ଉତ୍କଟ ହେଲାଣି ଅଳିଆ ସ୍ଥିତି, ଅଧିକାଂଶ ୱାର୍ଡରେ ଅଳିଆ ଉଠୁନି

ଟିଟିଏସ୍‌ ନିକଟରେ ଅସମ୍ଭାଳ ସ୍ଥିତି

ଭୁବନେଶ୍ବର: ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା ସମାଧାନ ହୋଇ ପାରୁନାହିଁ। ଆଜି ନିଷ୍ପତ୍ତି ଶୁଣାଇବାକୁ ଦାରୁଠେଙ୍ଗବାସୀ କଥା ଦେଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇ ପାରିନାହାନ୍ତି। ଗତକାଲି ବସିଥିବା ଗ୍ରାମସଭାରେ ପ୍ରବଳ ହୋହଲ୍ଲା ହେବା ସହ ଆବର୍ଜନା ଗଦା ନ କରିବା ପାଇଁ ଗ୍ରାମବାସୀ ଖୋଲାଖୋଲି ଶୁଣାଇ ଦେବା ପରେ ଆଜି ସନ୍ଧ୍ୟାରେ ପୁଣି ଥରେ ସରପଞ୍ଚ ତପନ ଚକ୍ରବର୍ତ୍ତୀ ଗ୍ରାମବାସୀଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି। ହେଲେ ଗ୍ରାମବାସୀ ନଛୋଡ଼ବନ୍ଧା, ପୂର୍ବ ଜିଦ୍‌ରେ ଅଟଳ ରହିଛନ୍ତି। ଭୁଆସୁଣିକୁ ଆବର୍ଜନା ଯିବ କି ନାହିଁ ସେ ନେଇ ଗ୍ରାମସଭାରେ ହୋଇଥିବା ଆଲୋଚନାର ନିଷ୍କର୍ସକୁ ଆଧାର କରି ଆସନ୍ତାକାଲି ସରପଞ୍ଚ ବିଏମ୍‌ସିକୁ ଲିଖିତ ଭାବେ ଅବଗତ କରାଇବେ ବୋଲି ଜଣାପଡ଼ିଛି।

ଅଳିଆ ବିବାଦ ତୁଟାଇବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ବାରମ୍ବାର ବିଫଳ ହେଉଥିଲା ବେଳେ ସହରରେ ଆବର୍ଜନାର ସ୍ଥିତି ଉତ୍କଟ ହେଲାଣି। ଅଧିକାଂଶ ୱାର୍ଡରୁ ଆବର୍ଜନା ଉଠୁନି। ଏପରିକି କିଛି ଜାଗାରେ ଲୋକ ଘରୁ ବାହାରିବା ବେଳେ ନାକରେ ହାତ ଦେଉଛନ୍ତି। କେବଳ ଲୋକ ଦେଖାଣିଆ ଭାବରେ କିଛି ୱାର୍ଡରୁ ଉଠାଇ ନେଇ ଅନ୍ୟ ୱାର୍ଡରେ ଥିବା ଖାଲି ଜାଗାରେ ଫିଙ୍ଗି ଦିଆଯାଉଛି। ଚିଲିପୋଖରିରେ ଏକ ଅସ୍ଥାୟୀ ଡମ୍ପିଂୟାର୍ଡ ସୃଷ୍ଟି ହୋଇଛି। ଟିଟିଏସ୍‌ ଭର୍ତ୍ତି ହୋଇଯିବା ପରେ ଟିଟିଏସ୍‌ ବାହାରେ ମଧ୍ୟ ଅଳିଆ ପାହାଡ଼ ଭଳି ଗଦା ହେଲାଣି। ଅଳିଆ ଗାଡ଼ି ବି ସେଠାରେ ଲମ୍ବା ଧାଡ଼ିରେ ଠିଆ ହୋଇଛି। ଟିଟିଏସ୍‌ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଅତ୍ୟନ୍ତ ଦୁର୍ଗନ୍ଧରେ ଦିନ କାଟୁଛନ୍ତି। ଟିଟିଏସ୍‌ ପାଖ ଦେଇ ଯାତାୟତ ବି ଅସମ୍ଭବ ହୋଇପଡ଼ିଲାଣି। ଘଟଣାର ତୁରନ୍ତ ସମାଧାନ ନ ହେ‌ଲେ ରାଜଧାନୀବାସୀ ଏହାର କୁପରିଣାମ ଭୋଗିବା ଥୟ ହୋଇଛି।

ଏଣେ ମେୟର, କମିସନର ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଆବର୍ଜନାକୁ ନେଇ ବିଏମ୍‌ସି ସମ୍ମିଳନୀ କକ୍ଷରେ ଦେଢ଼ ଘଣ୍ଟା କାଳ ମାନସମନ୍ଥନ କରିଛନ୍ତି। ଯଦି ଦାରୁଠେଙ୍ଗରୁ ନକରାତ୍ମକ ଉତ୍ତର ଆସେ ତେବେ କ’ଣ କରାଯିବ? ଯଦି ସକରାତ୍ମକ ଆସେ ତେବେ ସବୁ ଅଳିଆ ଉଠିବାକୁ କେତେ ଦିନ ଲାଗିବ? ଅନ୍ତତଃ ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ସରିବ କି ନାହିଁ? ଏହାକୁ ନେଇ ତନାଘନା ହୋଇଥିଲେ ମଧ୍ୟ କିଛି ବାଟ ବାହାରିପାରିନି। ତେବେ ଦାରୁଠେଙ୍ଗରୁ ଭଲ ଖବର ଆସିବ ବୋଲି ମେୟର ସୁଲୋଚନା ଦାସ ଆଶା ଦେଖାଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ବିଏମ୍‌ସି ପୁଲିସ୍‌ ସହାୟତାରେ ଦାରୁଠେଙ୍ଗକୁ ଆବର୍ଜନା ନେବା ପାଇଁ ଶେଷ ରାସ୍ତା ଆପଣେଇବ ବୋଲି ଜଣାପଡ଼ିଛି। ଏଭଳି କଲେ ଦାରୁଠେଙ୍ଗ ପଞ୍ଚାୟତବାସୀ ବିରୋଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ବିବାଦ ତୁଟୁନି, ଦାରୁଠେଙ୍ଗରେ ପୁଣି ବସିଲା ଗ୍ରାମସଭା
ଜିଦ୍‌ରେ ଅଟଳ ଗ୍ରାମବାସୀ ମନ୍ତ୍ରୀଙ୍କୁ ଭେଟିଲେ
ବିଏମ୍‌ସିର ମାନସମନ୍ଥନ, ଫଳାଫଳ ଶୂନ

ଅନ୍ୟପଟେ ଏହି ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଭେଟିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ, ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ଓ ଅନ୍ୟ ଗ୍ରାମବାସୀ। ଦାରୁଠେଙ୍ଗ ଭୁଆସୁଣୀ ଅଳିଆ ଗଦା ସମସ୍ୟାରେ ହସ୍ତକ୍ଷେପ କରିବା ସହ ସ୍ଥାୟୀ ପ୍ରତିକାର କରିବାକୁ ସେମାନେ ବିଭାଗୀୟ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଦୀର୍ଘ ୪୦ ମିନିଟ୍‌ କାଳ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୧୪ ବର୍ଷ ଧରି ଦାରୁଠେଙ୍ଗରେ ଆବର୍ଜନାକୁ ଗ୍ରାମବାସୀ ବିରୋଧ କରିଆସୁଥିବା ସେମାନେ ମନ୍ତ୍ରୀଙ୍କୁ ଜଣାଇଥିଲେ। ପୂର୍ବରୁ ବିଏମସି ଅନେକ ଥର ଅଳିଆ ନପକାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ‌ପ୍ରତିଶ୍ରୁତି ରକ୍ଷା କରିନାହିଁ।

ଏଣୁ ବିଏମସି ମେୟର ଓ କମିସନରଙ୍କ ଉପରେ ଗ୍ରାମବାସୀଙ୍କର ଭରସା ତୁଟିଯାଇଛି। ଏବେ ଯେତେ ପ୍ରତିଶ୍ରୁତି ଦେଲେ ମଧ୍ୟ ଲୋକମାନେ ବିଶ୍ବାସକୁ ନେଉ ନାହାନ୍ତି। ଏଣୁ ରାଜ୍ୟ ସରକାର ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ସେମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଛି। ମେୟର ଓ କମିସନର ସମାଧାନର ପନ୍ଥା ବାହାର କରିବାକୁ ଉଦ୍ୟମ କରୁଛନ୍ତି। ଗ୍ରାମବାସୀଙ୍କୁ ବୁଝାସୁଝା କରାଯାଉଛି। ୨-୩ ଦିନ ଭିତରେ ସମାଧାନ ବାଟ ଫିଟିବ ବୋଲି ସେ କହିଛନ୍ତି।

ସାଂସଦଙ୍କୁ ଜବାବ ଦେଲେ ମେୟର: ଜାତୀୟ ରାଜପଥରେ ଜଳବନ୍ଦୀ ସମସ୍ୟା ସମାଧାନ କର

ଭୁବନେଶ୍ବର: ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆବର୍ଜନା ପ୍ରସଙ୍ଗରେ ବିଏମ୍‌ସି ମେୟରଙ୍କୁ କଡ଼ା ଚିଠି ଲେଖିବା ସହ ବିଭିନ୍ନ ଗଣମାଧ୍ୟରେ ବିଏମ୍‌ସିକୁ ସମାଲୋଚନା କରିଛନ୍ତି। ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଯେତେବେଳେ ଦାରୁଠେଙ୍ଗରେ ଆବର୍ଜନା ଜମା ହେଲା ସେତେବେଳେ ବା ୨୦୦୮ ମସିହାରେ ସେ ବିଏମସି କମିସନର ଥିଲେ। ଅର୍ଥାତ୍‌ ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁଆସୁଣିରେ ଡମ୍ପିଂୟାର୍ଡ ଆରମ୍ଭ ହୋଇଥିଲା।

ସେ ଏବେ କହୁଛନ୍ତି ବିଏମ୍‌ସି ଏତେ ଦିନ ଧରି କ’ଣ କରୁଥିଲା। ଅପରାଜିତା ପବ୍ଲିସିଟି ରାଜନୀତି ଛାଡ଼ନ୍ତୁ। ସେ ମଧ୍ୟ ସେହି ସମୟରେ ଅସୁବିଧା ଦେଖିଛନ୍ତି। ସେତେବେଳେ ବି ବିରୋଧ, ଆନ୍ଦୋଳନ ହୋଇଛି। ୧୦ ଦିନ ଧରି ବିଏମସି ଠପ୍‌ ହୋଇଯିବା ନଜିର ରହିଛି। ଏବେ ଯଦି ସେ ସହଯୋଗ କରିବା ପାଇଁ ଚାହୁଁଛନ୍ତି, ତେବେ ଜାତୀୟ ରାଜପଥ ପାଇଁ ଯେଉଁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜୁଛି ତାହାର ସମାଧାନ କରନ୍ତୁ। ଅନେକ ଜାଗାରେ ରେଳ ଓଭରବ୍ରିଜର ଆବଶ୍ୟକତା ରହିଛି। ସେଠାରେ ରେଳ ଲାଇନ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ ହେଉଛି। ସ୍କୁଲ ବସ୍‌ ଅଟକି ରହୁଛି। ଲୋକମାନେ ନାହିଁନଥିବା ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେସବୁ ସମସ୍ୟାର ସମାଧାନ କରନ୍ତୁ ବୋଲି ମେୟର ପରାମର୍ଶ ଦେଇଛନ୍ତି।

ଗତକାଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ପରସ୍ପର ପ୍ରତି ଦୋଷାରୋପର ଖେଳ ନ ଖେଳି ସମସ୍ୟା ସମାଧାନ ପାଇଁ ମିଳିମିଶି ଉଦ୍ୟମ କରିବା। ବିଏମ୍‌ସି ନାଗରିକଙ୍କୁ ନିଜ ସମସ୍ୟା କହିବାରେ ବ୍ୟସ୍ତ ରହିଛି। ନିଜ ସମସ୍ୟା ନ କହି ବିଏମ୍‌ସି ଲୋକଙ୍କ ସମସ୍ୟା ସମାଧାନ କରୁ। ଏଭଳି ଅନେକ ଉପଦେଶ ଦେବା ସହ ୪୮ ଘଣ୍ଟା ମଧ୍ୟରେ ସମାଧାନ ନ ହେ‌ଲେ ବିଏମ୍‌ସି ଅଫିସ୍‌ରେ ମେୟରଙ୍କୁ ଭେଟିବା ପାଇଁ କହିଥିଲେ। ଏବେ ମେୟରଙ୍କ ଉତ୍ତର ମିଳିବା ପରେ ପ୍ରସଙ୍ଗ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚ‌ାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର