ଅଳିଆ ଉଠୁନି, ତାତିଲେ ଲୋକ

ରାତିରେ ଘିଅ ଦୀପ ଭରସା, ପଲିଥିନ୍ ମିଳୁନି, ବଢ଼ୁଛି ଅସନ୍ତୋଷ

ପୁରୁଣା ଭୁବନେଶ୍ବର : ପୁରୁଣା ଭୁବନେଶ୍ବରର ବିଭିନ୍ନ ଗଳିକନ୍ଦିରେ ଅଳିଆ ଆବର୍ଜନା ପଡ଼ି ରହିଥିବା ବେଳେ ଏହାକୁ ସଫେଇ କରାଯାଉନି। ଏହାକୁ ନେଇ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ଗଳିରୁ ଅଳିଆ ଆବର୍ଜନା ଆଣି ମୁଖ୍ୟ ରାସ୍ତାରେ ଫିଙ୍ଗିଥିଲେ। ସ୍ଥାନୀୟ ଯମେଶ୍ବର ପାଟଣା ସାହିର ଲୋକ ଏପରି ଉତ୍ତ୍ୟକ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଗଳିକନ୍ଦିରେ ପଡ଼ିଥିବା କୁଟା ଓ ଆବର୍ଜନାକୁ ଆଣି ମୁଖ୍ୟ ରାସ୍ତା ଉପରେ ଫିଙ୍ଗିଥିଲେ। ସ୍ଥାନୀୟ ବାସିନ୍ଦା ଟିମ ଖଟେଇ କୁହନ୍ତି ୪ଦିନ ହେଲା ଅଳିଆ ଆବର୍ଜନା ପଡ଼ିଥିଲେ ମଧ୍ୟ କେହି ଶୁଣିଲେନି। ବିଏମ୍‌ସିି ସଫେଇ କର୍ମଚାରୀଙ୍କୁ ଏନେଇ କୁହାଯାଇଥିଲେ ମଧ୍ୟ କୌଣସି ଫଳ ମିଳିଲାନି। ଆବର୍ଜନାରୁ ଦୁର୍ଗନ୍ଧ ବାହାରିଲା। ଏଠାରେ ବାସ କରିବା କଷ୍ଟକର ହେଲା। ମାତ୍ର ମୁଖ୍ୟ ରାସ୍ତାରେ ସଫେଇ ହେଉଥିବାରୁ ସେଠାରେ ପକାଇ ଦେଇଥିଲୁ। ତେବେ ମୁଖ୍ୟ ରାସ୍ତାରେ ଏହା ପଡ଼ିଥିଲେ ମଧ୍ୟ ସଫେଇ ହୋଇପାରି ନଥିଲା।

ରାତିରେ ଘିଅ ଦୀପ ଭରସା

ଖଣ୍ଡଗିରି : ବାତ୍ୟା ‘ଫନି’କୁ ୬ ଦିନ ବିତି ଗଲାଣି। ମାତ୍ର ବିଦ୍ୟୁତ୍ ସରବରାହ ସ୍ଥିତିରେ ସୁଧାର ଆସିପାରିଲା ନାହିଁ। ଫଳରେ ରାତି ହେଲେ ଚିନ୍ତା ମାଡ଼ି ପଡ଼ୁଛି। ବଜାରରେ କିରାସିନି ମିଳୁନଥିବା‌ବେଳେ ମହମବତି ମଧ୍ୟ ଯଥେଷ୍ଟ ଉପଲବ୍‌ଧ ହେଉନାହିଁ। ତେଣୁ ଏବେ ଲୋକଙ୍କୁ ଘିଅ ଦୀପ ଭରସା। ମହମବତି ବ୍ୟବହାର ତୁଳନାରେ ଘିଅ ବା ପାମୋଲିନ୍ ତେଲ ଶସ୍ତା ହେଉଥିବାରୁ ଲୋକେ ଏହି ପନ୍ଥା ଆପଣାଉଥିବା କୁହାଯାଉଛି। ମନ୍ଦିରରେ ଦୀପ ଜାଳିବା ପାଇଁ ବ୍ୟବହାର କରାଯାଉଥିବା ସାଧାରଣ ଘିଅ ଦାମ ପ୍ରାୟତଃ କିଲୋ ପିଛା ୬୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ଶସ୍ତା ବ୍ରାଣ୍ଡର ପା‌ମୋଲିନ୍ ତେଲ ଲିଟର ପିଛା ୬୦ ଟଙ୍କାରୁ ୭୦ ଟଙ୍କା ପଡ଼ୁଛି। ଖୋଲା ବଜାରରେ କିରାସିନି ମିଳୁ ନଥିବା ବେଳେ ଯେଉଁଠି ବି ଲୁଚାଛପା‌ରେ ମିଳୁଛି, ଲିଟର ପିଛା ୧୦୦ ଟଙ୍କାରୁ କମ୍ ନାହିଁ। ସେଥିରେ ପୁଣି ଲୁଚାଚୋରା ସ୍ଥାନ ସମସ୍ତେ ଖୋଜି ପାଇବା କଷ୍ଟ। ତେଣୁ ଏଭଳି ସ୍ଥିତିରେ ଲୋକ ଅଭିନବ ଉପାୟ ପାଞ୍ଚିଛନ୍ତି। ୬୦/୭୦ ଟଙ୍କାରେ ଘିଅ କିଣି ଦୀପ ଜଳାଇବା ଦ୍ବାରା ଶସ୍ତାରେ କାମ ଚଳି ଯାଉଛି। ଘିଅ ଦୀପରେ କାମ ଚଳାଇ ନେଉଥିବା ଲୋକଙ୍କ କହିବା କଥା କିରାସିନି ବତିରେ ଘରେ ଅଧିକ କଳା ଜମେ। କିନ୍ତୁ ଘିଅ ଦୀପରେ କଳା କମ୍ ସୃଷ୍ଟି ହୁଏ। ତେଣୁ ଏବେ ଘରେ ଘିଅ ଦୀପ ଜଳାଇବା ଦ୍ବାରା ଡବଲ ଲାଭ ବୋଲି ବ୍ୟବହାରକାରୀମାନଙ୍କଠାରୁ ଶୁଣିବାକୁ ମିଳୁଛି।

ପଲିଥିନ୍ ମିଳୁନି, ବଢ଼ୁଛି ଅସନ୍ତୋଷ

ଖଣ୍ଡଗିରି : ବୁଧବାର ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଫନି ପ୍ରଭାବିତ ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ରାସନ୍ କାର୍ଡଧାରୀମାନଙ୍କୁ ମୁଣ୍ଡପିଛା ୨ ହଜାର ଟଙ୍କା ଓ ୫୦ କି‌ଲୋଗ୍ରାମ ଚାଉଳ ବଣ୍ଟନ କରାଯାଇଛି। କିନ୍ତୁ ପଲିଥିନ୍ ମିଳିନଥିବାରୁ ସେମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟ‌ା ପ୍ରକାଶ ପାଇଛି। ଖରା, କାକର ଓ ବର୍ଷାରୁ ରକ୍ଷା ପାଇଁ ଭଙ୍ଗା ଛପର ଘୋଡ଼ାଇବାକୁ ପଲିଥିନ୍ ନିହାତି ଜରୁରୀ। ଏପରି କ୍ଷେତ୍ରରେ ସରକାର ପଲିଥିନ୍‌ ଯୋଗାଇ ପାରୁ ନଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜସ୍ବ ବିଭାଗର ସର୍ଭେ କାମ ସରି ନଥିବା ବାହାନା କରି ପଲିଥିନ୍ ବଣ୍ଟନ କରାଯାଉ ନଥିବାରୁ ଲୋକେ ସ୍ଥାନୀୟ ଆର୍‌ଆଇମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।

ଆଜି ଗଙ୍ଗପଡ଼ା, ଯାଁଳା ଆଦି ପଞ୍ଚାୟତରେ ରାସନ୍ କାର୍ଡଧାରୀମାନଙ୍କୁ ୨ ହଜାର ଟଙ୍କା ଓ ୫୦ କିଗ୍ରା ଲେଖାଏଁ ଚାଉଳ ବଣ୍ଟନ କରାଯାଇଛି। ଅଙ୍ଗାରପଡ଼ା, ମଦନପୁର ଓ ଛତାବର ଆଦି ପଞ୍ଚାୟତକୁ ବ୍ଲକ ପକ୍ଷରୁ ଟଙ୍କା ପଠାଇ ଦିଆଯାଇଛି। ମାତ୍ର କୌଣସି ସ୍ଥାନ‌ରେ ପଲିଥିନ୍ ବଣ୍ଟନ କରାଯାଇନାହିଁ। ଫନିରେ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିବାବେଳେ ଅନେକଙ୍କ ଘରର ଛପର ଉଡ଼ି ଯାଇଛି। ଏବେ ପ୍ରଚଣ୍ଡ ଖରା ହେଉଥିବାବେଳେ ମଝିରେ ମଝିରେ କାଳବୈଶାଖୀ ବର୍ଷା ଦାଉ ସାଧୁଛି। ତେଣୁ ଘର ଭାଙ୍ଗିଥିବା ଲୋକଙ୍କର ପଲିଥିନ୍ ଦରକାର। ରାଜଧାନୀରେ ପଲିଥିନ୍ ବଦଳରେ ରାସନ୍ କାର୍ଡଧାରୀମାନଙ୍କୁ ୫ ଶହ ଟଙ୍କା ଲେଖାଏଁ ଦିଆଯାଇଛି। ମାତ୍ର ଗ୍ରାମାଞ୍ଚଳରେ ସେତକ ବି କରାଯାଉନାହିଁ। ପଲିଥିନ୍ ବଦଳରେ ଟଙ୍କା ମିଳିଲେ, ହୁଏତ ଲୋକେ ବଜାରରୁ ପଲିଥିନ୍ କିଣି କାମ ଚଳାଇ ନିଅନ୍ତେ। ସରକାରଙ୍କ ଏଭଳି ପାତରଅନ୍ତର ନୀତି ଲୋକଙ୍କ ଭିତରେ ଅସନ୍ତୋଷକୁ ବୃଦ୍ଧି କରିଥିବା ଜଣାପଡ଼ିଛି। ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ସୂଚନା ମିଳିଲାଣି।

ସମ୍ବନ୍ଧିତ ଖବର