ଭୁବନେଶ୍ବର: ସ୍ମାର୍ଟସିଟି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ବିଏମ୍ସି ପ୍ରତିଶ୍ରୁତିବଦ୍ଧ। ଏଭଳି ପ୍ରଚାର କରୁଛି ବିଏମ୍ସି। ହେଲେ ଏହା ଯେ ଜନସାଧାରଣଙ୍କ ସ୍ବାର୍ଥଠାରୁ ଅନେକ ଦୂରରେ, ତାହା ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ୍ (ଟିଟିଏସ୍)କୁ ଦେଖିଲେ ଜଳଜଳ ଦିଶୁଛି। ଦୀର୍ଘ ୪ ଦିନ ହେବ ସହର ସାରାର କୁଢ଼କୁଢ଼ ଆବର୍ଜନା ଏହି ଅସ୍ଥାୟୀ ଡମ୍ପିଂୟାର୍ଡରେ ଗଦା ହୋଇଥିଲେ ମଧ୍ୟ ବିଏମ୍ସି ଜାଣି ଅଜଣା ହେଉଛି। ଏଠାରୁ ଅଳିଆ ଉଠାଇବାକୁ ପଦକ୍ଷେପ ନେଉନି। ଆଉ ଏହାର କୁଫଳ ଭୋଗୁଛନ୍ତି ରାଜଧାନୀବାସୀ। ଆଖପାଖ ଅଞ୍ଚଳ ଏବେ ଗନ୍ଧରେ ଫାଟି ପଡ଼ୁଛି।
ସୂଚନାନୁଯାୟୀ, ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାଙ୍କର କୋଟିକୋଟି ଟଙ୍କା ବାକି ରଖିଥିବାରୁ ସେମାନେ ଏବେ ମନଇଚ୍ଛା କାମ କରୁଛନ୍ତି। ଦିନେ ଅଳିଆ ଉଠାଇଲେ ଦୁଇ ଦିନ ଉଠାଉ ନାହାନ୍ତି। ଅପରପକ୍ଷେ ଟଙ୍କା ବାକି ରଖିଥିବାରୁ ବିଏମ୍ସି ବି ସେମାନଙ୍କୁ ନାଲି ଆଖି ଦେଖାଇପାରୁନି। ବିଏମ୍ସିର ଅଫିସ୍ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ବରକୁ ସ୍ବଚ୍ଛ କରିବା ପାଇଁ ବିଏମ୍ସି ବର୍ଷକୁ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ କରୁଛି। ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜଣେ ଚିଫ୍ ଇଞ୍ଜିନିୟର ମଧ୍ୟ ଅଛନ୍ତି। କେବଳ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ରୢାଙ୍କ୍ ପାଇଁ ନୁହେଁ, ବରଂ ସ୍ମାର୍ଟ ସିଟିରେ ସ୍ବଚ୍ଛତାକୁ ଏକ ମିସନ୍ ମୋଡ୍ରେ ନେଇଥିବା ପ୍ରଚାର କରୁଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏ ସମସ୍ୟା ଆଜିର ନୁହେଁ ବରଂ ବର୍ଷ ବର୍ଷ ଧରି ରହିଛି। ଉଚିତ୍ ସମୟରେ ବିଏମ୍ସି ପ୍ରାପ୍ୟ ପ୍ରଦାନ କରୁନଥିବାରୁ ଅତୀତରେ ବି ଏ ସମସ୍ୟା ଦେଖାଦେଇଛି। ପ୍ରାପ୍ୟ ମିଳିବାରେ ଦୁଇମାସରୁ ଅଧିକ ବିଳମ୍ବ ହେଲେ ଘରୋଇ ସଂସ୍ଥାମାନଙ୍କ ପକ୍ଷରେ ଆଉ ସମ୍ଭାଳିବା ସମ୍ଭବ ହେଉ ନାହିଁ। କାରଣ କର୍ମଚାରୀମାନେ ଦିନ ମଜୁରି ହିସାବରେ ଟଙ୍କା ନେଇ ଯାଉଛନ୍ତି। ଗାଡ଼ିରେ ତେଲ ପଡ଼ିଲେ ହିଁ ଗାଡ଼ି ବାହାରକୁ ବାହାରି ପାରୁଛି। ଏ ସବୁ ନଗଦ ଖର୍ଚ୍ଚ ରହିଥିବାରୁ ଉଚିତ୍ ସମୟରେ ଟଙ୍କା ନମିଳିଲେ ସବୁ ବିଗିଡ଼ି ଯାଉଛି।
ଏହି ସମସ୍ୟା ପୂର୍ବରୁ ରହିଥିଲା। ଦେୟ ମିଳିବାରେ କିନ୍ତୁ ଦୁଇମାସରୁ ଅଧିକ ହେଉନଥିଲା। ଯେତେ ସମସ୍ୟା ରହିଲେ ବି ପଇସା ମିଳି ଯାଉଥିଲା। କିନ୍ତୁ ଏବେ ବଡ଼ ସମସ୍ୟା ହେଉଛି, ବିଏମ୍ସି ପ୍ରଶାସକ ଯିଏ କି ବିଭାଗୀୟ ସଚିବ ଅଛନ୍ତି ଓ ଖୋଦ୍ କମିସନର ଉଭୟ ଅଫିସ୍ ଆସୁ ନାହାନ୍ତି।
କମିସନର ବିଡିଏରେ ବସୁଛନ୍ତି ତାଙ୍କ ପାଖକୁ ବିଏମ୍ସିରୁ ଫାଇଲ୍ ଯାଉଛି। ସଚିବଙ୍କ ପାଖକୁ ମଧ୍ୟ ଫାଇଲ୍ ଯାଉଛି। ଏହି ଦେୟ ନ ଦେଲେ ପରିମଳ ବ୍ୟବସ୍ଥା ଯେ ଭୁଶୁଡ଼ି ପଡ଼ିବ ଏ କଥା ସଚିବଙ୍କୁ ବୁଝାଇବାକୁ କେହି ଅଫିସର ଯାଉନାହାନ୍ତି। ଫଳରେ ଫାଇଲ୍ କ୍ଲିୟର ହେଉନାହିଁ, କି ଦେୟ ମିଳୁନାହିଁ। ଏବେ ଏହି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ୪ ମାସ ହେଲା ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବାକି ପଡ଼ିଛି। ଟିଟିଏସ୍କୁ ଦିନକୁ ୫ଶହ ଟନ୍ ଆବର୍ଜନା ଯାଉଛି। କିନ୍ତୁ ମାତ୍ର ଶହେରୁ ଦେଢ଼ଶହ ଟନ୍ ଆବର୍ଜନା ପରିଚାଳନା ସମ୍ଭବ ହେଉଥିବାରୁ ଦିନକୁ ସାଢ଼େ ୩ଶହରୁ ୪ଶହ ଟନ୍ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ପରିସ୍ଥିତି ଅଣାୟତ୍ତ ହେବାକୁ ବସିଥିଲେ ମଧ୍ୟ ବିଏମ୍ସିର ନିଦ ଭାଙ୍ଗୁ ନାହିଁ। ବିଏମ୍ସିର ସେଇ ପୁରୁଣା ଉତ୍ତର, ଅଭିଯୋଗ ଥିବାରୁ ଦେୟ ବନ୍ଦ ରଖାଯାଇଛି। ପ୍ରଶ୍ନ ଉଠୁଛି ଅଭିଯୋଗ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ? ନା ନିଜ ଅପାରଗତାକୁ ଲୁଚାଇବା ପାଇଁ ରାଜଧାନୀବାସୀଙ୍କ ସ୍ବାର୍ଥକୁ ବାଜିରେ ଲଗାଇ ବିଏମ୍ସି ଅଭିଯୋଗର ବାହାନା କରିଛି?