ଭରତପୁର ବନ୍ୟପ୍ରାଣୀଙ୍କୁ ଆବର୍ଜନା ବିପଦ: ଅଢ଼େଇ କିମି ପାଚେରିର ଉଚ୍ଚତା ବଢ଼ିବ

ରେଣ୍ଟାଲ କଲୋନି-ଷ୍ଟୁଡିଓ ଛକ ପାର୍ଶ୍ବ‌ରେ କାମ ଆରମ୍ଭ

ଖଣ୍ଡଗିରି: ଭରତପୁର ସଂରକ୍ଷିତ ଜଙ୍ଗଲର ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ରାଜଧାନୀକୁ ଲାଗି ରହିଥିବା ଏହି ଜଙ୍ଗଲର ପାଚେରି ଉଚ୍ଚତା କମି ଯାଇଥିବା ବେଳେ ଆଉ କିଛି ସ୍ଥାନରେ ଭାଙ୍ଗି ଯାଇଛି। ଫଳରେ ସ୍ଥାନୀୟ ଲୋକେ ଅବାଧରେ ଜଙ୍ଗଲ ଭିତରକୁ ପ୍ରବେଶ କରୁଛନ୍ତି। ଜଙ୍ଗଲ ଭିତରେ ଅଳିଆ ଆବର୍ଜନା କରିବା ସହ ଜୀବଜନ୍ତୁଙ୍କ ଉପରକୁ ଟେକାପଥର ମାଡ଼ କରୁଛନ୍ତି। ବିଶେଷକରି ରେଣ୍ଟାଲ କଲୋନିରୁ କଳିଙ୍ଗ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ରାସ୍ତା ଏବଂ ନୂଆ କରି ଖୋଲିଥିବା ମୈତ୍ରୀବିହାର-ଉତ୍କଳ ହସ୍ପିଟାଲ ରାସ୍ତା ପାର୍ଶ୍ବରେ ଅସାମାଜିକଙ୍କ ଆଡ଼ା ବନ୍ୟପ୍ରାଣୀଙ୍କ ପାଇଁ ଘାତକ ପାଲଟିଛି। ଗତ ୬ ମାସରେ ବହୁ ଜୀବଜନ୍ତୁ ଆହତ ହୋଇଛନ୍ତି। ତେଣୁ ଅସାମାଜିକଙ୍କ ଉପରେ ରୋକ୍‌ ଲଗାଇବା ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଚନ୍ଦକା ବନଖଣ୍ଡ ପକ୍ଷରୁ ଯୋଜନା କରାଯାଇଛି। ରେଣ୍ଟାଲ କଲୋନିରୁ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ୨ କିଲୋମିଟର ୭୧୦ ମିଟର ପାଚେରିର ଉଚ୍ଚତା ବଢ଼ାଯିବା ସହ ଚଉଡ଼ା କରାଯିବାକୁ ସ୍ଥିର ହୋଇଛି। ଇତିମଧ୍ୟରେ ପ୍ରାରମ୍ଭିକ କାମ ଆରମ୍ଭ ହୋଇଯାଇଛି।

କଳିଙ୍ଗ ଷ୍ଟୁଡିଓ-ରେଣ୍ଟାଲ କଲୋନି ରାସ୍ତା ପାର୍ଶ୍ବକୁ ଲାଗି ରହିଥିବା ଜଙ୍ଗଲର ଜଳାଶୟରେ ବିଭିନ୍ନ ସମୟରେ ହାତୀଙ୍କ ଜଳକ୍ରୀଡ଼ା ଦେଖିବାକୁ ମିଳିଥାଏ। ଏହି ହାତୀମାନଙ୍କୁ ପାଖରୁ ଦେଖିବା ଲାଗି ବିଭିନ୍ନ ସମୟରେ ରାସ୍ତା ଜାମ୍‌ ହୋଇଥାଏ। ସେହିଭଳି ସକାଳୁ ଜଙ୍ଗଲୀ ଜନ୍ତୁ ଏଠାକୁ ପାଣି ପିଇବାକୁ ଆସୁଥିବା ବେଳେ ଲୋକେ ସେମାନଙ୍କୁ ହଇରାଣ କରୁଛନ୍ତି। ମୟୂରଙ୍କୁ ଦେଖି ହୋହାଲ୍ଲା କରୁଛନ୍ତି। କେହି କେହି ଟେକା ପକାଉଛନ୍ତି। ପାଚେରି ଉପରେ ଛିଡ଼ା ହୋଇ ଜୀବଜନ୍ତୁଙ୍କୁ ପାଟି କରିବା ଦ୍ବାରା ଜୀବଜନ୍ତୁ ଭୟଭୀତ ହୋଇ ପାଣି ନ ପିଇ ଜଙ୍ଗଲ ଭିତରକୁ ପଳାଇ ଯାଉଛନ୍ତି। ଜଙ୍ଗଲ ସଂଲଗ୍ନ ବସ୍ତି ଜୀବଜନ୍ତୁଙ୍କ ପାଇଁ ବେଶି ବିପଦ ସୃଷ୍ଟି କରୁଛି। ସାଲିଆ ସାହି, ମୁଣ୍ଡା ସାହି, ଚୁନୁକୋଳି ବସ୍ତି ଜଙ୍ଗଲକୁ ଲାଗି ରହିଥିବାରୁ ସେଠାକାର ଲୋକେ ଘର ଆବର୍ଜନାକୁ ସିଧାସଳଖ ଜଙ୍ଗଲ ଭିତରକୁ ଫିଙ୍ଗି ଦେଉଛନ୍ତି। ମଦ ବୋତଲ ପରି କାଚରେ ତିଆରି ସାମଗ୍ରୀ ଜୀବଜନ୍ତୁଙ୍କ ଗୋଡ଼ରେ କାଚ ପଶୁଥିୁବା ବନ କର୍ମଚାରୀ କହିଛନ୍ତି।

ଚନ୍ଦକା ବନଖଣ୍ଡ ସହକାରୀ ବନ ସଂରକ୍ଷକ ଶରତ କୁମାର ମିଶ୍ର କହିଛନ୍ତି, ସାଧାରଣ ଭାବେ ପାଚେରିର ବେସମେଣ୍ଟ ଦୁଇ ମିଟର ହୋଇ ପରବର୍ତ୍ତୀ ସମୟରେ ଏହା ଗୋଟିଏ ମିଟର କରାଯାଏ। ସ୍ଥାନ ଦେଖି ଉଚ୍ଚତା ବୃଦ୍ଧି ଓ କମ୍ କରାଯାଏ। କିଛି ବର୍ଷ ହେଲା ଭରତପୁରକୁ ଲାଗି ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କରାଯିବା ଦ୍ବାରା ଜଙ୍ଗଲ ପାଚେରିର ଉଚ୍ଚତା କମିଯାଇଛି। ଯେଉଁଥିପାଇଁ ଲୋକେ ପାଚେରି ଆରପାଖରେ ରହି ଜୀବଜନ୍ତୁଙ୍କୁ ଦେଖୁଛନ୍ତି। ଜଙ୍ଗଲ ଭିତରକୁ ମଦ ବୋତଲ, ପାଣି ବୋତଲ, ପଲିଥିନ୍, ଟେକା ପଥର ଆଦି ପକାଉଛନ୍ତି। ପଲିଥିନ୍ ଖାଇବା ଦ୍ବାରା ଜୀବଜନ୍ତୁଙ୍କ ଉପରେ ପ୍ରଭାବ ପଡ଼ୁଛି। ମଦ ବୋତଲ କାଚ ଗୋଡ଼ରେ ପଶୁଥିବା କର୍ମଚାରୀ ଦେଖି ଖବର ଦେଇଛନ୍ତି। ତେଣୁ ଏହି ରାସ୍ତା ପାର୍ଶ୍ବରେ ଥିବା ଜଙ୍ଗଲ ପାଚେରି ଉଚ୍ଚତା ବୃଦ୍ଧି କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୨ କିଲୋମିଟର ୭୧୦ ମିଟରର କାମ ହେବ। ବର୍ଷାରେ କେତେକ ସ୍ଥାନରେ ପାଚେରି ଦବି ଯାଉଛି। ତାହାର କାର୍ଯ୍ୟ କରାଯିବା ସହ ଯେଉଁଠି ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି ସେଠାରେ ସୁରକ୍ଷା ବଢ଼ାଯିବ।

ସମ୍ବନ୍ଧିତ ଖବର