ଦିପହର ଯାଏ ଉଠୁନି ଅଳିଆ

ଭାଙ୍ଗିଗଲାଣି ରାସ୍ତାପାର୍ଶ୍ବ ‌ଡଷ୍ଟବିନ୍‌, ଟ୍ରଲି, ଦୁର୍ଗନ୍ଧରେ ଫାଟିପଡ଼ୁଛି ଅର୍ଧାଧିକ ରାଜଧାନୀ

ଚନ୍ଦ୍ରଶେଖରପୁର : ରାସ୍ତାପାର୍ଶ୍ବରେ ଜମା ହୋଇ ‌ରହିଛି କୁଢ଼ କୁଢ଼ ଅଳିଆ। କେଉଁଠି ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ୁଛି ତ ଆଉ କେଉଁଠି ରାସ୍ତା ଉପରେ ଢେଉ ଖେଳୁଛି ପଚା‌ ପାଣି। ସେଥିରେ ଲୋକେ ଯିବା ଆସିବା ବି କରୁଛନ୍ତି। ଗତ ୧୫ ଦିନ ହେଲା ସହରର ଅଧିକାଂଶ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିଛି। ଦିନ ଦିପହର ଯାଏ ରାସ୍ତା ଉପରେ ଅଳିଆ ପଡ଼ି ରହୁଛି। ଗାଡ଼ି ଆସୁନି କି ଅଳିଆ ଉଠୁନି। ଯେଉଁଠି ବି ଡଷ୍ଟବିନ୍‌ ରହିଛି ତାହା ପୂରଣ ହୋଇ ତଳେ ଅଳିଆ ଆବର୍ଜନାର ପାହାଡ଼ ସୃଷ୍ଟି ହେଲାଣି।

ଅର୍ଧାଧିକ ଭୁବନେଶ୍ବରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ସହିଦନଗର ହେଉ କି କିଟ୍‌ ଛକ। ଅଥବା ଖାରବେଳ ନଗର। ସବୁଠି ଗୋଟିଏ ସମସ୍ୟା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏବେ ସମସ୍ୟା ଜଟିଳ ହେବାରେ ଲାଗିଛି। ପ୍ରତିଦିନ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଭିଭିଆଇପି ଓ ଭିଆଇପି ଯିବା ଆସିବା କରୁଥିବାରୁ ସେମାନଙ୍କ ଦୃଷ୍ଟିରେ ସହରର ଏପରି ବିପର୍ଯ୍ୟସ୍ତ ଦୃଶ୍ୟ ପଡ଼ୁଛି। ଏନେଇ କିଟ୍‌ ଛକରେ ବ୍ୟବସାୟ କରୁଥିବା କୁମର ମହାନ୍ତି କହିଛନ୍ତି ଗତ ଏକ ମାସ ହେଲା ଠିକ୍‌ ସମୟରେ ଅଳିଆ ଉଠୁନି। କେତେବେଳେ ପୂର୍ବାହ୍ଣ ୧୧ଟାରେ ଉଠୁଛି ତ ଆଉ କେଉଁ ଦିନ ଅପରାହ୍‌ଣ ଯାଏ ପଡ଼ିରହୁଛି। ସଫେଇ କର୍ମଚାରୀମାନେ ଡଷ୍ଟବିନ୍‌‌େର ଅଳିଆ ପକାଇ ଚାଲିଯାଉଛନ୍ତି। ଦିନେ ଦିନେ ଗାଡ଼ି ଆସୁ ନଥିବାରୁ ଅଳିଆ ଉଠୁନି। ଶୈଳଶ୍ରୀ ବିହାରର ଗୃହିଣୀ ପୁଷ୍ପଲତା ସାସମଲ୍‌ କହିଛନ୍ତି କର୍ମଚାରୀମାନେ ସକାଳୁ ଆସି ଘରୁ ଅଳିଆ ନେଇଯାଉଛନ୍ତି। ହେଲେ ତାହାକୁ ରାସ୍ତାପାର୍ଶ୍ବରେ ଥିବା ବଡ଼ ଡଷ୍ଟବିନ୍‌ରେ ପକାଉଛନ୍ତି। ନିୟମିତ ଭାବେ ‌ସେଠାରୁ ଅଳିଆ ଉଠା‌ଯାଉ ନଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ରାସ୍ତାରେ ଯାଇ ହେଉନି। ଜୟଦେବ ବିହାର ଅଞ୍ଚଳର ଉଠାଦୋକାନୀ ସୁକାନ୍ତ ଅଭିଯୋଗ କରିଛନ୍ତି ଯେ ହକି ବିଶ୍ବକପ୍‌ ପାଇଁ ସୌନ୍ଦର୍ଯ୍ୟକରଣ ‌କରାଯାଉଛି। ହେଲେ ଅଳିଆ ଉଠିବା ପ୍ରତି କାହାର ଧ୍ୟାନ ନାହିଁ। ଡଷ୍ଟବିନ୍‌ଗୁଡ଼ିକ ଭାଙ୍ଗିଯାଇଥିବାରୁ ଅଳିଆ ବାହାରେ ପଡ଼ୁଛି। ଗାଈଗୋରୁ ଜରି ଖାଉଛନ୍ତି। ରୋଗ ବ୍ୟାପିବା ଆଶଙ୍କା ରହୁଛି।

ବିଳମ୍ବରେ ଅଳିଆ ଉଠିବା ନେଇ ସିଟି ସ୍ବାସ୍ଥ୍ୟ ଅଧିକାରୀ ଡା. ରାମ ଚନ୍ଦ୍ର ରାଉତ କହିଛନ୍ତି ଯେ କିଛି ଦିନ ହେଲା ଏଭଳି ସମସ୍ୟା ହୋଇଛି। ଆବଶ୍ୟକୀୟ ମୁତାବକ ଗାଡ଼ି ନଥିବାରୁ ଅଳିଆ ଠିକ୍‌ ସମୟରେ ଉଠାଯାଇପାରୁନି। ଏନେଇ କେତେକ ସ୍ଥାନରୁ ଅଭିଯୋଗ ଆସିଛି। ଖୁବ୍‌ଶୀଘ୍ର ନୂଆ ଗାଡ଼ି ଆସିବ। ରାସ୍ତାପାର୍ଶ୍ବରେ ଭାଙ୍ଗିଯାଇଥିବା ବଡ଼ ଡଷ୍ଟବିନ୍‌କୁ ପରିବର୍ତନ କରାଯିବ। ବହୁ ସଂଖ୍ୟାରେ ଅଳିଆ ବୁହା ଟ୍ରଲି ଭାଙ୍ଗିପଡ଼ିଛି। ତାହାକୁ ବି ପରିବର୍ତନ କରାଯିବାର ଆବଶ୍ୟକତା ରହିଛି।

ଏଣିକି ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌
ବିଶ୍ବକପ୍‌ ହକିକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ଏବେ ଡଷ୍ଟବିନ୍‌ଗୁଡ଼ିକର ରୂପ ମଧ୍ୟ ପରିବର୍ତନ ହେବ। ସହର ସାରା ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌ ଲାଗିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ମଙ୍ଗଳବାରଠାରୁ ପୁରୁଣା ଭୁବନେଶ୍ବରରେ ଏହାକୁ ଲଗାଯିବ। ଡଷ୍ଟବିନ୍‌ର ୯୦ ପ୍ରତିଶତ ଅଂଶ ମାଟି ତଳେ ରହିବ। ବାକି ୧୦ ପ୍ରତିଶତ ବାହାରକୁ ଦେଖାଯିବ। ତାହା ଭିତରେ ଲୋକେ ଅଳିଆ ପକାଇବେ। ଏହି ଡଷ୍ଟବିନ୍‌ ଲାଗିବା ପରେ ଆଉ ଚୋରି ଭୟ ରହିବନି।

ସମ୍ବନ୍ଧିତ ଖବର