ଚନ୍ଦ୍ରଶେଖରପୁର: ଗଦା ହୋଇଥିବା ଅଳିଆ ଆବର୍ଜନା ଜାନୁଆରି ସୁଦ୍ଧା ସରିଯିବ। ତା’ପରେ ଟିଟିଏସ୍କୁ ଯାହା ଅଳିଆ ଆସିବ ସେଗୁଡ଼ିକ ନିୟମିତ ଭାବେ ପ୍ରକ୍ରିୟାକରଣ ହେବ। ଆଉ ଦୁର୍ଗନ୍ଧ ହେବ ନାହିଁ। ଅଞ୍ଚଳବାସୀ ଶାନ୍ତିରେ ରହିବେ। ଡିସେମ୍ବର ମାସରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୈନିକ ସ୍କୁଲ ନିକଟରେ ଥିବା ଅଳିଆ ଗଦା ଗସ୍ତ କରିବା ସମୟରେ ଏଭଳି ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ କଥା ଶୁଣି ଅଞ୍ଚଳବାସୀ ଆଶ୍ବସ୍ତ ହୋଇଥିଲେ। ଭାବି ନେଇଥିଲେ ପ୍ରତିଶ୍ରୁତି ଅନୁଯାୟୀ ଜାନୁଆରି ସୁଦ୍ଧା ସବୁ ସରିଯିବ। ଇତିମଧ୍ୟରେ ଜାନୁଆରି ଯାଇ ଫେବ୍ରୁ୍ଆରି ବି ଚାଲିଗଲାଣି। ତା’ସତ୍ତ୍ବେ ମଧ୍ୟ ଆଳିଆ ଗଦାରେ ସେଭଳି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ବରଂ ଚାରିପାଖରେ ବିଶାଳ ପାଚେରି କରି ଅଳିଆ କେଳେଙ୍କାରୀ ଲୁଚାଇବାକୁ ଲାଗିପଡ଼ିଛନ୍ତି। ଭିତରେ କ’ଣ ଘଟୁଛି ବାହାର ଲୋକ କେହି କିଛି ଜାଣିପାରୁ ନାହାନ୍ତି। ଅଳିଆ ଗଦା ହଟାଇବା ବଦଳରେ ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ପ୍ରତାରଣା କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସମ୍ମୁଖରେ ବିଏମ୍ସି ଅଧିକାରୀମାନେ ଯେଉଁ ସୁନେଲି ସ୍ବପ୍ନ ଦେଖାଇଥିଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଘରୋଇ ବିପଜ୍ଜନକ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ ପାଇଁ ଟିଟିଏସ୍ରେ ଦୈନିକ ୧୦ ଟନ୍ ପ୍ଲାଜମା(ଟିପିଡି) ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା ହେଉଛି। ୧୫ ଟିପିଡି ସେମି-ଅଟୋମେଟିକ୍ ଏମ୍ଆରଏଫ୍ ସୁବିଧା ଜାନୁଆରିରେ କାର୍ଯ୍ୟକ୍ଷମ ହେବ। ଶୁଖିଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପଳାସୁଣିଠାରେ ୧୫୦ ଟିପିଡି ବିଶିଷ୍ଟ ସେମି-ସ୍ବୟଂଚାଳିତ ଏମ୍ଆରଏଫ୍ ସୁବିଧା ଜାନୁଆରି ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଦୈନିକ ୫୦୦ କେଜି ଫୁଲ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ମେସିନ୍ ଜାନୁଆରିରେ କାର୍ଯ୍ୟକ୍ଷମ ହେବ। ଦୈନିକ ୨୦ରୁ ୨୫ ମେଟ୍ରିକ୍ ଟନ୍ ସବୁଜ ବର୍ଜ୍ୟ ପ୍ରକ୍ରିୟାକରଣ କରିବାକୁ ପଳାସୁଣିଠାରେ ପ୍ରତିଷ୍ଠା କରାଯାଇଥିବା ବାୟୋମାସ୍ ବ୍ରିକେଟ୍ ପ୍ଲାଣ୍ଟ ୨୦୨୫ ଫେବ୍ରୁଆରିରୁ କାର୍ଯ୍ୟକ୍ଷମ ହେବ। ପଳାଶୁଣିଠାରେ ଦୈନିକ ୩ରୁ ୫ ହଜାର ନଡ଼ିଆ ବର୍ଜ୍ୟକୁ ପ୍ରକ୍ରିୟାକରଣ କରିବାକୁ ଏକ ୟୁନିଟ୍ ପ୍ରତିଷ୍ଠା ହେଉଛି, ଯାହାକି ଜାନୁଆରିରୁ କାର୍ଯ୍ୟକ୍ଷମ ହେବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ଟିଟିଏସ୍ରୁ ଚାପ କମିବ ବୋଲି ସେମାନେ ଦର୍ଶାଇଥିଲେ।
ଧାର୍ଯ୍ୟ ଅବଧିରେ କଲେନି
ମନ୍ତ୍ରୀଙ୍କୁ ଭଣ୍ଡେଇଦେଲେ
ବିଜେପିର ସ୍ପଷ୍ଟ ନୀତି ନାହିଁ
ଜାନୁଆରି ଓ ଫେବ୍ରୁଆରି ମାସରେ ଏତିକି କାମ ସାରିବାକୁ ସରକାରୀ ବାବୁମାନେ ମନ୍ତ୍ରୀଙ୍କ ଆଗରେ ବାହାସ୍ପୋଟ୍ ମାରିଥିଲେ। ପଳାସୁଣିରେ ୫ ମେଟ୍ରିକ୍ ଟନ୍ ଗୃହନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ଏବଂ ୨.୫ ଟନ୍ କମ୍ ମୂଲ୍ୟଯୁକ୍ତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପେଭର ବ୍ଲକ ଉତ୍ପାଦନ ପାଇଁ ଏକ ୟୁନିଟ୍ ପ୍ରତିଷ୍ଠା କରାଯିବ। ୫୦ ଟିପିଡି କ୍ଷମତା ବିଶିଷ୍ଟ ୬ଟି ବର୍ଜ୍ୟବସ୍ତୁ ସ୍ଥାନାନ୍ତର କେନ୍ଦ୍ର ପ୍ରତିଷ୍ଠା ହେବ। ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କଂପ୍ରେସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି। ତାହାକୁ ୨୦୦ ଟିପିଡି ବିଶିଷ୍ଟ ଏବଂ ଏହାକୁ ୩୦୦ ଟିପିଡିକୁ ସମ୍ପ୍ରସାରଣ କରାଯାଇପାରିବ। ମନ୍ତ୍ରୀ ଶ୍ରୀ ମହାପାତ୍ର ମଧ୍ୟ ବିଶ୍ବାସ କରିନେଇଥିଲେ ଯେ ଧାର୍ଯ୍ୟ ସମୟରେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବୁ। ହେଲେ କାମ ସରିବ କ’ଣ, କେଉଁଠି ଅଧା ତ ଆଉ କେଉଁଠି ନଡ଼ିଆ ବି ବାଡ଼ିଆ ହୋଇନାହିଁ।
ଚିନ୍ତାର ବିଷୟ ହେଉଛି ଯେ ଅଳିଆଗଦାକୁ ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ ନୀତି ଆପଣାଇ ପାରିନାହାନ୍ତି। ସହର ଭିତରରୁ ଅଳିଆ ଗଦା ହଟାଇବା ଦାବିରେ ୨୦୨୩ ନଭେମ୍ବର ଶେଷ ସପ୍ତାହରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ସେତେବେଳର ବିଧାୟକ ମୋହନ ଚରଣ ମାଝୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ବିଧାୟକ ଓ ଦଳର ବରିଷ୍ଠ ନେତାମାନେ ୨୧ ଦିନ ସତ୍ୟାଗ୍ରହରେ ବସିଥିଲେ। ଅଳିଆ ଗଦା ନ ହଟିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ବିରୋଧୀ ଦଳରେ ଥିବା ବିଜେପି ଆଜି କ୍ଷମତାକୁ ଆସିଛି। କ୍ଷମତାରେ ଥିଲେ ମଧ୍ୟ ଅଳିଆ ଗଦା ହଟାଇବା ଦିଗରେ କାଣିଚାଏ ବି ପଦକ୍ଷେପ ନିଆଯାଇ ନାହିଁ। ବରଂ ଅଳିଆ ଦୁର୍ଗନ୍ଧରେ ସହରବାସୀ ଏବେ ମଧ୍ୟ ଘାଣ୍ଟି ହେଉଛନ୍ତି।