ଅଳିଆ ପକା-ଉଠାରେ ହେର୍‌ଫେର୍‌, ଲୋକାୟୁକ୍ତରେ ୧୧କୋଟିର ମାମଲା

୨୪ କୋଟି ଉପରେ ପୁଣି ଉଠିଲା ଆପତ୍ତି, ଅଧିକାରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁ ଅଡିଟ୍‌ ଟିମ୍‌

ଭୁବନେଶ୍ବର: ରାଜଧାନୀରୁ ଅଳିଆ ଉଠାଇବା‌ ନାଁରେ ୧୧ କୋଟିର ଦୁର୍ନୀତି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବା ବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମ୍‌ସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ ଫଣ୍ଡ ଅଡିଟ୍‌। କେବଳ ଆପତ୍ତି ଉଠାଇ ନାହାନ୍ତି ବରଂ ଏହି ଆପତ୍ତି ଆଧାରରେ କର୍ତ୍ତୃପକ୍ଷ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ସନ୍ତୋଷଜନକ ହୋଇନଥିବାରୁ ଏହି ଅର୍ଥ ଆଦାୟ କରିବା ପାଇଁ ଅଡିଟ୍‌ ସୁପାରିସ କରିଛନ୍ତି। ଉଚିତ୍‌ ସମୟରେ ଏହି ଅର୍ଥ ଆଦାୟ ନ ହେଲେ ମାମଲା ଲୋକାୟୁକ୍ତକୁ ଯିବ ବୋଲି ଜଣାପଡ଼ିଛି। ୨୦୧୬ ମସିହାରେ ହୋଇଥିବା ଘୋଟାଲା ଅର୍ଥ ଅଦ୍ୟାବଧି ଆଦାୟ ହୋଇନଥିବାରୁ ଏହି ଅର୍ଥ ମଧ୍ୟ ଆଦାୟ ହେବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଅଡିଟ୍‌ ଉଠାଇଥିବା ଆପତ୍ତି ମୁତାବକ, ବିଏମ୍‌ସି ସହରର ବିଭିନ୍ନ ଜାଗାରୁ ଆବର୍ଜନା ଉଠାଇ ସୈନିକ ସ୍କୁଲ ପଛରେ ଥିବା ଟିଟିଏସ୍‌ରେ ମହଜୁଦ୍‌ ରଖିଥାଏ। ପରେ ସେଠାରୁ ଏକକାଳୀନ ଆବର୍ଜନାକୁ ଉଠାଇ ଭୁଆସୁଣି ଡମ୍ପିଂୟାର୍ଡକୁ ନିଆଯାଏ। ଟିଟିଏସ୍‌ରେ ଯେତିକି ଓଜନର ଆବର୍ଜନା ଜମା ହୁଏ, ଡମ୍ପିଂୟାର୍ଡକୁ ସେତିକି ଓଜନର ଆବର୍ଜନା ଯିବା କଥା। କିନ୍ତୁ ୨୦୧୬ରୁ ୨୦୨୦ ମଧ୍ୟରେ ଯେତିକି ଜମା ହୋଇଛି ତାହାଠାରୁ ଢେର୍‌ କମ୍‌ ଆବର୍ଜନା ଡମ୍ପିଂୟାର୍ଡକୁ ଯାଇଛି। ଭୁଆସୁଣିକୁ ଯାଇଥିବା ଆବର୍ଜନାକୁ ବାଦ୍‌ ଦେଲେ ଯେଉଁ ଅତିରିକ୍ତ ପରିମାଣର ଆବର୍ଜନା ଟିଟିଏସ୍‌କୁ ଯାଇଛି ସେଥିପାଇଁ ବିଏମ୍‌ସି ୩୬ କୋଟି ୨୬ ଲକ୍ଷ ୩୧ ହଜାର ୮୧୭ ଟଙ୍କା ଅଧିକ ଖର୍ଚ୍ଚ କରିଛି। ଏହି ଅଧିକ ଅର୍ଥ ଆଦାୟ କରିବା ପାଇଁ ଅଡିଟ୍‌ ସୁପାରିସ କରିଛି। ୨୦୧୭-୧୮ରେ ଅତିରିକ୍ତ ଖର୍ଚ୍ଚ ୬ କୋଟି ୫୫ ଲକ୍ଷ ୩୯ ହଜାର ୩୮୪ ଟଙ୍କା ଦର୍ଶାଯାଇଥିବା ବେଳେ ୧୮-୧୯ ଆର୍ଥିକ ବର୍ଷରେ ୮ କୋଟି ୪୨ ଲକ୍ଷ ୧୦ ହଜାର ୯୯୩ ଓ ୧୯-୨୦ ଆର୍ଥିକ ବର୍ଷରେ ୯ କୋଟି ୯୮ ଲକ୍ଷ ୩୭ ହଜାର ୭୮ ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଥିବା ଅଡିଟ୍‌ ଦର୍ଶାଇଛନ୍ତି।

୨୦୧୧ରୁ ୨୦୧୬ ମଧ୍ୟରେ ଆବର୍ଜନା ଉଠାପକାକୁ ନେଇ ଅନୁରୂପ ଅଭିଯୋଗ ହୋଇଥିଲା। ଯେତିକି ଜମା ହୋଇଥିଲା ତା’ ଠାରୁ ଢେର୍‌ କମ୍‌ ଆବର୍ଜନା ଭୁଆସୁଣି ଯାଇଥିଲା। ସେତେବେଳେ ଅଡିଟ୍‌ ୧୧କୋଟି ୩୦ ଲକ୍ଷ ୪୪ ହଜାର ୩୬୨ ଟଙ୍କା ଦାୟିତ୍ବରେ ଥିବା ୧୨ ଜଣ ଅଧିକାରୀଙ୍କ ଠାରୁ ଆଦାୟ କରିବା ପାଇଁ ସୁପାରିସ କରିଥିଲେ। ଯଦି ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ୯ ବର୍ଷର ହିସାବ ଦେଖାଯାଏ ତେବେ ୩୬ କୋଟି ୨୬ ଲକ୍ଷ ୩୧ ହଜାର ୮୧୭ ଟଙ୍କାର ଅର୍ଥ ହେରଫେର୍ ହୋଇଛି।

୨୦୧୧ରୁ ୨୦୧୬ର ଅଡିଟ୍‌ ବେଳେ ଯେଉ ଆପତ୍ତି ଉଠିଥିଲା ସେତେବେଳେ ଦାୟିତ୍ବରେ ଥିବା ଅଧିକାରୀମାନେ ଦର୍ଶାଇଥିଲେ ଯେ, ଟିଟିଏସ୍‌ ଖାଲୁଆ ଜାଗା ଥିଲା। ଏଣୁ ସେହି ଖାଲରେ ଅଡିଟ୍‌ ଆପତ୍ତି ଉଠାଇଥିବା ପରିମାଣର ଆବର୍ଜନା ପୋତି ହୋଇ ଯାଇଥିଲା। ହେଲେ ଏଥିରେ ଅଡିଟ୍‌ ସନ୍ତୁଷ୍ଟ ନ ହୋଇ ଦାୟିତ୍ବରେ ଥିବା‌ ଅଧିକାରୀଙ୍କ ଠାରୁ ଆଦାୟ ପାଇଁ ପରାମର୍ଶ ଦେଇଥି‌ଲେ।

ଏବେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଯେଉଁ ଖର୍ଚ୍ଚ ଉପରେ ଆପତ୍ତି ଉଠାଯାଇଛି ତାହାକୁ ନେଇ କର୍ତ୍ତୃପକ୍ଷ ଉତ୍ତର ରଖିଛନ୍ତି। କର୍ତ୍ତୃପକ୍ଷଙ୍କ ଉତ୍ତର ମୁତାବକ, ଆବର୍ଜନା ସଂଗ୍ରହ ବେଳେ ଓଜନ ଥାଏ। ବହୁଦିନ ପଡ଼ିବା ପରେ ଶୁଖିଯାଏ। ଏଣୁ ଓଜନ କମିଯାଏ। ଏହା ଟ୍ରାକ୍ଟରରେ ଆସିଥାଏ। ଟ୍ରିପ୍‌ରେ ଯେତିକି ଓଜନ ଥାଏ ସେହି ଟ୍ରିପ୍‌ ଶୁଖିଲା ଯିବା ପରେ ଓଜନ କମିଯାଏ। କିଛି ଦିନ ପଡ଼ିବା ପରେ ଜରି ଗୋଟାଳି ଜରି ଓ ପ୍ଲାଷ୍ଟିକ୍‌ ଗୋଟାଇ ନେଇ ଯାଆନ୍ତି। ତେଣୁ ଓଜନ କମେ। ବହୁ ଦିନ ପଡ଼ିବା ପରେ ଲୋକମ‌ାନେ ଅଭିଯୋଗ କରିଥିଲେ। ଏଣୁ ଏକ ସମୟରେ ଓଭର ଲୋଡ୍‌ କରି ତୁରନ୍ତ ଏହି ଟିଟିଏସ୍‌କୁ ଖାଲି କରାଯାଇଥିଲା। ସେତେବେଳେ ହିସାବ ରହିଲାନି। ଏଣୁ ଏଭଳି ପକାଇବା ଓ ଉଠାଇବା ବେଳ‌ର ଓଜନରେ ପାର୍ଥକ୍ୟ ରହିଥିବା କର୍ତ୍ତୃପକ୍ଷ ଉତ୍ତରରେ ଦର୍ଶାଇଛନ୍ତି। କିନ୍ତୁ ଅଡିଟ୍‌ ଟିମ୍‌ ଏଥିରେ ସନ୍ତୁଷ୍ଟ ନ ହୋଇ ଅର୍ଥ ଆଦାୟ ପାଇଁ ସୁପାରିସ କରିଛନ୍ତି।

ସମ୍ବନ୍ଧିତ ଖବର