ପୁଣି ଅଳିଆ ଅଡ଼ୁଆ: ୬୨ କିମି ରାସ୍ତା, ସଫା ହେଉଛି ୩୮ କିମି; ୧୪ ପ୍ରତିଶତ ଅଧିକ ନେଉଛି ଠିକାସଂସ୍ଥା

ଗୁରୁଚଣ୍ଡାଳ ଦୋଷଯୁକ୍ତ ଟେଣ୍ଡର ପାଇଁ ଏଭଳି ଅବସ୍ଥା, ବାତିଲ ନିଷ୍ପତ୍ତି କାର୍ଯ୍ୟକାରିତାକୁ ନେଇ ସଭିଏଁ ନିରବ

ଭୁବନେଶ୍ବର : ଅଳିଆ ଅଡ଼ୁଆ ବିଏମ୍‌ସିର ପିଛା ଛାଡ଼ୁନି। ଗାଡ଼ି ସହ ମାନବ ସମ୍ବଳ ଯୋଗାଇ ବିଏମ୍‌ସି ଏହି ଅଡ଼ୁଆକୁ ବେଶ୍‌ କିଛି ଦିନ ମ୍ୟାନେଜ୍‌ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଟେଣ୍ଡରରେ ଗୁରୁଚଣ୍ଡାଳ ଦୋଷ ଥିବାରୁ ଏହାକୁ ଯେତେ ଲୁଚାଇଲେ ବି ଲୁଚୁନାହିଁ। ଖୋଦ୍‌ କର୍ପୋରେଟର ଅଭିଯୋଗ କରିବା ପରେ ଏବେ ବିଏମ୍‌ସି ଚିନ୍ତାରେ ପଡ଼ିଛି। ଏହି ଟେଣ୍ଡର ପ୍ରକ୍ରିୟାରେ ଥିବା ତ୍ରୁଟିକୁ ନେଇ କର୍ପୋରେଟରମାନେ କର୍ପୋରେସନ ବୈଠକରେ ହୋ ହଲ୍ଲା କରିବା ପରେ ଏହାକୁ ନେଇ ତନାଘନା ହୋଇଥିଲା। ଶେଷରେ ଏହାକୁ ବାତିଲ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ପରେ କର୍ପୋ‌ରେଟରମାନେ ନିରବି ଯାଇଥିଲେ। ବିଏମ୍‌ସି ମଧ୍ୟ ଏ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନେଇ ଆଉ ଆଗକୁ ବଢ଼ିନଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କର ଏହି ଟେଣ୍ଡରରେ ପ୍ରଚ୍ଛନ୍ନ ହାତ ଥିବାରୁ ବିଏମ୍‌ସି ହାତ ମାରିବାକୁ ଚାହୁନଥିଲା। କିନ୍ତୁ ଏବେ ଜଣେ କର୍ପୋରେଟର ଅଭିଯୋଗ ଉଠାଇଥିବାରୁ ଏହି ଦୋଷଯୁକ୍ତ ଟେଣ୍ଡର ବାତିଲ ପ୍ରସଙ୍ଗ ସାମ୍ନାକୁ ଆସିଛି। ଏହି ପ୍ରସଙ୍ଗରେ କେଉଁ ପରିସ୍ଥିତିରେ ସମସ୍ତେ ନିରବି ଯାଇଛନ୍ତି ସେ ନେଇ ପ୍ରଶ୍ନ ଉଠିଛି।


Twitter

ପୂର୍ବରୁ ଗୋଟିଏ ସଂସ୍ଥା ରାସ୍ତା ଓଳାଇବା, ବୁଦା କାଟିବା, ନଳା ସଫା କରିବା ଓ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ ଦାୟିତ୍ବ ନେଇଥିଲା। କିନ୍ତୁ ବିଏମ୍‌ସିର ୬୭ ୱାର୍ଡକୁ ୧୦ଟି ପ୍ୟାକେଜ୍‌ କରି ବିଏମ୍‌ସି ଟେଣ୍ଡର୍‌ ଦେଇଦେଲା। ଏଥିରେ ଉପରୋକ୍ତ ୪ଟି କାମ ପାଇଁ ୩ଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଫଳରେ ସମନ୍ବୟ ଅଭାବ ଯୋଗୁଁ ଆବର୍ଜନା ଉଠି ପାରୁନାହିଁ। ପୂର୍ବରୁ ଓଜନ ଅନୁସାରେ ପଇସା ମିଳୁଥିବାରୁ ସଂସ୍ଥାମାନେ ଓଜନ ବଢ଼ାଇବା ପାଇଁ ଆବର୍ଜନା ଖୋଜି ଖୋଜି ଉଠାଉଥିଲେ। କିନ୍ତୁ ନୂଆ ଟେଣ୍ଡର୍‌ରେ ‘ଲମ୍ପସମ୍‌’ ବ୍ୟବସ୍ଥା ଥିବାରୁ ସଂସ୍ଥାମାନେ କେତେ କମ୍‌ ଆବର୍ଜନା ଉଠାଇବେ ସେ ଚିନ୍ତାରେ ରହିଲେ।

ତେବେ ନୂଆ ପ୍ୟାକେଜ୍‌ ଟେଣ୍ଡରରେ ଏକ ବଡ଼ ତ୍ରୁଟି ରହିଥିଲା, ଯାହାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ନୂଆ ଟେଣ୍ଡରରେ ବିଏମ୍‌ସି ପ୍ରତି ୱାର୍ଡରେ ଥିବା ରାସ୍ତା ବାବଦରେ ସୂଚନା ଦେଇଥିଲା। କେଉଁ ୱାର୍ଡରେ କେତେ ରାସ୍ତା ରହିଛି ବା‌ ସଂସ୍ଥାକୁ କେତେ ଲମ୍ବାର ରାସ୍ତା ସଫା କରିବାକୁ ପଡ଼ିବ ସେ ନେଇ ଟେଣ୍ଡରରେ ସୂଚନା ରହିଥିଲା। କିନ୍ତୁ କେଉଁଠି ନୂଆ ରାସ୍ତା ହୋଇଥିଲେ ଲମ୍ବା ବଢ଼ିବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ସଂସ୍ଥା ଠିକା ନେବା ପୂର୍ବରୁ ନିଜଆଡ଼ୁ ମାପଚୁପ କରି ବିଏମ୍‌ସି ମାପ ସହ ମେଳକ କରାଇବାକୁ ସର୍ତ୍ତ ରହିଥିଲା। ଯେଉଁଠି ଅଧିକ ରାସ୍ତା ଥିବ ସେହି ଅନୁସାରେ ଅଧିକ ପଇସା ମିଳିବ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ କେତେକ ସଂସ୍ଥା ମାପ ନ କରି ବିଏମ୍‌ସି ମାପକୁ ଧରି ଠିକା ନେଇଗଲେ। କେତେକ ଅଧିକ ଦେଖାଇ ଅଧିକ ପଇସା ନେଲେ। କିନ୍ତୁ ପରେ ବିଏମ୍‌ସି ଦେଇଥିବା ହିସାବ ମୁତାବକ ରାସ୍ତା ସଫା କଲେ। ଅଧିକ ଅତିରିକ୍ତ ରାସ୍ତାକୁ ସଫା କଲେ ନାହିଁ।

New Indian Express

ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ପ୍ୟାକେଜ୍‌-୧। ଏହି ପ୍ୟାକେଜ୍‌ ଅଧୀନରେ ରହିଛି ୱାର୍ଡ ନଂ. ୭। ପ୍ରତ୍ୟୁଷ ନାମକ ଏକ ସଂସ୍ଥା ଏଠାରେ ସଫେଇ ଠିକା ନେଇଛି। ବିଏମ୍‌ସି ଏଠାରେ ୩୮.୪୫ କିମି ରାସ୍ତା ଥିବା ଦର୍ଶାଇଥିବା ବେଳେ ବାସ୍ତବରେ ଏଠାରେ ୬୨ କିମି ରାସ୍ତା ରହିଛି। ଏଠାରେ ରାସ୍ତା ଅଧିକ ଥିବା ଦର୍ଶାଇ ପ୍ରତ୍ୟୁଷ ସଂସ୍ଥା ଟେଣ୍ଡର ପରିମାଣର ୧୪ ପ୍ରତିଶତ ଅତିରିକ୍ତ ଅର୍ଥ ନେଉଛି। ହେଲେ ୩୮.୪୫ କିମି ସଫା କରୁଥିବା ଅଭିଯୋଗ ହୋଇଛି। ଖୋଦ୍‌ କର୍ପୋରେଟର ଯଶୋଧାରା ପ୍ରଧାନ ଏ ନେଇ ଅଭିଯୋଗ କରିବା ପରେ ତନାଘନା ହୋଇଛି। ଅଧିକ ଲୋକ ଲଗାଇ ବାକି ରହିଯାଉଥିବା ଅଞ୍ଚଳକୁ ସଫା କରିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଏମ୍‌ସି କହିଛି। କିନ୍ତୁ ଯେଉଁ ସବୁ ଅଞ୍ଚଳ ସଫା ନ କରି ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ନେଇଯାଇଛି ସେ ଅର୍ଥ ସଂସ୍ଥା ଠାରୁ ଆଦାୟ ହେବ ତ? ଏଭଳି ଅନେକ ପ୍ରଶ୍ନ ଏବେ ଏହି ବିବଦୀୟ ଟେଣ୍ଡର ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି। କେବଳ ଏହି ଅଞ୍ଚଳ ନୁହେଁ, ସହରର ଅର୍ଦ୍ଧାଧିକ ୱାର୍ଡରେ ଏହି ସମସ୍ୟା ରହିଛି। କିନ୍ତୁ କର୍ପୋରେଟରମାନେ ରହସ୍ୟଜନକ ଭାବରେ ନିରବ ଥିବାରୁ ଅଭିଯୋଗ ହେଉନାହିଁ। ନୂଆ ଟେଣ୍ଡର ବାତିଲ ହେବା ପର କଥା, ବରଂ ଏବେ ଆଉ ୧୭ ୱାର୍ଡକୁ ସଫେଇ କରିବା ପାଇଁ ସେହି ସମାନ ପ୍ରକ୍ରିୟାରେ ଟେଣ୍ଡର ଡକା ଯାଇଛି।

ସମ୍ବନ୍ଧିତ ଖବର