ଉଠୁନି ବାତ୍ୟା ଅଳିଆ

ସବୁଜ ବର୍ଜ୍ୟ ନାଳରେ ପଶି ଚୋକ୍‌, ବିଏମ୍‌ସିର ଡ୍ରେନ୍‌ ସଫେଇ ଏମିତି

ଭୁବନେଶ୍ବର : ବାତ୍ୟାକୁ ୩୩ ଦିନ ବିତିଲାଣି। ଅଥଚ ଅଳିଆ ଉଠିପାରୁନି। ସହରର ମୁଖ୍ୟ ରାସ୍ତାମାନଙ୍କରୁ ଅଳିଆ ଉଠି ଯାଇଥିଲେ ହେଁ ଏବେ ବି ଗଳି ରାସ୍ତାରେ ଅନେକ ସ୍ଥାନରେ ସବୁଜ ବର୍ଜ୍ୟ ଗଦା ହୋଇ ରହିଛି। ଜାଳେଣି ଉପଯୋଗୀ ହୋଇଥିଲେ ହେଁ ଯେମିତି କେହି ଏ ସବୁକୁ ନେବାକୁ ନାରାଜ। ଘରେ ଘରେ ଗ୍ୟାସ୍‌ ଥିବାରୁ ଜାଳେଣିର ଆବଶ୍ୟକତା ନ ପଡ଼ିବା ସ୍ବାଭାବିକ। ମାତ୍ର ଏହା ଯେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା କରିବ, ତାହା ଜଳଜଳ ଦିଶିଲାଣି। ଗଲା ବର୍ଷାରେ ଏହି ବର୍ଜ୍ୟ ସବୁ ରାସ୍ତା ଉପରେ ଭାସି ନାଳରେ ପଶି ନାଳ ଚୋକ୍‌ କରିସାରିଲାଣି। ଏଣେ ମୌସୁମୀ ଆସିବା ନେଇ ପାଣିପାଗ ବିଭାଗ ସୂଚନା ଦେଇ ଦେଲାଣି। ଯଦି ପାଣିପାଗ ଆକଳନ ଠିକ୍‌ ହୁଏ ତେବେ ଛୋଟିଆ ଦେଖାଯାଉଥିବା ଏହି ସମସ୍ୟା ପ୍ରଶାସନ ପାଇଁ ବଡ଼ ଅସୁବିଧାକୁ ଡାକି ଆଣିବ।

ଲଗାତାର ବର୍ଷା ଆସିଲେ ସହରର କିଛି ଅଞ୍ଚଳ ଭାସିବା ଏକ ସାଧାରଣ କଥା। ଏଥିରେ ଯଦି ବର୍ଜ୍ୟଗୁଡ଼ିକ ମୌସୁମୀ ଆସିବା ପୂର୍ବରୁ ସଫା କରା ନଯାଏ, ଏହା ସେତେବେଳେ ବନ୍ୟା ସ୍ଥିତିକୁ ଆହୁରି ସାଂଘାତିକ କରିବ। ୟୁନିଟ୍ ୩ ଅଞ୍ଚଳରୁ ଆରମ୍ଭ କରି ୟୁନିଟ୍‌ ୮ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏବେ ବି ଘର ସାମ୍ନାରେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଗଛର ଡାଳ ପତ୍ର ସବୁ ରାସ୍ତାକଡ଼‌ରେ ଗଦା ହୋଇ ରହିଛି। ଏହା ସହ ନିର୍ମାଣ ବର୍ଜ୍ୟ ମଧ୍ୟ ଗଦା ହୋଇଛି। ସହରରେ ୪୦୦ରୁ ଅଧିକ ନାଳ ରହିଛି। ଏହି ନାଳଗୁଡ଼ିକ ପ୍ରାକୃତିକ ନାଳକୁ ସଂଯୋଗ ହୋଇଛି। ସହରରେ ଜଳ ନିଷ୍କାସନରେ ଏହି ଛୋଟ ନାଳଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି। ଏହାକୁ ଅଣଦେଖା କଲେ ପରିଣାମ ସହରବାସୀଙ୍କୁ ହିଁ ଭୋଗିବାକୁ ପଡ଼ିବ।

ମୌସୁମୀ ଆସିବା ପୂର୍ବରୁ ବିଏମ୍‌ସି ପକ୍ଷରୁ ନାଳ ଖୋଳି ପରିଷ୍କାର କରାଯାଉଛି। ବର୍ଷା ଜଳର ସୁଗମ ନିଷ୍କାସନ ପାଇଁ ପ୍ରଶାସନ ନାଳ ସଫା କରୁଛି। କିନ୍ତୁ କେତେକ ଅଞ୍ଚଳରେ ମାଟି ଓ ନାଳର ବର୍ଜ୍ୟ ସଫା କରି ସେଇ ନାଳ କଡ଼ରେ ଗଦାଇ ଦିଆଯାଇଛି। ବର୍ଜ୍ୟ କାଢ଼ିବା ପରେ ଏଗୁଡ଼ିକର ତୁରନ୍ତ ‌ସଫେଇ ହୋଇନାହିଁ। ଗତକାଲି ବର୍ଷା ଯୋଗୁଁ ପଙ୍କ ରାସ୍ତାରେ ଭାସିଯାଇ ପୁଣି ନାଳ ଭିତରେ ପ୍ରବେଶ କରିଛି। ନାଳ ସଫେଇ ହୋଇଥିଲେ ହେଁ ବର୍ଜ୍ୟଗୁଡ଼ିକ ତୁରନ୍ତ ଉଠୁ ନଥିବାରୁ ୨ଥର କାଳବୈଶାଖୀ ବର୍ଷା ପ୍ରଭାବରେ ବର୍ଜ୍ୟବସ୍ତୁ ପୁଣି ନାଳ ଭିତରକୁ ପଶିଯାଇଛି। ବିଶେଷକରି ସିଆର୍‌ପି ଛକରୁ ଷ୍ଟିୱାର୍ଟ ସ୍କୁଲ୍‌ ଯିବା ମୁଖ୍ୟ ରାସ୍ତା ଓ ପାୱାରହାଉସ୍‌ ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଅପରପକ୍ଷେ ଏହି ବର୍ଜ୍ୟ ଅଧା ରାସ୍ତା ମାଡ଼ି ବସିବା ସହ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ବଡ଼ କଥା ହେଲା, ଭେଣ୍ଡିଂ ଜୋନ୍‌ ସାମ୍ନା ନାଳରେ ଏପରି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବାରୁ ସେଠାରେ ପରସା ଯାଉଥିବା ଷ୍ଟ୍ରିଟ୍‌ ଫୁଡ୍‌ ଖାଇ ଲୋକେ ରୋଗରେ ଆକ୍ରାନ୍ତ ହେବାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

ରଜ ବେଳକୁ ମୌସୁମୀ ଆସିବାର ସମ୍ଭାବନା ରହିଛି। ହାତରେ କମ୍‌ ସମୟ। ଏଣେ ସହରର ଗଳିକନ୍ଦିରୁ ବାତ୍ୟା ବର୍ଜ୍ୟ ଉଠି ନଥିବା ବେଳେ ନାଳରେ ପଡ଼ି ରହିଥିବା ବର୍ଜ୍ୟ ମୌସୁମୀ ପୂର୍ବରୁ ଉଠିପାରିବ ନା ନାହିଁ ତାହା ବି ଏବେ ପ୍ରଶ୍ନବାଚୀ। କେବଳ ସେତିକି ନୁହେଁ, କେଉଁଠି ନାଳରେ ଗଛ ମାଡ଼ି ଗଲାଣି ତ କେଉଁଠି ନାଳ ମୁହଁ ବାଲିରେ ଜାମ୍‌ ହୋଇଯାଇଛି। ଆଉ କେଉଁଠି ନାଳର କାନ୍ଥ ଧସି ଯାଇ ନାଳ ଚୋକ୍‌ ହୋଇଯାଇଛି। ଗଲା ସପ୍ତାହରେ ୨ ଥର କାଳବୈଶାଖୀ ଆସି ‌ପ୍ରଶାସନକୁ ଚେତାବନୀ ଦେଇଗଲାଣି। ଅଥଚ ପ୍ରଶାସନ ଏହାକୁ ଗୁରୁତ୍ବର ସହ ନେଇ ନାହିଁ। ଫଳରେ ଅନ୍ୟ ଉପାୟ ନପାଇ ଗଦା ହୋଇଥିବା ଅଳିଆ କିଛି ସ୍ଥାନରେ ଲୋକେ ପୋଡ଼ିବା ଆରମ୍ଭ କରିଦେଲେଣି। ନିଆଁ ଯୋଗୁଁ ଆଖପାଖ‌‌‌ରେ ଥିବା ଗଛ ଉପରେ ବି ଏହା ପ୍ରଭାବ ପକାଉଛି।

ସମ୍ବନ୍ଧିତ ଖବର