କେବେ ସରିବ ବାତ୍ୟା ଅଳିଆ?

ପ୍ରତିଦିନ ଉଠୁଛି ୮୦୦ ଟନ୍‌, ତଥାପି ସରୁନି, ଏବେ ବି ୧୨ଟି ସ୍ଥାନରେ ଜମା ହୋଇଛି ଅଳିଆ, ବିଦ୍ୟାଳୟ ପଡ଼ିଆ ସଫେଇ ସରିଛି

ଭୁବନେଶ୍ବର : ବା‌ତ୍ୟା ‘ଫନି’ରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ଭୁବନେଶ୍ୱର ସହର। ହଜାର ହଜାର ଗଛ ଭାଙ୍ଗିପଡ଼ିଲା। କଚ୍ଚା ଘର ଭାଙ୍ଗିବା ସହ ଫନିର ପ୍ରକୋପରୁ ଆଜବେଷ୍ଟସ୍‌ ଘର ମଧ୍ୟ ବର୍ତ୍ତି ପାରିଲାନି। ସରକାରଙ୍କ ପକ୍ଷରୁ ପିଇବା ପାଣି, ବିଜୁଳି ଆଦି ଯୋଗାଇଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନିଆଗଲା। ଫଳସ୍ବରୂପ ବାତ୍ୟାର ୩୮ ଦିନ ପରେ ସହର ପୁଣିଥରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ବିଜୁଳି ସଂଯୋଗ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପିଇବା ପାଣି ସ୍ବାଭାବିକ ହୋଇଛି। ରାସ୍ତାଘାଟ ସଫେଇ ବି ସରିଛି। ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ ମଧ୍ୟ ଅଳିଆ ଅଡ଼ୁଆ ଏବେ ଚିନ୍ତାର ବିଷୟ ପାଲଟିଲାଣି। ଦେଢ଼ ମାସ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାରା ସହରରୁ ଅଳିଆ ଉଠିପାରିନି। ଯୁଆଡ଼େ ଚାହିଁଲେ ସିଆଡ଼େ କେବଳ ଅଳିଆ ହିଁ ଅଳିଆ।

ବାତ୍ୟା ପରେ ଭୁବନେଶ୍ୱରରେ ଜମି ରହିଥିବା ଅଳିଆକୁ ସହରର ୩୬ଟି ସ୍ଥାନରେ ଗଦା କରାଯାଇଥିଲା। ସେ‌ଠାରୁ ପ୍ରତିଦିନ ଶତାଧିକ ଟ୍ରିପ୍‌ ଅଳିଆ ଗାଡ଼ି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନିଆଯାଉଛି। ୨୦ ଦିନ ହେଲା ଅଳିଆ ବୁହା ଚାଲୁଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି। ସେପଟେ ୩୬ଟି ସ୍ଥାନରେ ଗଦା ହୋଇଥିବା ଅଳିଆ ସଂଖ୍ୟା ଏବେ ୧୨କୁ ହ୍ରାସ ପାଇଛି। ତଥାପି ଏବେ ବି ସହିଦନଗର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ଡମଣା, ବାଣୀବିହାର, ଆଚାର୍ଯ୍ୟ ବିହାର, ନୟାପଲ୍ଲୀ, ବରମୁଣ୍ଡା, ଗଙ୍ଗନଗର, ପୁରୁଣା ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଅଳିଆ ଜମା ହୋଇ ରହିଛି। ସହରର କେତେକ ସ୍ଥାନରେ ରାସ୍ତାପାର୍ଶ୍ବରେ ବି କୁଢ଼କୁଢ଼ ଅଳିଆ ଜମା ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି ଯେ ଭୁବନେଶ୍ବର ବାସିନ୍ଦାଙ୍କ ଜୀବନଶୈଳୀ ଯାହା ସେଥିରେ ଦିନକୁ ମୁଣ୍ଡ ପିଛା ସର୍ବାଧିକ ୫୦୦ ଗ୍ରାମ୍‌ ଆବର୍ଜନା ବାହାରିବ। ସେହି ହିସାବରେ ଦେଖିଲେ ଭୁବନେଶ୍ବରର ଜନସଂଖ୍ୟା ଯେତିକି ରହିଛି ପ୍ରତିଦିନ ୫୫୦ ଟନ୍‌ ଆବର୍ଜନା ବାହାରୁଛି। ଏଥିସହ ବାତ୍ୟା ଅଳିଆ ଚିନ୍ତା ବଢ଼ାଇ ଦେଇଛି। ବାତ୍ୟା ଯୋଗୁଁ ଭାଙ୍ଗିପଡ଼ିଥିବା ଗଛ ଡାଳ, ପତ୍ର ଆଦି ସ୍ଥିତିକୁ ଅଧିକ ସଙ୍ଗିନ କରିଛି। ପୂର୍ବରୁ ପ୍ରତିଦିନ ୫୫୦ ଟନ୍‌ ଅଳିଆ ବାହରୁଥିବା ବେଳେ ଏବେ ପ୍ରତିଦିନ ୮୦୦ ଟନ୍‌ରୁ ଅଧିକ ଅଳିଆ ଡର୍ମ୍ପିଂୟାର୍ଡକୁ ନିଆଯାଉଛି। ୨୫୦ ଟନ୍‌ ଅଧିକ ଅଳିଆ ନିଆଯାଉଥିଲେ ମଧ୍ୟ ସହରରୁ ଅଳିଆ ସରୁନି। ଆଗକୁ ମୌସୁମୀ ଆସିବାକୁ ଥିବାରୁ ଏଥିପ୍ରତି ଗୁରୁତ୍ବ ଦିଆଯାଉଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଅଳିଆ ଉଠାଇବା ଦିଗରେ ପଦକ୍ଷେପ ନେବାକୁ ସଫେଇ ସଂସ୍ଥାଗୁଡ଼ିକୁ କୁହାଯାଇଛି।

ଫନି ପ୍ରଭାବରେ ରାଜଧାନୀରେ ଭାଙ୍ଗିଯାଇଥିବା ଓ ଉପୁଡ଼ି ପଡିଥିବା ଗଛଗୁଡ଼ିକୁ କାଟି ସହରର ଅଧିକାଂଶ ବିଦ୍ୟାଳୟ, ମନ୍ଦିର ପଡ଼ିଆରେ ଗଦା କରାଯାଇଥିଲା। ତେବେ ଆସନ୍ତା ୧୯ ତାରିଖରେ ବିଦ୍ୟାଳୟ ଖୋଲୁଥିବାରୁ ଏହାପୂର୍ବରୁ ବିଦ୍ୟାଳୟ କ୍ୟାମ୍ପସ୍‌ ଓ ଖେଳ ପଡ଼ିଆରେ ଜମା ହୋଇଥିବା ଅଳିଆ ଉଠାଇବାକୁ କୁହାଯାଇଛି। ତାହାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟାଳୟ ପରିସରରୁ ଅଳିଆ ଉଠାଯାଉଛି। ବିଦ୍ୟାଳୟ ପରିସରରେ ଜମା ହୋଇଥିବା ଅଳିଆ ଇତି ମଧ୍ୟରେ ଉଠିଯାଇଛି। ଗୋଟିଏ ଦୁଇଟି ବିଦ୍ୟାଳୟ ନିକଟରେ ଅଳିଆ ରହିଛି। ତାହାକୁ ରଜ ଭିତରେ ଉଠାଇ ଦିଆଯିବ। ଅଳ୍ପ କିଛି ମନ୍ଦିର ଓ ଖୋଲା ପଡ଼ିଆରେ ଅଳିଆ ପଡ଼ିରହିଛି। ତାହାକୁ ସଫା କରିବାକୁ ଆଉ ୧୦ ଦିନ ସମୟ ଲାଗିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପ୍ରଚଣ୍ଡ ଖରା ହେବାର ଆଶଙ୍କା ରହିଛି। ତେଣୁ ଗଦା ହୋଇ ରହିଥିବା ଶୁଖିଲା ଡାଳପତ୍ରରେ କାଳେ ନିଆଁ ଲାଗି ଅଘଟଣ ଘଟିବ ସେଥିପାଇଁ ପରିସ୍ଥିତ ଉପରେ ଦୃଷ୍ଟି ଦେଇ ପାଣି ସିଞ୍ଚନ ଜାରି ରଖିବାକୁ ଅଗ୍ନିଶମ ବିଭାଗକୁ କୁହାଯାଇଛି। ପୂର୍ବରୁ ଅଗ୍ନିଶମ ବିଭାଗର ୧୨ଟି ଗାଡ଼ି ଓ ପ୍ରାୟ ୪୦ ଜଣ କର୍ମଚାରୀ ବୁଲି ବୁଲି ପାଣି ସିଞ୍ଚନ କରିଥିଲେ। ଗତ ସପ୍ତାହରେ ଦୁଇ ଦିନ କାଳବୈଶାଖୀ ବର୍ଷା ହେବାରୁ ପାଣି ସିଞ୍ଚନକୁ ବନ୍ଦ କରାଯାଇଥିଲା। ଏବେ ଯଦି ପୁଣି ତାତି ବିଢ଼ିବ ତେବେ ପ୍ରତିଦିନ ଅଳିଆ ଗଦାରେ ପାଣି ପକାଇବାକୁ ଯୋଜନା କରାଯାଇଛି।
ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ନିଆଁ ଲାଗିବା ଯୋଗୁଁ ସହରର ଯେଉଁଠି ଅଳିଆ ପକା ଯାଉଥିଲା ଲୋକେ ବିରୋଧ କରିଥିଲେ। ତେଣୁ ଅଳିଆ ଉଠାଇବାରେ ସମସ୍ୟା ଦେଖାଦେଇଥିଲା। ଦାରୁଠେଙ୍ଗକୁ ଦୁଇ ଦିନ ଅଳିଆ ଗାଡ଼ି ଯାଇପାରି ନଥିଲା। ତେଣୁ ବିଳମ୍ବ ହୋଇଛି। ତଥାପି ଆସନ୍ତା ୧୫ ଦିନ ମଧ୍ୟରେ ବାତ୍ୟାରେ ଜମା ହୋଇଥିବା ସମସ୍ତ ଅଳିଆ ସହରରୁ ଉଠିବ।

ସମ୍ବନ୍ଧିତ ଖବର