ଖଣ୍ଡଗିରି: ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୁବନେଶ୍ବର ଏମ୍ସକୁ ଆସୁଛନ୍ତି। ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାକୁ ଆସୁଥିବା ରୋଗୀ ଏବେ ଦୁର୍ଗନ୍ଧ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କିଏ ନାକରେ ରୁମାଲ ବାନ୍ଧି ଏମ୍ସ ଭିତରକୁ ପ୍ରବେଶ କରୁଛନ୍ତି ତ ଆଉ କିଏ ଗାମୁଛା ବାନ୍ଧି ଯାଉଛନ୍ତି। ଜାତୀୟ ରାଜପଥ-୧୬ରୁ ଭୁବନେଶ୍ବ ଏମ୍ସକୁ ସଂଯୋଗ କରୁଥିବା ଦେଢ଼ କିଲୋମିଟର ରାସ୍ତାପାର୍ଶ୍ବରେ ଏବେ ଏଭଳି ପରିବେଶ ସୃଷ୍ଟି ହୋଇଛି। ରାସ୍ତା ପାର୍ଶ୍ବରେ କୁଢ଼ କୁଢ଼ ଅଳିଆ ବସ୍ତାରେ ବନ୍ଧା ହୋଇ ପଡ଼ିଥିବାରୁ ଏବେ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ଦିନେ କି ମାସେ ନୁହେଁ, ବରଂ ବର୍ଷେ ହେଲା ଏଠାରେ ସଫେଇ କରାଯାଉ ନ ଥିବାରୁ ଏବେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି।
ଏମ୍ସ ସମ୍ମୁଖରେ ପଡ଼ି ରହିଥିବା ଅଳିଆ କିଏ ସଫା କରିବ ତାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏହାର ସମ୍ମୁଖ ଅଞ୍ଚଳ ରଣସିଂହପୁର ପଞ୍ଚାୟତ ଅଧୀନରେ ଆସୁଥିବା ବେଳେ ପଛପାର୍ଶ୍ବ ଭୁବନେଶ୍ବର ମହାନଗର ନିଗମର ୬୫ ନମ୍ବର ୱାର୍ଡ ଅଧୀନରେ ଆସୁଛି। ଯେଉଁ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିରହିଛି ତାହା ପଞ୍ଚାୟତରେ ଆସୁଥିବାରୁ ସଫେଇ ଦିଗରେ କେହି ପଦକ୍ଷେପ ନେଉ ନାହାନ୍ତି। ସଫେଇ କରିବାକୁ ପଞ୍ଚାୟତ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ସେମାନେ ମଧ୍ୟ କାମ କରିପାରୁ ନ ଥିବା ଅଭିଯୋଗ ହୋଇଛି। ପଞ୍ଚାୟତବାସୀଙ୍କ କହିବା ମୁତାବକ ସଫେଇ ନିମନ୍ତେ ପଞ୍ଚାୟତରେ ୩ଟି ଅଳିଆ ଗାଡ଼ି ନିୟୋଜିତ ହୋଇଛି। ମାତ୍ର ଯେତିକି ଅନୁଦାନ ଆସୁଛି ସେଥିରେ ଏତେ ବଡ଼ ଅଞ୍ଚଳ ସଫେଇ କରିବା ସମ୍ଭବପର ହେଉ ନାହିଁ। ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି। ସେ ମଧ୍ୟ ସଫେଇ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ସମ୍ବଳ ଅଭାବରୁ ସଫେଇ ହୋଇପାରୁ ନାହିଁ।
ସେପଟେ ଏହି ଅଞ୍ଚଳରେ ଜବରଦଖଲ ଦିନକୁ ଦିନ ବଢ଼ୁଛି। ରାସ୍ତାପାର୍ଶ୍ବରେ ଗଢ଼ିଉଠୁଥିବା ଦୋକାନରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଗୁଁ ଏବେ ଆବର୍ଜନାର ପାହାଡ଼ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଭୁବନେଶ୍ବର ଏମ୍ସରୁ ସୁସ୍ଥ ହୋଇ ଫେରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଲୁଗାପଟାକୁ ଏଠାରେ ଫିଙ୍ଗିଦେଇ ଚାଲିଯାଉଛନ୍ତି। ଏବେ ରୋଗୀଙ୍କ କପଡ଼ାଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ବୋତଲ, ଗ୍ଲାସ୍, ଖଲିଠୁଙ୍ଗା, ମଦ ବୋତଲ ଭଳି ବିଭିନ୍ନ ପ୍ରକାରର ବର୍ଜ୍ୟ ଏଠାରେ ବହୁ ଦିନ ଧରି ପଡ଼ି ରହିବା ଦ୍ବାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ମୃତ ଗାଈଗୋରୁଙ୍କୁ ମଧ୍ୟ ଲୋକେ ଏଠାରେ ଫୋପାଡ଼ି ଦେଇ ଯାଉଛନ୍ତି। ଏବେ ବର୍ଷା ଦିନ ଚାଲୁଥିବାରୁ ସ୍ଥିତି ଆହୁରି ଅସମ୍ଭାଳ ହୋଇପଡ଼ିଛି।
ରାସ୍ତା ଦେଇ ପ୍ରତିଦିନ ବହୁ ଅଧିକାରୀ, ପ୍ରଶାସକ ତଥା ସ୍ବାସ୍ଥ୍ୟକର୍ମୀ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ। ବର୍ଷକୁ ବର୍ଷ ଭୁବନେଶ୍ବର ଏମ୍ସରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ପ୍ରବେଶ ପଥରୁ ମାତ୍ର ଦୁଇଶହ ମିଟର ଦୂରରେ ଏଭଳି ଅଘୋଷିତ ଡମ୍ପିଂୟାର୍ଡ ଏହାର ସୁନାମରେ ଆଞ୍ଚ ଆଣୁଥିବା ସହିତ ଅସ୍ବାସ୍ଥ୍ୟକର ସ୍ଥିତି ସୃଷ୍ଟି କରୁଛି। ତେଣୁ ତୁରନ୍ତ ଏହି ବର୍ଜ୍ୟବସ୍ତୁଗୁଡ଼ିକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ୬୫ ନମ୍ବର ୱାର୍ଡ କର୍ପୋରେଟର୍ ରଶ୍ମିରଞ୍ଜନ ପାଟ୍ଟଶାଣୀ କହିଛନ୍ତି ଯେ ପ୍ରତିଦିନ ଏତେ ସଂଖ୍ୟକ ଲୋକ ଆସୁଥିବାରୁ ଏମ୍ସ ଅଞ୍ଚଳର ସଫେଇ ନିତାନ୍ତ ଆବଶ୍ୟକ। ପୂର୍ବରୁ ମଧ୍ୟ ଏହି ସ୍ଥାନରେ ସମୂହ ସଫେଇ କରାଯାଇଥିଲା। ତେଣୁ ଏହି ଅଞ୍ଚଳକୁ ବିଏମ୍ସିରେ ସାମିଲ୍ କରାଯାଉ।