ଖଣ୍ଡଗିରି: କଳିଙ୍ଗ ଷ୍ଟୁଡିଓ ଛକ-ସମ୍‌ ହସ୍ପିଟାଲ୍‌ ରାସ୍ତାରେ ଆଣ୍ଠୁଏ ଉଚ୍ଚାର ଡ୍ରେନ୍‌ ଆବର୍ଜନା ପାଣିଭାସୁଛି। ଆଜି କିମ୍ବା କାଲି ନୁହେଁ, ବରଂ ବର୍ଷବର୍ଷ ଧରି ଭାସୁଛି। କୁଆଡ଼େ ଯିବାକୁ ବାଟ ନଥିବାରୁ ଡ୍ରେନ୍‌ରୁ ବାହାରି ରାସ୍ତା ଉପରେ ଜମିରହୁଛି। ନିୟମିତ ଜମି ରହୁଥିବାରୁ କଠିନ ଆବର୍ଜନା ପେଭରବ୍ଲକ୍‌ ରାସ୍ତାଉପରେ ବସିଯାଉଛି। ଏହା ଉପରେ ଫୁଟେ ଉଚ୍ଚାର ପାଣି ରହୁଛି। କେତେକ ଜାଗାରେ ପେଭରବ୍ଲକ୍‌ ଉଠି ଯାଇଥିବାରୁ ଖାଲ ହୋଇଛି। ପାଣି ତଳେ ଥିବା ଏହି ସବୁ ବିପଦ ବାବଦରେ ଗାଡ଼ିଚାଳକ ଜାଣିବା ସମ୍ଭବ ହେଉନାହିଁ। ଫଳରେ ପାଣି ଭିତରେ ଗାଡ଼ି ପଶିଯିବା ପରେ ସେଠାରେ ପ୍ରତ୍ୟେକ ଦିନ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଅଧିକ ବେଗରେ ଯାଉଥିବା କାର୍‌ରୁ ଛିଟିକିପଡ଼ୁଥିବା ନଳାପାଣିରେ କଡ଼ରେ ଯାଉଥିବା ବାଇକ୍‌ ଚାଳକ ଓଦା ହୋଇଯାଉଛି। କେହି କେହି ପାଣି ଭିତରେ ଭାରସାମ୍ୟ ହରାଇ ବାଇକ୍‌ରୁ ଗଳିପଡ଼ୁଛି। ଷ୍ଟାର୍ଟ ବନ୍ଦ ‌ହୋଇଗଲେ ତ’ କଥା ସରିଲା। ବାଇକ୍‌ରେ ସ୍କୁଲ୍‌ ଯାଉଥିବା‌ ପୁଅଝିଅଙ୍କୁ ବସାଇ ଆବର୍ଜନା ପାଣିଭିତରେ ଗାଡ଼ି ଗଡ଼େଇ ଗଡ଼େଇ ଆସିବା ଭଳି ଚିତ୍ର ପ୍ରତ୍ୟେକ ଦିନ ଘଟୁଛି। ପୂର୍ତ୍ତ-ବିଏମ୍‌ସି ସମନ୍ବୟ ଅଭାବରୁ ଏଭଳି ଅଭାବନୀୟ ସ୍ଥିତି ହୋଇଛି।

Advertisment

କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍‌ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟରାସ୍ତାର ରାଷ୍ଟ୍ରୀୟ ଆୟୁର୍ବେଦ ଔଷଧ ବିକାଶ ଗବେଷଣା ପ୍ରତିଷ୍ଠାନ ସମ୍ମୁଖରେ ଏଭଳି ସ୍ଥିତି ହୋଇଛି। ଏହି ରାସ୍ତାରେ ବଡ଼ବଡ଼ ଶିକ୍ଷାନୁଷ୍ଠାନ ସହ  ଡାକ୍ତରଖାନା ରହିଛି। ସ୍ଥାନୀୟ ବାସିନ୍ଦାଙ୍କ ସହ ପ୍ରାୟ ୫୦ ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରନ୍ତି। ପାଣି ଜମି ରହୁଥିବାରୁ ଜରୁରିକାଳୀନ ଗାଡ଼ି ସମେତ ସ୍କୁଲବସ୍‌ ମଧ୍ୟ ଫସିରହୁଛି। କିଛି ଦିନ ତଳେ ଉଭୟ ବିଏମ୍‌ସି ଓ ପୂର୍ତ୍ତ ଏକାଠି ବସି ଅସ୍ଥାୟୀ ସମାଧାନ ଯୋଜକା କରିଥିଲେ। ହେଲେ ଯୋଜନା କାର୍ଯ୍ୟକାରୀ ନହେବାରୁ ସମସ୍ୟା ଉତ୍କଟ ରୂପ ଧାରଣ କରିଛି।     ତିନିବର୍ଷ ତଳେ ଏଭଳି ଅବ୍ୟବସ୍ଥା ହେବାରୁ ଆନ୍ଦୋଳନ ହୋଇଥିଲା। ବିଧାୟକଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ଘଟଣାସ୍ଥଳକୁ ଆସିବା ପରେ ସ୍ଥାୟୀ ସମାଧାନ ଯୋଜନା ହୋଇଥିଲା। 

ସୂଚୁନା ମୁତାବକ, ଭରତପୁର ବସ୍ତି ସମେତ ଲକ୍ଷ୍ମୀବିହାର, ଜୟଦୁର୍ଗାନଗର ଓ ଆଖପାଖ ଅଞ୍ଚଳର ଡ୍ରେନ୍‌ ଆସି ପୂର୍ତ୍ତ ବିଭାଗର ଡ୍ରେନ୍‌ ସହ ମିଶିଛି। ବିଏମ୍‌ସିର ଏହି ନଳାକୁ ପୂର୍ତ୍ତ ବିଭାଗର ନଳା ସହ ସଂଯୋଗ କରିଦିଆଯାଇଛି। ଫଳରେ ପୂର୍ତ୍ତବିଭାଗର ନଳା ଓଭରଲୋଡ୍‌ ହେଉଛି। ଯେଉଁଠି ଉଭୟ ନଳା ସଂଯୁକ୍ତ ହୋଇଛନ୍ତି ସେଠାରେ ଏକ ଜାଲି ଲାଗିଥିଲା। ଯାହା କଠିନ ବର୍ଜ୍ୟବସ୍ତୁ ସବୁକୁ ଆରପାଖକୁ ଆସିବାକୁ ଦେଉନଥିଲା। କିନ୍ତୁ ଜାଲି ନିୟମିତ ଜାମ୍‌ ହୋଇଯାଉଥିବାରୁ ବିଏମ୍‌ସି ନିୟମିତ ଆବର୍ଜନା ଛାଣିନେବା ସହ ନଳାକୁ ଅବରୋଧମୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା। କିଛି ଦିନ ଏଭଳି କରିବା ପରେ ବିଏମ୍‌ସି ବନ୍ଦ କରିଦେବାରୁ ରାସ୍ତାରେ ପାଣି ପୁଣି ଭାସିଲା। ଫଳରେ କେବଳ ସ୍ଥାନୀୟ ଲୋକ ନୁହେଁ ଜାତୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ମୁଖ୍ୟ ଦ୍ବାର ପାର୍ଶ୍ବରେ ଥିବା ଦୁଇ ଗେଟ୍‌ ସାମନାରେ ପାଣି ଜମି ରହୁଥିଲା। ପାଣିର ପରିମାଣ ବଢ଼ିବଢ଼ି ଚାଲିବାରୁ ଏହା ମୁଖ୍ୟ ରାସ୍ତାକୁ ଅକ୍ତିଆର କଲା। ଯାହା ଏବେ ଭୟଙ୍କର ସ୍ଥିତି ସୃ‌ଷ୍ଟି କରିଛି। 

ବିଚାରବିମର୍ଷ ପରେ ୧୧କୋଟି ଟଙ୍କା ବ୍ୟୟବରାଦରେ ପୂର୍ତ୍ତ ବିଭାଗ ଚଉଡ଼ା ‌ଡ୍ରେନ୍‌ ନିର୍ମାଣ ପାଇଁ ଯୋଜନା କଲା। ଡ୍ରେନ୍‌ ନିର୍ମାଣ ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ବିଏମ୍‌ସି ସଫେଇ ସଂସ୍ଥାଙ୍କ ଜରିଆରେ ନାଳରୁ ଆବର୍ଜନା ସଫା କରିବାକୁ ନିଷ୍ପତ୍ତି ହୋଇଥିଲା। ବେଶ୍‌ କିଛି ଦିନ ଚାଲିବା ପରେ ୪ ମାସ ହେବ ବିଏମ୍‌ସି ଡ୍ରେନ୍‌ ସଫା କରୁନାହିଁ। ଫଳରେ ପାଣି ରାସ୍ତା ଉପରେ ଭାସୁଛି। ପୂର୍ତ୍ତ ବିଭାଗର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଏହି କାମ ୬ ମାସରୁ ଅଧିକ ଲାଗିବ। ତେବେଳକୁ ବର୍ଷା ଆସିଯାଇଥିବ। ଫଳରେ ଏହି ଅଞ୍ଚଳବାସୀ ଭୟଙ୍କର ସମସ୍ୟା ଉପୁଯିବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ କେ-୮ ବାସିନ୍ଦା ସରୋଜ ମହାନ୍ତି କହିଛନ୍ତି, ଆମେ ବାରମ୍ବାର ବଏମ୍‌ସି ଠାରୁ ଆରମ୍ଭ କରି ପୂର୍ତ୍ତ ଓ ସରକାରଙ୍କୁ ଅଭିଯୋଗ କରିଛୁ। ବହୁଥର ଏନେଇ ଆଲୋଚନା ହୋଇଛି। କିନ୍ତୁ ବିଏମ୍‌ସି-ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଆମେ ସାଧାରଣ ନାଗରିକ ଫସି ରହିଛୁ। ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ।