ହିତେଶ ନାୟକ
ଭୁବନେଶ୍ବର: ସାଢ଼େ ୩ ବର୍ଷରେ ଭୁଆସୁଣିରୁ ହଟିବ ଆବର୍ଜନାର ପାହାଡ଼। ବାୟୋମାଇନିଂ ଦ୍ବାରା ୬୦ଏକର ଜମିକୁ ଆବର୍ଜନାମୁକ୍ତ କରାଯାଇ ପୂର୍ବାବସ୍ଥାକୁ ଫେରାଇ ଅଣାଯିବ। ଆଉ ଏଥିପାଇଁ ୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଏହି ବାୟୋମାଇନିଂ ପାଇଁ ଜିଗ୍ମା, କିଟ୍ ଓ ନାସିକ୍ ୱେଷ୍ଟମ୍ୟାନେଜ୍ମେଣ୍ଟ, ଆକାଂକ୍ଷା ଓ ସ୍ବଚ୍ଛ ଏନ୍ଭାୟାରମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାଗୃତି ଭଳି ୪ଟି ସଂସ୍ଥା ଆବେଦନ କରିଛନ୍ତି। ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେବଳ କ୍ୟାବିନେଟ୍ ମଞ୍ଜୁରିକୁ ଅପେକ୍ଷା ରହିଛି। କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ୪୨ ସପ୍ତାହ ଅର୍ଥାତ ସାଢ଼େ ୩ ବର୍ଷରେ ସେଠାରୁ ଆବର୍ଜନା ହଟାଯିବ ବୋଲି ବିଏମ୍ସି ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।
ବର୍ତ୍ତମାନ ସମସ୍ତ ୱାର୍ଡରୁ ପ୍ରତିଦିନ ୪ ଟନ୍ରୁ ସାଢ଼େ ୪ ଟନ୍ ଆବର୍ଜନା ଡମ୍ପିଂୟାର୍ଡରେ ପଡ଼ୁଛି। ତେଣୁ ସର୍ଭେ ପର୍ଯ୍ୟନ୍ତ ଯାହା ଆବର୍ଜନା ଗଦା ହୋଇଥିଲା ତାହା ୧୬ଲକ୍ଷ ଟନ୍ ଥିଲା। ତାହ ବଢ଼ିବଢ଼ି ଚାଲିଛି। ଯେଉଁ ସଂସ୍ଥା ବାୟୋ ମାଇନିଂ କରିବାକୁ ଅନୁମୋଦନ ପାଇବ ଉକ୍ତ ସଂସ୍ଥା ସାଢ଼େ ୩ ବର୍ଷରେ ସମସ୍ତ କାର୍ଯ୍ୟ କରିବ। ଦୈନିକ ୨ହଜାର ଟନ୍ ଆବର୍ଜନାର ପୃଥକୀକରଣ ଓ ପ୍ରକ୍ରିୟାକରଣ କରିବ। ଏଥିରେ ଜୈବ ଆବର୍ଜନାରୁ ଖତ ବାହାରିବ। ଅଜୈବ ଆବର୍ଜନା ତଥା ପ୍ଲାଷ୍ଟିକ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ପୃଥକ କରି ରଖିବ। ଖତକୁ ବିକ୍ରି କରାଯାଇ ସେଥିରୁ ରାଜସ୍ବ ମଧ୍ୟ ଆଦୟ ହେବ। ଏହି ସମସ୍ତ ପ୍ରକ୍ରିୟା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବର୍ଜ୍ୟ ପରିଚାଳନା ନିୟମ-୨୦୧୬ ଅନୁଯାୟୀ ହେବ।
ଅନ୍ୟପଟେ ପୃଥକୀକରଣ ବାବଦକୁ ଖର୍ଚ୍ଚ ନେଇ ଯେଉଁ ବିବାଦ ଦେଖାଦେଇଥିଲା, ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। କାଣର ପ୍ରତି ମେଟ୍ରିକ ଟନ୍ ଆବର୍ଜନାର ପୃଥକୀକରଣ ପାଇଁ ୭୦୦ଟଙ୍କା ହିସାବରେ ୬୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଚେନ୍ନାଇରେ ଏକ ସଂସ୍ଥା ୭୦୦ଟଙ୍କା ହିସାବରେ ବାୟୋମାଇନିଂ କରୁଥିବାରୁ ବିଏମ୍ସି କର୍ତ୍ତୃପକ୍ଷ ସେହି ହିସାବ ନେଇଥିଲେ। କିନ୍ତୁ ଏହା ଅଧିକ ହୋଇଯାଉଛି ବୋଲି ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ କହିଥିଲେ। ଏହାପରେ କିଟ୍ ବିଶ୍ବବିଦ୍ୟାଳୟକୁ ଏହାର ମୂଲ୍ୟାୟନ କରିବାକୁ ଦିଆଯାଇଥିଲା। କିଟ୍ର ଏକ ଟିମ୍ ଏହାର ସର୍ଭେ କରି ରିପୋର୍ଟ ଦେଇଥିଲା ଯେ ଭୁଆସୁଣିରେ ୯ ଲକ୍ଷ ମେଟ୍ରିକ ଟନ୍ ନୁହେଁ, ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ପଡ଼ିଛି। ଏହାର ପ୍ରକ୍ରିୟାକରଣ ପାଇଁ ପ୍ରାୟ ୧୦୦କୋଟି ଖର୍ଚ୍ଚ ହେବ। କିଟ୍ ସର୍ଭେ ଅନୁସାରେ ମେଟ୍ରିକ୍ ଟନ୍ ପିଛା ୭୦୦ ଟଙ୍କା ବଦଳରେ ୬୨୫ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯିବାରୁ ନଗର ଉନ୍ନୟନ ବିଭାଗର ଅଧିକାରୀ ରାଜି ହୋଇଯାଇଥିଲେ। ବର୍ତ୍ତମାନର ଆକଳନ ଅନୁଯାୟୀ ଏହି ଆବର୍ଜନାର ବାୟୋମାଇନିଂ ପାଇଁ ଟନ୍ ପିଛା ୬୪୬ ଟଙ୍କା ହିସାବରେ ୧୧୦କୋଟି ଖର୍ଚ୍ଚ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dg5j6gd4j64gdj65gd4j56gjdgjdgjddgj.jpg)
