବର୍ଜନା ଉଠାଉଛି। କିନ୍ତୁ ଆବର୍ଜନା ଖତ ହେବା ପାଇଁ କୁଣ୍ଡ ନ ଥିବାରୁ ସଂଗ୍ରହ ହେଉଥିବା ଆବର୍ଜନା ମଧ୍ୟ ଏଣେତେଣେ ଫିଙ୍ଗି ଦିଆଯାଉଛି।