ପରିବେଶ ପାଇଁ ବରଦାନ ପାଲଟିଲା ଲକ୍‌ଡାଉନ୍‌ : ଭୁବନେଶ୍ବରରେ କମିଲା ଆବର୍ଜନା

ଏପ୍ରିଲ ଓ ମେ’ ମାସରେ ସ୍ବାଭାବିକ ଠାରୁ କମ୍‌ ବାହାରିଲା
କୁଆଖାଇ ଓ ଦୟା ନଦୀ ଜଳର ପ୍ରଦୂଷଣ ମାତ୍ରା କମିଲା

ଚନ୍ଦ୍ରଶେଖରପୁର : ମାର୍ଚ୍ଚ ୨୪ରୁ ଜାରି ରହିଥିବା ଲକ୍‌ଡାଉନ୍‌ ଭୁବନେଶ୍ବର ପାଇଁ ବରଦାନ ସଦୃଶ ହୋଇଛି। ଗ୍ରୀଷ୍ମ ସମୟରେ ଗରମ କମିଛି। ସବୁଜମୟ ପରିବେଶ ଦେଖିବାକୁ ମିଳୁଛି। ଏଭଳି ସମୟରେ ପରିବେଶ ପାଇଁ ଆଉ ଏକ ଭଲ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ଭୁବନେଶ୍ବରରେ ଅଳିଆ ଆବର୍ଜନା ବହୁ ପରିମାଣରେ କମିଛି। ଦୈନିକ ଯେତିକି ପରିମାଣରେ ବର୍ଜ୍ୟବସ୍ତୁ ବାହାରୁଥିବା ତାହା ପରିମାଣ ହ୍ରାସ ପାଇଛି। ସହର ସ୍ବଚ୍ଛ ହେବା ସହ କୁଆଖାଇ ଓ ଦୟା ନଦୀ ଜଳ ପ୍ରଦୂଷଣ ମାତ୍ରା ବି କମିଛି। ସହର ମଧ୍ୟ ଦେଇ ଯାଇଥିବା କେନାଲ ଓ ଡ୍ରେନ୍‌ଗୁଡ଼ିକରେ ଆଗଭଳି ଅଳିଆ ଆବର୍ଜନା ଦେଖିବାକୁ ମିଳି ନ ଥିଲା।

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ସହରରୁ ଦୈନିକ ୫୫୦ ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରିଥାଏ। ସେହି ଅନୁଯାୟୀ ହିସାବକୁ ନେଲେ ମାସିକ ହାରାହାରି ୧୭ ହଜାର ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରେ। ବିବାହ, ମହୋତ୍ସବ, ପର୍ବପର୍ବାଣି ସମୟରେ ପ୍ରତିଦିନ ୬୫୦ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ନିର୍ଗତ ହୁଏ। ତେବେ ଚଳିତବର୍ଷ ଲକ୍‌ଡାଉନ୍‌ ସମୟରେ ବର୍ଜ୍ୟବସ୍ତୁ ପରିମାଣ ହ୍ରାସ ପାଇଛି। ଗତବର୍ଷ ମାର୍ଚ୍ଚ ମାସରେ ୧୯ ହଜାର ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରିଥିବା ବେଳେ ଏଥର ପ୍ରାୟ ୧୫ ହଜାର ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରିଛି। ମାର୍ଚ୍ଚ ୨୪ରୁ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯାଇଥିବାରୁ ବର୍ଜ୍ୟବସ୍ତୁ ପରିମାଣ ବହୁ ପରିମାଣ କମିଛି।

ସେହିପରି ଏପ୍ରିଲ ମାସ ମୁଖ୍ୟତଃ ବିବାହ ଋତୁ ହୋଇଥିବାରୁ ସହରର ସବୁ ଅଞ୍ଚଳରେ ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ପ୍ରତିଦିନ ୬୦୦ ମେଟ୍ରିକ୍‌ ଟନ୍‌ରୁ ଅଧିକ ବର୍ଜ୍ୟବସ୍ତୁ ବାହାରେ। ‌ତେବେ ଚଳିତବର୍ଷ ଏପ୍ରିଲ ମାସ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ରହିଥିବାରୁ ଗୋଟିଏ ବି ବିବାହ ହୋଇ ନ ଥିଲା। ଶିଳ୍ପ ସଂସ୍ଥା, ହୋଟେଲଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ଉଠାଦୋକାନୀ, ପରିବା ମାର୍କେଟ ବନ୍ଦ ଥିବାରୁ ବାହାରୁଥିବା ଅବର୍ଜନା ଅଧା କମିଥିଲା। ଏପ୍ରିଲ ମାସରେ ପ୍ରାୟ ୨୦ ହଜାର ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରୁ ଥିବା ବେଳେ ଏବର୍ଷ ୧୦ ହଜାର ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରିଛି। ମେ’ ମାସରେ ଲକ୍‌ଡାଉନ୍‌ ସାମାନ୍ୟ କୋହଳ ହେବା ପରେ ବର୍ଜ୍ୟବସ୍ତୁ ନିସ୍କାସନ ପରିମାଣ ବୃଦ୍ଧି ପାଇଥିଲା। ଏହି ମାସରେ ପ୍ରାୟ ୧୬ ହଜାର ମେଟ୍ରିକ୍‌ ଟନ୍‌ ଆବର୍ଜନା ବାହାରୁଥିବା ବେଳେ ଏଥର ୧୨ ହଜାର ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ ବାହାରିଛି। ଜୁନ୍‌ ପହିଲାଠାରୁ ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ସହ ବିବାହ ଲାଗି ଅନୁମତି ପ୍ରଦାନ କରାଯାଇଛି। ପରିବା ମାର୍କେଟ, ଉଠାଦୋକାନୀ ଆଦି ଖୋଲିଛି। ମଞ୍ଚେଶ୍ବର ଓ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ପୁଣିଥରେ କାର୍ଯ୍ୟ ଆରମ୍ଭ କରିଥିବାରୁ ବର୍ଜ୍ୟବସ୍ତୁ ପରିମାଣ ବୃଦ୍ଧି ପାଇଥିବା ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା‌ ଅନୁଯାୟୀ ମହାନଦୀ ପରି କୁଆଖାଇ, ଦୟା ନଦୀ ଜଳର ପ୍ରଦୂଷଣ ମାତ୍ରା ଏପ୍ରିଲ ଓ ମେ’ ମାସରେ କିଛି ମାତ୍ରାରେ ହ୍ରାସ ପାଇଛି। ସହରରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକରୁ ବାହାରୁଥିବା ଆବର୍ଜନା ପାଣି ମୁଖ୍ୟତଃ ଉକ୍ତ ଦୁଇ ନଦୀରେ ମିଶିଥାଏ। କେନାଲ, ଡ୍ରେନ୍‌ ମାଧ୍ୟମରେ ଯାଇ ନଦୀ ଜଳକୁ ପ୍ରଦୂଷଣ କରେ। ତେବେ ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ଲକ୍‌ଡାଉନ୍‌ ଥିବାରୁ ନଦୀ ଜଳର ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି।

ସମ୍ବନ୍ଧିତ ଖବର