ଭୁବନେଶ୍ବର : ଆବର୍ଜନାକୁ ନେଇ ସମାଧାନର ବାଟ ବାହାର କରିପାରୁନି ବିଏମ୍‌ସି। ତିନିଟି ଜୋନ୍‌କୁ ଗାଡ଼ି ଯୋଗାଇ ସବୁ ଅଳିଆ ସଫା କରିବାକୁ ଯୋଜନା କରିଥିଲେ ମଧ୍ୟ ଆଜି ତାହା ସଫଳ ହୋଇ ନାହିଁ। ନୂଆ ଗାଡ଼ି ଲଗାଇ ୬୦ ଟ୍ରିପ୍‌ ଆବର୍ଜନା ଉଠାଇଥିବା ବିଏମ୍‌ସି କହିଛି। ହେଲେ ଆବର୍ଜନା କୁଆଡ଼େ ଯାଇଛି?

Advertisment

ଏଣେ ଦାରୁଠେଙ୍ଗବାସୀଙ୍କ ବିଏମ୍‌ସିକୁ ଚିଠି ଲେଖି ତାଙ୍କର ଚରମ ନିଷ୍ପତ୍ତି ଶୁଣାଇଛନ୍ତି ଯେ, କୌଣସି ପରିସ୍ଥିତି‌ରେ ଆବର୍ଜନା ଭୁଆସୁଣିକୁ ଆସିବ ନାହିଁ। ଗତ ୧୮ ତାରିଖ ବୈଠକରେ ସେମାନେ ତାଙ୍କ ନିଷ୍ପତ୍ତି ପରେ ଲେଖିକି ଜଣାଇବେ ବୋଲି କହିଥିଲେ। ସେହି ଆଧାରରେ ସେମାନେ ଚିଠି ଲେଖି ପୂର୍ବ ନିଷ୍ପତ୍ତିରେ ଅଟଳ ଥିବା ସ୍ପଷ୍ଟ କରିଛନ୍ତି। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବିଏମ୍‌ସି ଏହି ଚିଠି ପାଇବା ପରେ ଚିନ୍ତାରେ ପଡ଼ିଛି। ଆବର୍ଜନା ଉଠାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଥିବା ବେ‌ଳେ ପକାଇବା ପାଇଁ ବିକଳ୍ପ ନଥିବାରୁ ଅଧିକାରୀମାନେ ଅଥୟ ହୋଇ ପଡ଼ିଛନ୍ତି। ଆସନ୍ତାକାଲି ‌ଆଉ ଥରେ ଆଲୋଚନା କରିବା ପାଇଁ ଦାରୁଠେଙ୍ଗବାସୀଙ୍କୁ ବିଏମ୍‌ସି ଅଫିସ୍‌ ଡକାଯାଇଛି। ଏହି ବୈଠକରେ ବିଏମ୍‌ସି ଭୁଆସୁଣି ଡମ୍ପିଂୟାର୍ଡକୁ ଆବର୍ଜନା ନେବା ପାଇଁ ଶେଷ ପ୍ରୟାସ କରିବ ବୋଲି ଜଣାପଡ଼ିଛି। ‘କୋପେ ବର କି ତପେ ବର’ ନ୍ୟାୟରେ ଦାରୁଠେଙ୍ଗବାସୀଙ୍କ ଉପରେ ଚାପ ପକାଇବାକୁ ଯୋଜନା ହୋଇଛି। ଭଲରେ ଭଲରେ ନ ମାନିଲେ ପୁଲିସ ଭୟ ଦେଖାଇ ଆବର୍ଜନା ଜବରଦସ୍ତ ପକାଇବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। କିନ୍ତୁ କୌଣସି ପରିସ୍ଥିତିରେ ନିଷ୍ପତ୍ତି ବଦଳିବ ନାହିଁ ବୋଲି ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି। ଏଣୁ ସରପଞ୍ଚଙ୍କ ନିଷ୍ପତ୍ତି କାଏମ୍‌ ରହିଲେ ଭୁବନେଶ୍ବରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ।

ପୂର୍ବ ନିଷ୍ପତ୍ତିରେ ଅଟଳ ଦାରୁଠେଙ୍ଗବାସୀ, ଚିଠି ଲେଖି ଜଣାଇଲେ
ଆଜି ଆଲୋଚନା, ଶେଷ ପ୍ରୟାସ କରିବ ବିଏମ୍‌ସି

publive-image

ଏଣେ ପୁଲିସ ଚାପ ପ୍ରୟୋଗ କରି କିମ୍ବା ଜୋର୍‌ଜବରଦସ୍ତ ବିଏମ୍‌ସି ଆବର୍ଜନା ପକାଇପାରିବ ନାହିଁ ବୋଲି ଆଇନ୍‌ଜୀବୀ ଦେବାଶିଷ ଦାସ କହିଛନ୍ତି। କାରଣ ପୂର୍ବରୁ ଉଭୟ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ ଓ କୋର୍ଟ ବିଏମ୍‌ସିକୁ ତାଗିଦ୍‌ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ତୁରନ୍ତ ଏଠାରୁ ଆବର୍ଜନା ହଟାଇବାକୁ ଆଦେଶ ରହିଛି। ଏବେ ବିଏମ୍‌ସି ଜବରଦସ୍ତ କଲେ ମାମଲା ପୁଣି କୋର୍ଟକୁ ଯିବ ଓ ବିଏମ୍‌ସିର ସବୁ ବାଟ ବନ୍ଦ ହୋଇଯିବ। ଏଣୁ କେବଳ ଆପୋସ ବୁଝାମଣାରେ ସମାଧାନ କରିବା ଛଡ଼ା ବିଏମ୍‌ସିର ଦ୍ବିତୀୟ ବାଟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା ଜାରି ରହିଛି।

ଭୁଆସୁଣିକୁ ଆବର୍ଜନା ନ ଯିବାକୁ ୧୮ ଦିନ ପୂରିଛି। ଟିଟିଏସ୍‌ ଭର୍ତ୍ତି ହୋଇଯାଇଛି। ଏଣୁ ଆବର୍ଜନା ଗଦା ହୋଇ ରହିଛି। ଆଜି ଚାପ ପଡ଼ିବା ପରେ କେତେକ ଗାଡ଼ି ପୋଖରିପୁଟର ନିର୍ମାଣ ଓ ଘରଭଙ୍ଗା ଆବର୍ଜନା ଜମା ହେଉଥିବା ଜାଗାରେ ଆବର୍ଜନା ଜମା କରିବାକୁ ଯାଇଥିଲେ। ସେଠାରେ ବିରୋଧ ହେବାରୁ ଆବର୍ଜନା ପକାଇ ପାରି ନାହାନ୍ତି। ୫୦ରୁ ଊର୍ଦ୍ଧ୍ବ ଗାଡ଼ି ଆବର୍ଜନା ଲୋଡ୍‌ କରିବା ପରେ ଖାଲି କରିବାକୁ ଜାଗା ନ ପାଇ ରାସ୍ତା କଡ଼ରେ ଛିଡ଼ା ହୋଇ ରହିଛନ୍ତି। ସହରଠୁ ଦୂରରେ ନେଇ ଆବର୍ଜନାକୁ ଗଦା କରିଦିଅ ବୋଲି ଅଲିଖିତ ନିର୍ଦ୍ଦେଶ ହୋଇଥିବା ଆଜି ଜାଣିବା ପରେ ଲୋକମାନେ ସତର୍କ ହୋଇଯାଇଛନ୍ତି। ଉପକଣ୍ଠ ଅଞ୍ଚଳକୁ ଟ୍ରକ୍‌ ଯିବା ଦେଖିବା ପରେ ଲୋକମାନେ ଫଲୋ କରୁଛନ୍ତି। ଆଜି ପଟିଆ, ନନ୍ଦନକାନନ, ପାତ୍ରପଡ଼ା ପ୍ରଭୃତି ଅଞ୍ଚଳରେ ଆବର୍ଜନା ବୋଝେଇ ଟ୍ରକ୍‌ ଏଭଳି ବିରୋଧର ଶିକାର ହୋଇଥିବା ଜଣାପଡ଼ିଛି।

publive-image

ସମସ୍ତ ଏମ୍‌ସିସି କାର୍ଯ୍ୟକ୍ଷମ ହୋଇଗଲେ ଆବର୍ଜନାର ସମସ୍ୟା ରହିବ ନାହିଁ ବୋଲି ଯେଉଁ କଥା ବିଏମ୍‌ସି ପକ୍ଷରୁ ବାରମ୍ବାର କୁହାଯାଉଛି ତାହା ମଧ୍ୟ କେବଳ ପ୍ରଚାର ସର୍ବସ୍ବ ବୋଲି ଜଣାପଡ଼ିଛି। କାରଣ ନୂଆ ସଂସ୍ଥା ସହ ଟ୍ୟାଗ୍‌ ହୋଇଥିବା ଏମ୍‌ସିସି୍କୁ ଆବର୍ଜନା ଯାଉନାହିଁ। ନୂଆ ସଂସ୍ଥାମାନେ ଆବର୍ଜନା ନେଉନଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ପଛରେ ଅନ୍ୟ କାରଣ ରହିଛି। ତାହା ହେଲା ପୃଥକ୍‌ ପୃଥକ୍‌ ଆବର୍ଜନା ଆସୁନଥିବାରୁ ଏମ୍‌ସିସି ଆବର୍ଜନାକୁ ଗ୍ରହଣ କରୁନାହିଁ। ଅଧିକ ପରିମାଣର ଆବର୍ଜନାକୁ ଥରେ ଏକାଠି ସଂଗ୍ରହ କରିବା ପରେ କମ୍‌ ସମୟରେ ପୃଥକୀକରଣ କରିବା ସମ୍ଭବ ହେଉ ନାହିଁ। ଏଣୁ ଏମ୍‌ସିସିକୁ ଆବର୍ଜନା ଯାଇ ପାରୁନାହିଁ।

ବିଏମ୍‌ସି ହିସାବ ଅନୁଯାୟୀ ସମୁଦାୟ ୪୭ଟି ଏମ୍‌ସିସି ନିର୍ମାଣ ହେବ। ଏବେ ୩୨ଟି ଏମ୍‌ସିସି ରହିଛି। ୬ଟି ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା ପରେ ଆଉ ୯ଟି ନିର୍ମାଣ ହେବ। ସହରରେ ଦିନକୁ ଦିନ ଲୋକସଂଖ୍ୟା ବଢ଼ିବାରେ ଲାଗିଛି। ଯେତେବେଳେ ଦିନକୁ ୫୫୦ ଟନ୍‌ ଆବର୍ଜନା ବାହାରୁଥିବା ଆକଳନ କରାଯାଉଥିଲା ସେତେବେଳେ ୪୭ଟି ଏମ୍‌ସିସି ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଏବେ ଲୋକସଂଖ୍ୟା ବଢ଼ିଥିବାରୁ ଆହୁରି ଅଧିକ ଏମ୍‌ସିସି ନିର୍ମ‌ାଣର ଆବ୍ୟଶ୍ୟକତା ରହିଛି। ୪ ବର୍ଷରେ ୩୨ଟି ନିର୍ମାଣ ହୋଇଛି। ଏବେ ୪୭ରୁ ଅଧିକ ଏମ୍‌ସିସିର ଆବଶ୍ୟକତା ରହିଛି। ଏଣୁ କେବେ ଏମ୍‌ସିସି ତିଆରି ହେବ, ଭୁବନେଶ୍ବରରୁ ଆବର୍ଜନା ଡମ୍ପିଂୟାର୍ଡ ନ ଯାଇ ଏମ୍‌ସିସିକୁ ଯିବ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ମେୟର ସୁଲୋଚନା ଦାସ କହିଛନ୍ତି, ଟିଟିଏସ୍‌ ଭର୍ତ୍ତି ହେବା ପରେ ଟିକିଏ ସମସ୍ୟା ହୋଇଛି। ‌ତେବେ ୱାର୍ଡରୁ ଅଳିଆ ଉଠୁଛି। ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା ଅଛି। ଆମେ ଆଶା କରୁଛୁ ବାଟ ବାହାରିବ।

ଆବର୍ଜନା ଗଦା ଭିତରେ ଆଜି ହେବ ଗଣ ସଫେଇ
ଆବର୍ଜନାରେ ଉବୁଟୁବୁ ହେଉଛି ସହର। ପକାଇବାକୁ ଜାଗା ନଥିବାରୁ ଆବର୍ଜନା ଉଠି ପାରୁନି। ଆଜି ବିଜେପି ଆନ୍ଦୋଳନ କରିବା ସହ ସାରା ସହରରେ ଅସନ୍ତୋଷର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଆସନ୍ତାକାଲି ଖଣ୍ଡଗିରି ଟୁରିଷ୍ଟ ବସ୍‌ଷ୍ଟାଣ୍ଡ୍‌ରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଏମ୍‌ସି। ଏଥିରେ ମେୟରଙ୍କ ସମେତ ସମସ୍ତ କର୍ପୋରେଟର ଓ ଅତିରିକ୍ତ କମିସନର ଝାଡ଼ୁ ଧରି ସଫେଇ କରିବା ସହ ସ୍ବଚ୍ଛତାକୁ ନେଇ ସଚେତନତା ସୃଷ୍ଟି କରିବେ। ହେଲେ ସଫା କରିବା ପରେ ଆବର୍ଜନା କୁଆଡ଼େ ନେବେ ତାହାର ଚିନ୍ତା କରାଯାଇନି। ମୂଳ ସମସ୍ୟା ସମାଧାନ ନେଇ ଚିନ୍ତା ନ କରି ବିଏମ୍‌ସିର ଏମିତି ଲୋକଦେଖାଣିଆ କାର୍ଯ୍ୟକୁ ସଚେତନ ନାଗରିକ ନାପସନ୍ଦ କରିଛନ୍ତି।