ଏସ୍କାଲେସନ୍ ଫି’ ଅଡ଼ୁଆ ବଢ଼ାଇଲା : ରାଜଧାନୀର ୪ଟି ୱାର୍ଡରୁ ଅଳିଆ ଉଠିଲାନି, ବାକି ରାଜଧାନୀରେ ସ୍ଥିତି ସଙ୍ଗିନ୍ ହୋଇପାରେ

ଭୁବନେଶ୍ବର : କରୋନା ପାଇଁ ରାଜଧାନୀର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ବିଏମ୍‌ସି କହୁଥିବାବେଳେ ଆଜି ୪ଟି ୱାର୍ଡରୁ (ନୂଆପଲ୍ଲୀ ଅଞ୍ଚଳରୁ) ଅଳିଆ ଉଠିନି। ବିଏମ୍‌ସିର ୱାର୍ଡ ନଂ ୨୭,୩୭,୩୮ ଓ ୩୯ରୁ ଆଜି ଅଳିଆ ଉଠିନି। ଏପରିକି ପୂର୍ବାହ୍ନରୁ ବିଏମ୍‌ସି କର୍ତ୍ତୃପକ୍ଷ ଅଳିଆ ଉଠୁନଥିବା ଜାଣିବା ସତ୍ତ୍ବେ ବି ଆବଶ୍ୟକ ପଦକ୍ଷେପ ନନେବାରୁ ନୂଆପଲ୍ଲୀ ଅଞ୍ଚଳବାସୀ ଆଜି ଆବର୍ଜନା ଗନ୍ଧରେ ଦିନ କାଟିଛନ୍ତି।

ଘରୋଇ ସଂସ୍ଥା ରାମ୍‌କି ଏହି ଅଞ୍ଚଳରେ ସଫେଇ କରୁଥିବାବେଳେ ସଫେଇ କର୍ମଚାରୀମାନେ ମଜୁରୀ ବୃଦ୍ଧି ଦାବିରେ ହଠାତ୍ କାମ ବନ୍ଦ କରିଦେଇଥିଲେ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅପାରଗତାରୁ ଆଜି ରାଜଧାନୀର ଗୋଟିଏ ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଥିବାବେଳେ ଆଗକୁ ବାକି ଅଂଚଳରେ ବି ଅନୁରୂପ ସମସ୍ୟା ଦେଖାଦିବାର ଆଶଙ୍କାକୁ ଏଡ଼ାଇ ହେବନି।

କରୋନା ମୁକାବିଲା ପାଇଁ ସାନିଟାଇଜର୍‌ରେ ହାତ ସଫା କରିବାକୁ ଜୋରଦାର୍ ପ୍ରଚାର କରାଯାଉଥିଲେ ହେଁ ଘର ପା‌ଖରେ ଯଦି କୁଢ଼କୁଢ଼ ଆବର୍ଜନା ଗଦା ହେବ ତେବେ ସବୁ ସଚେତନତା ବୃଥା ପାଲଟିଯିବ।

ସଫେଇ କର୍ମଚାରୀମାନେ ଆଜି ସକାଳୁ ନୂଆପଲ୍ଲୀ ଅଞ୍ଚଳରେ ସଫେଇ କରି ନ ଥିଲେ କି ଘରୁ ଆବର୍ଜନା ସଂଗ୍ରହ କରିନଥିଲେ। ରାମ୍‌କି କର୍ତ୍ତୃପକ୍ଷ ସେମାନଙ୍କ ସହ ଯୋଗାଯୋଗ କରିବାରୁ କହିଥିଲେ ବର୍ଦ୍ଧିତ ମଜୁରୀ ଦେଲେ ‌ହିଁ କାମ କରିବୁ। ୨୯୮ଟଙ୍କା ମଜୁରୀ ଦେଲେ କାମ କରିବେ ବୋଲି ସଫେଇ କର୍ମଚାରୀ ଜିଦ୍‌ ଧରିଥି‌େଲ ହେଁ ରାମ୍‌କି କର୍ତ୍ତୃପକ୍ଷ କହିଥିଲେ ଯେ, ବିଏମ୍‌ସି ଆମର ଏସ୍କାଲେସନ୍ ଫି’ ବଢ଼ାଉନି। ତେଣୁ ବର୍ଦ୍ଧିତ ମଜୁରୀ ଦେଇପାରିବୁନି। ଏହାପରେ ବିବାଦ ନତୁଟିବାରୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ କାନକୁ କଥା ଯାଇଥିଲା। ହେଲେ କର୍ତ୍ତୃପକ୍ଷ ଏହାର ସମାଧାନ କଲେନି। ଯେଉଁଥିପାଇଁ ଆଜି ନୂଆପଲ୍ଲୀ ଅଞ୍ଚଳରୁ ଆବର୍ଜନା ଉଠିନି।

ଅପରପକ୍ଷେ ବିଏମ୍‌ସିର ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମେ ସଫେଇ କର୍ମଚାରୀ ଓ ସଫେଇ ସଂସ୍ଥାକୁ ଡାକି ଆ‌େଲାଚନା କରିଛୁ। ଆସନ୍ତାକାଲି ଠାରୁ ଆବର୍ଜନା ଉଠିବ। ହେଲେ ରାମ୍‌କି କର୍ତ୍ତୃପକ୍ଷ କହିଛନ୍ତି ଯେ, ସଫେଇ କର୍ମଚାରୀ ଏବେ ଆମ କଥା ଶୁଣୁନାହାନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଏବେ ସଫେଇ କର୍ମଚାରୀଙ୍କୁ ବୁଝାଇଛନ୍ତି ସେମାନେ କାମ କରିବେ ବୋଲି କହିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଆମେ ବି ସେମାନଙ୍କୁ କାମ କରିବାକୁ ଅନୁରୋଧ କରିଛୁ।

ସୂଚନାଯୋଗ୍ୟ ଯେ, ମାସକ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଫେଇ କର୍ମଚାରୀମାନେ ବର୍ଦ୍ଧିତ ମଜୁରୀ ଦାବିରେ କାମ ବନ୍ଦ କରିଥିଲେ। ତାହା ପୂର୍ବରୁ ମଧ୍ୟ ବନ୍ଦ କରିଥିଲେ। ତେଣୁ ଆଗକୁ ବି ଏହି ଧାରା ଜାରି ରହିବ। ବିଏମ୍‌ସି ଯେତେଦିନ ଯାଏ ସଫେଇ ସଂସ୍ଥାକୁ ବର୍ଦ୍ଧିତ ଏସ୍କାଲେସନ୍ ଫି’ ଦେଇନି ସେତେଦିନ ପର୍ଯ୍ୟନ୍ତ ଏହି ବିବାଦର ସମାଧାନ ହେବନି। ଅପରପକ୍ଷେ ବିଏମ୍‌ସି ସଫେଇ ସଂସ୍ଥାକୁ ୧୫୦ଟଙ୍କା ହିସାବରେ ମଜୁରୀ ଦେଉଥିବାବେଳେ ସଫେଇ ସଂସ୍ଥାଗୁଡ଼ିକ ସଫେଇ କର୍ମଚାରୀଙ୍କୁ ୨୭୦ଟଙ୍କା (୨୨୪ଟଙ୍କା ନଗଦ ବାଦ୍ ଇପିଏଫ୍‌ ଓ ଇଏସ୍‌ଆଇକୁ ମିଶାଇ) ଦେଉଛନ୍ତି। ତେଣୁ ଏସ୍କାଲେସନ୍ ଫି’ ନବଢ଼ିଲେ ଆଉ ମଜୁରୀ ବଢ଼ାଇବେନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର