ବିଏମ୍‌ସି ପାଇଁ ଅଳିଆ ଅଡ଼ୁଆ ବଢ଼ୁଛି

ଭୁବନେଶ୍ବର: ଅଳିଆ ଅଡ଼ୁଆ ତୁଟିବା ନାଁ ଧରୁନି। ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଭୁଆସୁଣି ବିବାଦର ସାମୟିକ ଅବସାନ ପରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରିବା ନେଇ ‌ଯେଉଁ ଆଶା ପ୍ରକାଶ ପାଇଥିଲା ତାହା ସମ୍ଭବ ହେଉ ନାହିଁ। ନୂଆ ପରିମଳ ପ୍ୟାକେଜ୍‌ରେ ଟେଣ୍ଡର ପାଇଥିବା ନୂଆ ସଂସ୍ଥା ଏବେ ବି ସଫଳ ହୋଇନାହାନ୍ତି। ବିଏମ୍‌ସି ଏଯାବତ୍‌ ସାହାଯ୍ୟ କରିଆସୁଛି। ଆସନ୍ତା ୩୦ ତାରିଖ ଦିନ ରାମ୍‌କି ସଂସ୍ଥାର ବର୍ଦ୍ଧିତ ଚୁକ୍ତି ଅବଧି ଶେଷ ହେଉଛି। ଏଥର ବିଏମ୍‌ସି ଚୁକ୍ତି ଅବଧି ବଢ଼ାଇବାକୁ ଅନୁରୋଧ କଲେ ବି ସେ ଶୁଣିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛି। ଏଣୁ ସେପ୍ଟେମ୍ବର ପରେ ଅଳିଆ ଅଡ଼ୁଆ ଆହୁରି ବଢ଼ିବ ବୋଲି ଥୟ ହୋଇଛି। ଏବେ ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି କରିଛି। ବିଏମ୍‌ସିରେ କେବଳ ପରିମଳ ଉପବିଭାଗ ଅଧୀନରେ ୧୨୫ ଜଣ କର୍ମଚାରୀ ରହିଛନ୍ତି। ବ୍ୟବହୃତ ଗାଡ଼ି ଓ ଅନ୍ୟାନ୍ୟ ଖର୍ଚ୍ଚ ବାଦ୍‌ ଏମାନଙ୍କ ଦରମା ବାବଦକୁ ବିଏମ୍‌ସି ରାଜକୋଷରୁ ମାସକୁ ପ୍ରାୟ ୪୦ ଲକ୍ଷ ଟଙ୍କା ଯାଉଛି। ଆଉ କେତେ ହେଲେ ପରିମଳ ଅବସ୍ଥା ସୁଧୁରିବ ବୋଲି ପ୍ରଶ୍ନ ଉଠିଛି।

ପରିମଳ ବିଭାଗରେ ୧୨୫ କର୍ମଚାରୀ, ତଥାପି ବିଭ୍ରାଟ
୩୦ରେ ରାମ୍‌କି ଛାଡ଼ିବ କାମ, ଏବେ ବି ଅଚିନ୍ତାରେ କର୍ତ୍ତୃପକ୍ଷ
ପ୍ରସ୍ତୁତ ହୋଇପାରୁନି ଏମ୍‌ସିସି, କିଣା ହେବ ସ୍ରେଡର ମେସିନ୍‌
ସଫେଇ ସଂସ୍ଥାକୁ ଅହେତୁକ ଅନୁକମ୍ପା

ଏଣେ ମେ’ ମାସ ସୁଦ୍ଧା ଭୁଆସୁଣି ଡମ୍ପିଂୟାର୍ଡକୁ ଆବର୍ଜନା ପଠାଇବା ବନ୍ଦ କରିବାକୁ ହେବ। ସେଥିପାଇଁ ସହରରେ ପରିମଳ ବ୍ୟବସ୍ଥା ସୁଧାରିବାକୁ ବିଏମ୍‌ସି ଲାଗିପଡ଼ିଛି। ଏହାକୁ ନିଶ୍ଚିତ କରିବାକୁ ଦାୟିତ୍ବ ନେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି. ମାଥିଭାତନାନ୍‌। ସେଥିପାଇଁ ସେ ବିଏମ୍‌ସି ଅଧିକାରୀଙ୍କ ସହ ପରିମଳ ବ୍ୟବସ୍ଥାକୁ ନେଇ ନିୟମିତ ସମୀକ୍ଷା କରୁଛନ୍ତି। ହେଲେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉ ନାହିଁ। ଏମ୍‌ସିସି(ମାଇକ୍ରୋ‌ କମ୍ପୋଷ୍ଟିଂ ସେଣ୍ଟର)ଗୁଡ଼ିକ ଶତପ୍ରତିଶତ କାମ କରୁନାହିଁ। ଏଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାମ କଲେ ଯାଇ ଭୁଆସୁଣିକୁ ଆବର୍ଜନା ବନ୍ଦ କରିବା ସମ୍ଭବ ହେବ। କିନ୍ତୁ ଏମ୍‌ସିସିରେ ଏବେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଲକ୍ଷ ଲକ୍ଷ ଟଙ୍କାର ସ୍ରେଡର ମେସିନ୍‌ ଭାଙ୍ଗିଯାଇଛି। ବିଭିନ୍ନ ଏମ୍‌ସିସି ପାଇଁ ଏହି ମେସିନ୍‌ କିଣିବା ପାଇଁ ବିଏମ୍‌ସି ଟେଣ୍ଡର ଡାକିଛି। ୪ ବର୍ଷ ମଧ୍ୟରେ ଏଗୁଡ଼ିକ କିଭଳି ନଷ୍ଟ ହୋଇଗଲା ତାହାକୁ କେହି ବୁଝିବାକୁ ଚାହିନାହାନ୍ତି। ବରଂ ପୁଣି ଥରେ ଏହି ସ୍ରେଡର ମେସିନ୍‌ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି। ପୂର୍ବରୁ ଏଗୁଡ଼ିକ ବାରମ୍ବାର ଖରାପ ହେବା ଯୋଗୁଁ କାମ ବାଧାପ୍ରାପ୍ତ ହେଉଥିବା ପରିଲକ୍ଷିତ ହୋଇଥିଲା। ଏବେ ଏହାକୁ ଖରାପ ଦର୍ଶାଇ ପୁଣି ଥରେ କିଣାଯିବାକୁ ଯୋଜନା ହୋଇଛି।

ଅନ୍ୟପଟେ ନୂଆ ‌ପ୍ୟାକେଜ୍‌ ଟେଣ୍ଡରରେ ବ୍ୟାପକ ତ୍ରୁଟି ରହିଛି। ଯାହା ନିକଟ ଭବି‌ଷ୍ୟତରେ ସମାଧାନ ହେବା ଦେଖା ଯାଉନାହିଁ। ୬୭ ୱାର୍ଡକୁ ୧୦ଟି ପ୍ୟାକେଜ୍‌ କରି ଆଉଟ୍‌ସୋର୍ସିଂ ଜରିଆରେ ସଫେଇ କରିବାକୁ ଯେଉଁ ଉଦ୍ୟମ ହୋଇଥିଲା ତାହା ଫେଲ୍‌ ମାରିଛି। ଦୁଇଟି ପ୍ୟାକେଜ୍ ଅଦାଲତି ବିବାଦରେ ଫସି ରହିଥିବା ବେଳେ ୪ଟି ସରକାରଙ୍କ ମଞ୍ଜୁରିକୁ ଅପେକ୍ଷା କରିଛି। ନୂଆ ସଂସ୍ଥା ଆୱାର ଲ୍ୟାଣ୍ଡ ପାଇଥିବା ୩ଟି ପ୍ୟାକେଜ୍‌ରୁ ଗୋଟିଏରେ କାମ କରୁଛି। ପୁରୁଣା ସଂସ୍ଥା ଅନିଚ୍ଛା ସତ୍ବେ କାମ କରୁଛନ୍ତି। ଏସ୍କାଲେସନ ଫି ବାବଦରେ ସେମାନେ ବିଏମ୍‌ସିରୁ କୋଟି କୋଟି ଟଙ୍କା ପାଇବାକୁ ଥିବାରୁ ସେମାନଙ୍କ ଉପରେ ବିଏମ୍‌ସିର କର୍ତ୍ତୃତ୍ବ ରହୁନାହିଁ। ଫଳରେ ପରିମଳ ବ୍ୟବସ୍ଥାରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି।

ପରିମଳ ବ୍ୟବସ୍ଥାରେ ୧୨୫ ଜଣ କର୍ମଚାରୀ କାମ କରୁଛନ୍ତି। ଉପବିଭାଗର ମୁଖ୍ୟ ଭାବରେ ଡେପୁଟି କମିସନର ରହିଥିବା ବେଳେ ଜଣେ ଅତିରିକ୍ତ କମିସନର ସୁପରଭାଇଜ୍‌ ଦାୟିତ୍ବରେ ରହିଛନ୍ତି। ଏମାନଙ୍କ ଅଧୀନରେ କନିଷ୍ଠ ଓ ବରିଷ୍ଠ ସାନିଟାରି ଏକ୍ସପର୍ଟ ୧୩ ଜଣ, ଏସ୍‌ବିଏ ସେଲ୍‌ରେ ୧୦ ଜଣ, ୪୧ ଜଣ ସାନିଟାରି ଇନ୍‌ସ୍‌ପେକ୍ଟର, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପିଏମ୍‌ୟୁ ସେଲ୍‌ରେ ୫ ଜଣ, ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ ୫୬ ଜଣ, ଏଭଳି ୧୨୫ ଜଣ ରହିଛନ୍ତି। ଏମାନେ ସମସ୍ତେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କାମ କରୁଛନ୍ତି। ହେଲେ ପରିମଳ ବ୍ୟବସ୍ଥା‌ରେ କେବେ ସୁଧାର ଆସିବ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର