ଭୁବନେଶ୍ବର : ବୁଧବାର ରାତିରେ କଟକରୋଡ଼ ବୁଦ୍ଧେଶ୍ବରୀ ମନ୍ଦିର ନିକଟରେ ଥିବା ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ପାଖରେ ଥିବା ଘର ଆଜବେଷ୍ଟସ୍ ଭାଙ୍ଗିଯାଇଥିଲା। ଖବର ପାଇ କଳ୍ପନା ଅଗ୍ନିଶମ କେନ୍ଦ୍ରର ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ମିଠା ଦୋକାନରେ ବସି କେତେକ ଲୋକ ଖାଉଥିଲେ। ସେହି ସମୟରେ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ଖାଉଥିବା ଲୋକ ଭୟରେ ଦୋକାନରୁ ଦୌଡ଼ି ପଳାଇଥିଲେ। ଅନ୍ୟପକ୍ଷରେ ସିଲିଣ୍ଡର ଫାଟିବାରୁ ତେଲ କଡ଼େଇରୁ ତେଲ ଛିଟିକି କିଛି କର୍ମଚାରୀଙ୍କ ଉପରେ ପଡ଼ିଥିଲା ଏବଂ ସେମାନେ ଆହତ ହୋଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ଅନ୍ୟପକ୍ଷରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘରର ଆଜବେଷ୍ଟସ୍ ଭାଙ୍ଗି ଯାଇଥିଲେ ମଧ୍ୟ ଦୋକାନରେ ବସି ଖାଉଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Cylinder.jpg)