ଭୁବନେଶ୍ୱର: ସ୍ବଚ୍ଛତା ରୢାଙ୍କିଙ୍ଗ୍ରେ ସାରା ଦେଶରେ ନବମ। ପ୍ରଥମ ସ୍ଥାନ ପାଇଁ ଚାଲିଛି କସରତ। କିନ୍ତୁ ଏହା ବିଏମ୍ସିର ଯେ କେବଳ ଫମ୍ପା ବାହାସ୍ଫୋଟ, ଏହା ରାଜଧାନୀର ରାଜପଥ ସ୍ବଚ୍ଛତା ଚିତ୍ରରୁ ଜଳଜଳ ଦିଶୁଛି। ଯୁଆଡ଼େ ଦେଖିଲେ, ରାଜପଥ କଡ଼ କେବଳ ଆବର୍ଜନା ହିଁ ଆବର୍ଜନା। କେଉଁଠି ଶିଳ୍ପ ଆବର୍ଜନା ଗଦା ହୋଇ ରହିଛି ତ କେଉଁଠି ଘରୁ ବାହାରୁଥିବା ଅଇଁଠା, ଜରି ଆଦି ଗଦା ହୋଇଛି। ରାଜଧାନୀବାସୀ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଆଗନ୍ତୁକମାନେ ନାକ ଟେକୁଛନ୍ତି। ହାଇଟେକ୍ ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ ୩୧୬ ନମ୍ବର ଜାତୀୟ ରାଜପଥ କଡ଼(ପୁରୀ ବାଇପାସ୍ ରାସ୍ତା) ବିଏମ୍ସିର ଡମ୍ପିଂୟାର୍ଡ ପାଲଟିଛି। ଭୁବନେଶ୍ବର ସହରର କୁଢ଼କୁଢ଼ ଆବର୍ଜନା ଏଠାରେ ଗଦାହେଉଛି। ଟଙ୍କପାଣି ଛକ, କେଶୁରା ଟ୍ରାଫିକ୍ ଛକ, ସବୁଠି ସମାନ ସ୍ଥିତି। ଆବର୍ଜନା ମାତ୍ରା ଏତେ ଅଧିକ ଯେ ପାହାଡ଼ ଉଚ୍ଚ ହେଲାଣି। ଆଖପାଖ ପୂତିଗନ୍ଧମୟ ପରିବେଶ ବି ସୃଷ୍ଟି ହେଲାଣି। ଦୁର୍ଗନ୍ଧରେ ପାଖ ମାଡ଼ି ହେଉନି।
ନାକ ଟେକୁଛନ୍ତି ରାଜ୍ୟ ଓ ରାଜ୍ୟ ବାହାର ଆଗନ୍ତୁକ
ଗତବର୍ଷ ଭୁବନେଶ୍ବର ମହାନଗର ନିଗମ ସାରା ଦେଶର ସ୍ବଚ୍ଛ ସର୍ବେକ୍ଷଣରେ ଜାତୀୟ ରୢାଙ୍କିଙ୍ଗ୍ରେ ୩୪ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ସାରା ଦେଶରେ ୯ମ ସ୍ଥାନରେ ରହିଛି। ୨୦୨୬ରେ ସ୍ବଚ୍ଛତାରେ ବିଏମ୍ସିକୁ ଦେଶର ୧ ନମ୍ବର ସହର କରିବୁ ବୋଲି ମେୟର ଓ କମିସନର୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଯେଉଁମାନେ ବିଏମ୍ସିର ସ୍ବଚ୍ଛତା କାମରେ ନିୟୋଜିତ ଅଛନ୍ତି, ସେମାନେ ସଂଗୃହୀତ ଆବର୍ଜନା ସବୁ ଏମ୍ସିସି ଓ ଏମ୍ଆର୍ଏଫ୍କୁ ନ ନେଇ ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି, ପୂର୍ବରୁ ଆବର୍ଜନାର ଓଜନ ହିସାବରେ ବିଏମ୍ସି ଟଙ୍କା ଦେଉଥିଲା। ଟନ୍ ପିଛା ପ୍ରାୟ ୨୪ଶହ ଟଙ୍କା ଠିକା ସଂସ୍ଥାମାନଙ୍କୁ ଦିଆଯାଉଥିଲା। ଏଣୁ ଅଳିଆ ଉଠାକୁ ଠିକାସଂସ୍ଥାମାନେ ଗୁରୁତ୍ବ ଦେଉଥିଲେ। କିନ୍ତୁ ପ୍ରାୟ ୩ ବର୍ଷ ହେବ ଓଜନ ବଦଳରେ ଠିକା ହିସାବରେ ୱାର୍ଡ ସଫେଇ ଚାଲିଛି। ଫଳସ୍ବରୂପ ନିଜ ଖର୍ଚ୍ଚ ବଞ୍ଚାଇବାକୁ ଯାଇ ଠିକାସଂସ୍ଥାମାନେ ରାସ୍ତାକଡ଼ରେ ଅଳିଆ ଫିଙ୍ଗୁଥିବା ଅଭିଯୋଗ ହୋଇଛି।
ଭୁବନେଶ୍ବର ମହାନଗର ନିଗମର ତଥ୍ୟ ଅନୁଯାୟୀ, ସହରର ୬୭ଟି ୱାର୍ଡରୁ ଦୈନିକ ପ୍ରାୟ ୮୦୦ ମେଟ୍ରିକ ଟନ୍ ବର୍ଜ୍ୟ ବାହାରୁଛି। ଏଥିରୁ ପ୍ରାୟ ୧୯୪ ମେଟ୍ରିକ୍ ଟନ୍ ଓଦା ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ୩୭ଟି ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଓ ୧୨୦ ମେଟ୍ରିକ୍ ଟନ୍ ଶୁଖିଲା ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ୨୨ଟି ଏମ୍ଆର୍ଏଫ୍(ମ୍ୟାଟେରିଆଲ୍ ରିକୋଭରି ଫାସିଲିଟି) ରହିଛି। ବିଭିନ୍ନ ସ୍ଥାନରେ ଥିବା ଟିଟିଏସ୍ରେ ୩୪୦ ମେଟ୍ରିକ୍ ଟନ୍ ଆବର୍ଜନା ପ୍ରକ୍ରିୟାକରଣ ହେଉଛି ବୋଲି ବିଏମ୍ସି ଦାବି କରୁଛି। ପ୍ରତି ଶନିବାର ବି ଇ-ୱେଷ୍ଟ୍ ସଂଗ୍ରହ ଓ ଏହାର ପୁନଃଚକ୍ରଣ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଉଛି। କିନ୍ତୁ ତୃଣମୂଳସ୍ତରରୁ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ନିୟୋଜିତ ସଂସ୍ଥାମାନେ ଆବର୍ଜନା କେନ୍ଦ୍ରକୁ ଆବର୍ଜନା ନେବା ବଦଳରେ ରାଜପଥ କଡ଼ରେ ଫିଙ୍ଗି ଦେଉଛନ୍ତି। ବିଭିନ୍ନ ହୋଟେଲ, ମଣ୍ଡପ ଆଦିରେ ଆୟୋଜିତ ବିବାହ ଭୋଜିରୁ ନିର୍ଗତ ଆବର୍ଜନା, କୋଠା ନିର୍ମାଣ ଭଗ୍ନାଂଶକୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରାଯାଉଛି। ହାଇଟେକ୍ ଛକରୁ ଲିଙ୍ଗିପୁର ଭିତରେ ଜାତୀୟ ରାଜପଥର ଏକାଧିକ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଫିଙ୍ଗାଯାଇଛି। ବିଏମ୍ସି ଏହାକୁ ନିୟମିତ ଯାଞ୍ଚ କରୁ ନଥିବାରୁ ଠିକାସଂସ୍ଥାଙ୍କ ସହ ବିବାହମଣ୍ଡପ ଓ ନିର୍ମାଣକାରୀ ସଂସ୍ଥାଙ୍କ ଔଦ୍ଧତ୍ୟ ବଢ଼ିଚାଲିଛି ବୋଲି ଅଭିଯୋଗ ଉଠିଛି। ୱାର୍ଡୱାରି ଏହାର ତନଖି କରିବାକୁ ଦାବି ହୋଇଛି। ଏନେଇ ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି କିଏ, କେଉଁଠୁ ଏହି ଆବର୍ଜନା ଆଣି ପକାଉଛନ୍ତି ତାହା ଜଣାନାହିଁ। ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ।