ଭୁବନେଶ୍ୱର: ଚଳିତ ମାସରୁ ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଏଣୁ ଭୁବନେଶ୍ବର ମହାନଗର ନିଗମ ରାଜଧାନୀ ଭୁବନେଶ୍ବରର ସ୍ବଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ବ ଦେଇଛି। ଏଥର ୧ ନମ୍ବର ହେବାକୁ ଚାଲିଛି ପ୍ରତିଯୋଗିତା। ଘରୁ ଆବର୍ଜନା ସଂଗ୍ରହଠାରୁ ଆରମ୍ଭ କରି ରାସ୍ତାଘାଟ ସଫେଇ, ସବୁକୁ ସଠିକ୍‌ ପରିଚାଳନା ପାଇଁ ଚାଲିଛି କସରତ। ଦକ୍ଷତା ତାଲିମ୍‌ ଶିବିର ଜରିଆରେ ସ୍ବଚ୍ଛତା ଦାୟିତ୍ବରେ ଥିବା କର୍ମଚାରୀ, ସଫେଇ ଏଜେନ୍ସିଙ୍କୁ ମେୟର, କମିସନର ଗୁରୁମନ୍ତ୍ର ଦେଉଛନ୍ତି। କିନ୍ତୁ ରାଜଧାନୀ ଭୁବନେଶ୍ବରକୁ ସ୍ବଚ୍ଛତାରେ ୧ ନମ୍ବର କରିବାକୁ କେଉଁଭଳି ପ୍ରତିଯୋଗିତା ଚାଲିଛି, ତାର ଅତି କଦର୍ଯ୍ୟ ଚିତ୍ର ଦେଖିବାକୁ ମିଳିଛି କୁଶଭଦ୍ରା ନଦୀଠାରେ। ରାଜଧାନୀ ଉପକଣ୍ଠ କୁଶଭଦ୍ରା ନଦୀରେ ଟ୍ରକ୍‌ ଟ୍ରକ୍‌ ଆବର୍ଜନାକୁ ପୋଡ଼ି ଦିଆଯାଇଛି। ଏତେ ଆବର୍ଜନା ଗଦା ହୋଇଛି ଯେ ଏବେ ବି ନିଆଁ କୁହୁଳୁଛି।

Advertisment

satkosia: କେନ୍ଦ୍ର ଫୋକସ୍‌ରେ ସାତକୋଶିଆ: ଚିତା ବଂଶ ତୃତୀୟ ପିଢ଼ିରେ ପହଞ୍ଚିଲା, ଏ ମାସ ଶେଷ ସୁଦ୍ଧା ଆଉ ଚିତା ଆସିବେ

କୁଶଭଦ୍ରାରେ ଫିଙ୍ଗୁଛନ୍ତି, ପୋଡ଼ୁଛନ୍ତି ବିଷାକ୍ତ ଆବର୍ଜନା
ଏବେ ବି ଜଳୁଛି ପାହାଡ଼ ଉଚ୍ଚ ଗଦା ଆବର୍ଜନା

କୁଆଖାଇର ଶାଖା ନଦୀ କୁଶଭଦ୍ରା ଏବେ ସଫେଇ ଏଜେନ୍ସିଂଙ୍କ ଡମ୍ପିଂୟାର୍ଡ ପାଲଟିଛି। ସଫେଇ ଗାଡ଼ି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି), ମ୍ୟାଟରିଆଲ୍‌ ରିକଭରି ଫ୍ୟାସିଲିଟିଜ୍‌(ଏମ୍‌ଆରଏଫ୍‌)କୁ ଯିବା ବଦଳରେ ସିଧା ନଦୀପଠାରେ ପହଞ୍ଚୁଛି। ଯାହା ଅଳିଆ ସଂଗ୍ରହ ହେଉଛି ନଦୀଗର୍ଭକୁ ଫିଙ୍ଗାଯାଉଛି। କୁଶଭଦ୍ରାର ଉତ୍ପତ୍ତିସ୍ଥଳରେ ମହାତ୍ମାଗାନ୍ଧୀ ବ୍ରିଜ୍‌ ନିକଟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଟ୍ରକ୍‌ ଟ୍ରକ୍‌ ଆବର୍ଜନାକୁ ନଦୀଗର୍ଭରେ ଫିଙ୍ଗି ଦିଆଯାଇଛି। ଯେଉଁଥିରେ ପ୍ଲାଷ୍ଟିକ ବୋତଲ, ଜରି, କପଡ଼ା ସହ ଘରୁ ସଂଗୃହୀତ ଅଇଁଠା ଓ ଅନ୍ୟାନ୍ୟ ଖାଦ୍ୟ ଆବର୍ଜନା ରହିଛି। ଏହାର ଉତ୍କଟ ଦୁର୍ଗନ୍ଧରେ ଆଖପାଖ ମାଡ଼ି ହେଉନି। ବଡ଼କଥା ହେଉଛି, ଦୋଷ ଲୁଚାଇବାକୁ ଯାଇ ଏହି ଆବର୍ଜନାରେ ନିଆଁ ଲଗାଇ ଦିଆଯାଉଛି। ରାତିଦିନ ଏହା ଜଳୁଛି ଓ ଏହାର କୁହୁଳୁଥିବା ଧୂଆଁରେ ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହି ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ନଦୀର ଜଳକୁ ବିଷାକ୍ତ କରିବାର ଆଶଙ୍କା ରହିଛି। ଯେହେତୁ ଏହି ଅଞ୍ଚଳ ଗ୍ରାମାଞ୍ଚଳରେ ଆସୁଛି, ଭୁବନେଶ୍ବର ମହାନଗର ନିଗମ ଏଥିରେ ମୁଣ୍ଡ ଖେଳାଉନାହିଁ। ସେପଟେ ସ୍ଥାନୀୟ ପ୍ରଶାସନ କି ଜଳସଂପଦ ବିଭାଗ ଏହାକୁ ଗୁରୁତ୍ବର ସହ ବିଚାରକୁ ନେଉନାହିଁ। ଏଣୁ ଏହି ଆବର୍ଜନା ପରିମାଣ ଦିନକୁ ଦିନ ବଢ଼ିଚାଲିଛି। ଅଞ୍ଚଳବାସୀଙ୍କ କହିବା କଥା, ରାତିରେ ଏହି ଅଳିଆ ଗାଡ଼ି ଆସି ନଦୀପାଖରେ ଲାଗୁଛି ଓ ଗାଡ଼ିରେ ଥିବା ଆବର୍ଜନାକୁ ସିଧାସଳଖ ନଦୀରେ ଫିଙ୍ଗୁଛନ୍ତି। ଯେହେତୁ ରାତିରେ ଏଭଳି କରାଯାଉଛି, କାହାରି ନଜର ପଡ଼ୁନି। ଏହି ଆବର୍ଜନାରେ ସଂକ୍ରମିତ ଆବର୍ଜନା ବି ରହୁଛି, ଯାହା ଆମ ଅଞ୍ଚଳକୁ ସଂକ୍ରମିତ ଓ ଲୋକଙ୍କୁ ହୁଏତ ରୋଗାକ୍ରାନ୍ତ କରି ଚାଲିଛି। ରାଜ୍ୟ ସରକାର ଏ ଦିଗରେ ଗୁରୁତ୍ବର ସହ ବିଚାର କରି ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Mobile networks: ମୋବାଇଲ୍‌ ନେଟ୍‌ୱର୍କ ପାଇଁ ଗଛ ଭରସା: ଏଆଇ ଯୁଗରେ ଗାଁ ଲୋକେ କଲବଲ, ପରିବାର ସହିତ ଯୋଗାଯୋଗ ପାଇଁ ପ୍ରତିଦିନ ସଂଘର୍ଷ