ନିୟମକୁ ଖୋଲା ଉଲ୍ଲଂଘନ : ଅଳିଆ ନେବ ଜୀବନ!

ଡାଲାରେ ଜରି ପାଲ ବାନ୍ଧୁନାହାନ୍ତି ଗାଡ଼ି ଚାଳକ, ଗାଡ଼ିରୁ ଖସୁଛି କାଠ ଗଣ୍ଡି, ଦୁଇ ଦିନରେ ଦୁଇଟି ଦୁର୍ଘଟଣା, ପୁଲିସ ନିରବଦ୍ରଷ୍ଟା, କାର୍ଯ୍ୟାନୁଷ୍ଠାନ ନେଉନି ବିଏମ୍‌ସି

ଚନ୍ଦ୍ରଶେଖରପୁର: ଅଳିଆ ପରିବହନ ଲାଗି କଡ଼ା ନିୟମ ରହିଛି। ସହର ଭିତ‌ରେ ଟ୍ରକ୍‌ କିମ୍ବା ଟ୍ରାକ୍ଟରରେ ଅଳିଆ, ଆବର୍ଜନା ନେବା ସମୟରେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ତେବେ ରାଜ୍ୟ ରାଜଧାନୀରେ ନିୟମର ଖୁଲ୍‌ମଖୁଲା ଉଲ୍ଲଂଘନ ହେଉଛି। ଦିନ ଦିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ପୂର୍ତ୍ତ ବିଭାଗ ଓ ସଫେଇ ସଂସ୍ଥା ଅଳିଆ ପରିବହନ କରୁଛନ୍ତି। ଅଳିଆ ଗାଡ଼ିରେ ସୁରକ୍ଷା ବ୍ୟବସ୍ଥା କରୁନାହାନ୍ତି କି ଲୋକଙ୍କ ସୁରକ୍ଷା କଥା ଚିନ୍ତା କରୁନାହାନ୍ତି। ବିଏମ୍‌ସି କର୍ତୃପକ୍ଷ ଓ ସହର ସ୍ବାସ୍ଥ୍ୟ ଅଧିକାରୀ ଏବିଷୟରେ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେମାନଙ୍କ ହାତ ଯାଉନି। ଯେଉଁଥିପାଇଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଗାଡ଼ିରୁ ଅଳିଆ ଖସି କେତେବେଳେ ଯେ ପଥଚାରୀଙ୍କ ଜୀବନ ଚାଲିଯିବ ତାହା କେହି କହିପାରିବେ ନାହିଁ।

ନିୟମ ଅନୁଯାୟୀ ପରିବହନ ସମୟରେ ଟ୍ରକ୍‌ ଓ ଟ୍ରାକ୍ଟରଗୁଡ଼ିକ ଡାଲାରେ ଲଦାଯାଇଥିବା ଅଳିଆ ଯେପରି ନ ଉଡ଼ିବ ସେଥିପାଇଁ ଜରି ପାଲ ଘୋଡ଼ାଇବା ବାଧ୍ୟତାମୂଳକ। ‌ନିର୍ଦ୍ଧାରିତ ଓଜନଠାରୁ ଅଧିକ ପରିମାଣର ସାମଗ୍ରୀ ପରିବହନ କରିବେ ନାହିଁ। ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ଠିକ୍‌ ରହିଥିବା ଆବଶ୍ୟକ। ସହର ଭିତରେ କ୍ଷୀପ୍ର ଗତିରେ ଯାଇପାରିବ ନାହିଁ। ଅଳିଆ ଯେପରି ରାସ୍ତାରେ ନ ପଡ଼ିବ ସେଥିପ୍ରତି ଦୃଷ୍ଟି ଦେବାକୁ ନିୟମ ରହିଛି। ତେବେ ମାନୁଛି କିଏ?

ବାତ୍ୟା ‘ଫନି’ ପୂର୍ବରୁ ଟ୍ରକ୍‌ଗୁଡ଼ିକ ଯାହା ଯେମିତି ନିୟମ ଫାଙ୍କି ଚାଲିଥିଲେ। ତେବେ ଏହାପରେ ସମସ୍ୟା ଅଧିକ ଜଟିଳ ହୋଇଛି। ଅଳିଆ ଗାଡ଼ିଗୁଡ଼ିକ ସହର ଭିତରୁ ଭୁଆଶୁଣି ଡମ୍ପିଂୟାର୍ଡକୁ ଗଛ ଗଣ୍ଡି ଓ ଡାଳ ପରିବହନ କରୁଥିଲେ ମଧ୍ୟ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି। ଜରି ପାଲ ତ ଦୂରର କଥା, ବଡ଼ ବଡ଼ କାଠ ଗଣ୍ଡି ନେଉଥିଲେ ମଧ୍ୟ ସେଥିରେ ଦଉଡ଼ି ବାନ୍ଧୁନାହାନ୍ତି। ‌ଯେଉଁଥିପାଇଁ ଅଳିଆ ଖସିବା ‌ଯୋଗୁଁ ମାସକ ଭିତରେ ସହରର ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟିଲାଣି। ତେବେ ଏନେଇ କାହା ପାଖରେ ଖବର ନାହିଁ।

ସବୁଠାରୁ ବଡ଼ କଥା ହେଉଛି ଯେ ବାତ୍ୟାରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକୁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ମିଳିମିଶି ସଫା କରି ସହରର ବିଭିନ୍ନ ସ୍ଥାନରେ ଜମା କରିଥିଲେ। ବର୍ଷା‌ ଦିନ ଆରମ୍ଭ ହୋଇଥିବାରୁ ଗଛ ଗଣ୍ଡି ଓ ଡାଳକୁ ‌ଏବେ ସିଧାସଳଖ ଡମ୍ପିଂୟାର୍ଡକୁ ନିଆଯାଉଛି। ‌‌ଦିନତମାମ ଏଭଳି ପରିବହନ ହେଉଥିଲେ ମଧ୍ୟ ସର୍ବନିମ୍ନ ସତର୍କତା ଅବଲମ୍ବନ କରାଯାଉ ନାହିଁ। ଜନଗହଳିପୂର୍ଣ୍ଣ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ପ୍ରତିଦିନ ଶତାଧିକ ଟ୍ରିପ୍‌ ଅଳିଆ ଗାଡ଼ି ଯାଉଥିଲେ ମଧ୍ୟ ଲୋକଙ୍କ ସୁରକ୍ଷା ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଏକ୍ଷେତ୍ରରେ ବିଏମ୍‌ସି ନିଜେ ସତର୍କ ହେଉଛି କି ପୂର୍ତ୍ତ ବିଭାଗକୁ ତାଗିଦ୍‌ କରୁନି। ଯେଉଁଥିପାଇଁ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।

ଗତକାଲି ସକାଳ ପ୍ରାୟ ୧୦ଟାରେ ଡମଣା-ପଟିଆ ନିକଟରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ପ୍ଲାଷ୍ଟିକ୍‌, ଜରି, କପଡ଼ା, ପଚାସଢ଼ା ସାମଗ୍ରୀ ଲଦାଯାଇଥିବା ଏକ ଅଳିଆ ବୁହା ଗାଡ଼ି ଦ୍ରୁତ ଗତିରେ ପଟିଆ ଆଡ଼କୁ ଯାଉଥିଲା। ଡମ୍ପର ଡାଲାରେ ପାଲ ବନ୍ଧା ଯାଇଥିବାରୁ ହଠାତ୍‌ ଅଳିଆ ଉଡ଼ିବାରୁ ଦୁଇ ଜଣ ବାଇକ୍‌ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିଲେ। ଗାଡ଼ିକୁ ଅଟକାଇବା ପାଇଁ ଲୋକେ ଡମଣା ଓ ପଟିଆ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ୍ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

ସେହିପରି ଗତକାଲି ମଧ୍ୟାହ୍ନରେ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ୫ଟି ଡମ୍ପର ନିୟମ ଉଲ୍ଲଂଘନ କରି ଯାଉଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିଲା। ଏହି ସମୟରେ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଭାରିଯାନ ଓଭରଲୋଡିଂ, ହେଲମେଟ୍‌, ସିଟ୍‌ବେଲ୍ଟ୍ ଆଦି ଯାଞ୍ଚ ହେଉଥିଲା। ହେଲେ ଅଳିଆ ବୁହା ଡମ୍ପରକୁ ଦେଖି ମଧ୍ୟ ନ ଦେଖିଲା ପରି ପୁଲିସ ବାବୁମାନେ ରାସ୍ତା ଛାଡ଼ି ଦେଇଥିଲେ। ଆଜି ମଧ୍ୟ ଆଚାର୍ଯ୍ୟବିହାର-ସୈନିକ ସ୍କୁଲ ରାସ୍ତାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଗଛ ଡାଳ ପରିବହନ କରୁଥିବା ଏକ ଡମ୍ପରରୁ ଏକ ବଡ଼ ଡାଳ ଖସି ପଡ଼ିଥିଲା। ଗାଡ଼ି ପଛରେ ଯାଉଥିବା ଜଣେ ମହିଳା ବାଇକ୍‌ ଚାଳକ ହଠାତ୍‌ ବ୍ରେକ୍‌ ମାରିବାରୁ ତଳେ ପଡ଼ିଯାଇଥିଲେ। ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଦୁଇ ଦିନ ମଧ୍ୟରେ ଦୁଇଟି ଦୁର୍ଘଟଣା ପଦାକୁ ଆସିଛି। ପ୍ରତିଦିନ ସହରାରେ ଏମିତି ଅନେକ ଦୁର୍ଘଟଣା ହେଉଥିଲେ ମଧ୍ୟ କାହିଁକି ପଦକ୍ଷେପ ନିଆଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି।

ସହର ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କିଛି ଟ୍ରକ୍‌ ନିୟମ ମାନୁ ନଥିବା ଦୃଷ୍ଟି ଗୋଚର ହୋଇଛି। ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅଳିଆ ପରିବହନ କରୁଥିବା ସଂସ୍ଥାକୁ କୁହାଯାଇଛି। ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର