ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବିଏମ୍ସି ପାଳନ କରୁଛି ଭାରତୀୟ ସ୍ବଚ୍ଛତା ଲିଗ୍ ପକ୍ଷ। ୧୫ ଦିନ ଧରି ପାଳନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଏମ୍ସି ସଫେଇକୁ ଗୁରୁତ୍ବ ଦେଇଛି। ଏହିକ୍ରମରେ ଆଜି ଉତ୍ତର ବିଧାୟକଙ୍କ ନେତୃତ୍ବରେ ଶିଖରଚଣ୍ଡୀ ଅଞ୍ଚଳ, ମେୟର ସୁଲୋଚନା ଦାସଙ୍କ ନେତୃତ୍ବରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରି ଅଞ୍ଚଳରେ ସାମୂହିକ ସଫେଇ କରାଯାଇଛି। ଜନପ୍ରତିନିଧିଙ୍କ ସହ କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ସଫେଇରେ ସାମିଲ ହୋଇଥିଲେ। ତାଙ୍କ ସହ ୪୦ରୁ ଊର୍ଦ୍ଧ୍ବ କର୍ପୋରେଟର ମଧ୍ୟ ଯୋଗ ଦେଇଥିଲେ। ଅଞ୍ଚଳକୁ ଅଞ୍ଚଳ ବୁଲି ସ୍ବଚ୍ଛତା ନେଇ ସଚେତନତା ସୃଷ୍ଟି କରିବା ସହ ନିଜ ନିଜ ଅଞ୍ଚଳ ସଫା ରଖିବାକୁ କହିଥିଲେ। ସେମାନଙ୍କ ସହ କେତେକ ସ୍ବେଚ୍ଛାସେବୀ ଓ ଜନସାଧାରଣ ମଧ୍ୟ ଆପେ ସାମିଲ ହୋଇଥିବା ବିଏମ୍ସି କହିଛି।
ଅନ୍ୟପଟେ ଚାରିଆଢ଼େ କୁଢ଼କୁଢ଼ ଆବର୍ଜନା ଗଦା ହୋଇରହିଛି। ନୂଆ ସଂସ୍ଥା ଆୱାର ଲ୍ୟାଣ୍ଡ ଦାୟିତ୍ବ ନେଇଥିବା ୪୬ନମ୍ବର ୱାର୍ଡର ୟୁନିଟ୍-୬ ଅଞ୍ଚଳ, ୫୨ ନମ୍ବର ୱାର୍ଡର ଭୀମପୁର ଅଞ୍ଚଳ, ୬୨ର ପୋଖରୀପୁଟ ଅଞ୍ଚଳ, ୬୩ର ଜାଗମରା ଅଞ୍ଚଳ, ୬୪ର ଯଦୁପୁର ଅଞ୍ଚଳ, ୬୫ର ଡୁମୁଡୁମା ଅଞ୍ଚଳ ଓ ୬୬ ନମ୍ବର ୱାର୍ଡର ଅନେକ ଜାଗାରେ ୭ ଦିନ ହେବ ଆବର୍ଜନା ଗଦା ହୋଇରହିଛି। ସେହିଭଳି ଅନ୍ୟତମ ନୂଆ ସଂସ୍ଥା ଗ୍ରିନ୍ ସର୍କଲର ଦାୟିତ୍ବରେ ଥିବା ୱାର୍ଡ ନମ୍ବର ୫୮ର ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ମଧ୍ୟ ସଫା ହେଉନଥିବା ଅଭିଯୋଗ ରହିଛି। ଏ ସବୁକୁ ବିଚାରକୁ ନେଲେ ଆଜିର ସାମୂହିକ ସଫେଇ ପ୍ରହସନ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/27-13.jpg)