ଚନ୍ଦ୍ରଶେଖରପୁର : ଠିକ୍ ମାସକ ତଳେ ଖୁବ୍ ଜାକ୍ଜମକରେ ପୂର୍ବ ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜଧାନୀ ଭୁବନେଶ୍ୱରସ୍ଥିତ ନାଲ୍କୋ ନଗରରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା କିନ୍ତୁ ଏଯାଏ ପୂର୍ଣ୍ଣ ଗ୍ରହଣୀୟ ହୋଇପାରିନି। କଲୋନିର ୨୫୫ ପରିବାରକୁ ପାଇପ୍ ଜରିଆରେ ପ୍ରାକୃତିକ ଗ୍ୟାସ୍ (ପିଏନ୍ଜି) ଯୋଗାଣ ନିମନ୍ତେ ସମସ୍ତ ବ୍ୟବସ୍ଥା ଗେଲ୍ ପକ୍ଷରୁ କରାଯାଇଛି। ମାତ୍ର ଆଜି ସୁଦ୍ଧା କେବଳ ୪୦ଟି ପରିବାର ଏହି ବ୍ୟବସ୍ଥାକୁ ଆପଣେଇବା ସହ ରୋଷେଇ କରିବା ଆରମ୍ଭ କରିଛନ୍ତି। ଅନ୍ୟ ପରିବାରଗୁଡ଼ିକ ପାଇପ୍ ଯୋଗାଣ ବ୍ୟବସ୍ଥାକୁ ନେଇ ଏବେବି ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏଯାଏ ପାଇପ୍ ଗ୍ୟାସ୍ ବ୍ୟବସ୍ଥା ଆପଣେଇ ନ ଥିବା ପରିବାରଗୁଡ଼ିକ ମାସ ଶେଷରେ ଆସିବାକୁ ଥିବା ବ୍ୟବସ୍ଥା ନେଇ ସାରିଥିବା ଅନ୍ୟ ପଡ଼ୋଶୀଙ୍କ ବିଲ୍କୁ ଅପେକ୍ଷା କରିଛନ୍ତି। ବିଲ୍ର ପରିମାଣ କେତେ ଆସୁଛି ତାହା ଜାଣିଲା ପରେ ଯାଇ ସେମାନେ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। କରୁଛି। ମାତ୍ର ଯେଉଁ ପରିବାରଗୁଡ଼ିକ ଏହି ବ୍ୟବସ୍ଥା ଆପଣାଇଛନ୍ତି ସେମାନେ ଏହାକୁ ନେଇ କୌଣସି ଅଭିଯୋଗ କରିନାହାନ୍ତି।
ପୂର୍ବ ଭାରତରେ ପ୍ରଥମ ଗୃହିଣୀ ଭାବେ ପାଇପ୍ ଗ୍ୟାସ୍ ସଂଯୋଗ ନେଇଥିବା ବୀଣାପାଣି ନାୟକଙ୍କ କହିବା ଅନୁଯାୟୀ ସିଲିଣ୍ଡରରେ ରୋଷେଇ କରିବା ଅପେକ୍ଷା ପାଇପ୍ ଜରିଆରେ ଆସୁଥିବା ଗ୍ୟାସ୍ରେ ରୋଷେଇ କରିବା ଅଧିକ ସୁବିଧାଜନକ ଅନୁଭବ ହେଉଛି। ନିରାପତ୍ତା ବ୍ୟବସ୍ଥା ବି ଭଲ ଜଣାପଡ଼ୁଛି। ରୋଷେଇ ଘର ଭିତରେ ଦୁଇଟି ଭାଲ୍ଭ ଓ ଘର ବାହାରେ ଗୋଟିଏ ଭାଲ୍ଭ ସଂଯୁକ୍ତ ହୋଇଛି। ଏହା ଫଳରେ ଗ୍ୟାସ୍ ଲିକ୍ ହେଲେ ମଧ୍ୟ ଖୁବ୍ ସହଜରେ ନିୟନ୍ତ୍ରଣ କରିହେବ। ଏହି ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଫଳରେ ଏଯାବତ୍ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ଗ୍ୟାସ୍ ସରିବାର ମଧ୍ୟ କୌଣସି ଚିନ୍ତା ନାହିଁ। ସ୍ମାର୍ଟ ମିଟର ଜରିଆରେ ଆମେ କେତେ ଗ୍ୟାସ୍ ବ୍ୟବହାର କରୁଛୁ ତାହା ଜାଣିପାରିବୁ। ସେହି ଅନୁଯାୟୀ ବିଲ୍ ମଧ୍ୟ ପଇଠ କରିବୁ।
ସେହିପରି ନାଲ୍କୋ ନଗର ଫେଜ୍-୨ର ବି-୨/୭୧ରେ ରହୁଥିବା ଏମ୍ ଶିବଶଙ୍କରଙ୍କ ପତ୍ନୀ ଏସ୍ ବାନୁ ଏହି ବ୍ୟବସ୍ଥା ମହିଳାମାନଙ୍କ ନିମନ୍ତେ ଭଲ ବୋଲି ମତ ଦେଇଥିଲେ। ବିଶେଷକରି ଗର୍ଭାବସ୍ଥାରେ ଥିବା ମହିଳାମାନେ ଏହି ବ୍ୟବସ୍ଥାରେ ବହୁତ ଆରାମ ଅନୁଭବ କରିପାରିବେ। ଏନେଇ ପ୍ରଥମେ ପ୍ରଥମେ ମନରେ ଟିକେ ଦ୍ୱନ୍ଦ୍ୱ ଥିଲା। ମାତ୍ର ଗେଲ୍ ଅଧିକାରୀମାନେ ଏନେଇ ସବିଶେଷ ତଥ୍ୟ ଦେବାପରେ ମନରୁ ଦ୍ୱନ୍ଦ୍ୱ ଦୂର ହୋଇଥିଲା। ସେହିପରି ଉକ୍ତ କଲୋନିରେ ରହୁଥିବା ଶିବଚରଣ ସାମଲ, ସୁଶାନ୍ତ କୁମାର ଖଣ୍ଡାଇ, ରାମଚନ୍ଦ୍ର ମାଝୀ ଆଦିଙ୍କ ପରିବାର ପାଇପ ଗ୍ୟାସ୍ ଯୋଗାଣର ଲାଭ ନେଉଥିବା ପ୍ରକାଶ କରିଥିଲେ।
ମାତ୍ର ପୂର୍ବରୁ ସିଲିଣ୍ଡରରେ ରୋଷେଇ କରିବା ନେଇ ଅଭ୍ୟସ୍ତ ହୋଇଥିବା ପରିବାରଗୁଡ଼ିକ ପକ୍ଷରୁ ଏହି ବ୍ୟବସ୍ଥାରେ ଆସିବାକୁ ଥିବା ବିଲ୍ ପରିମାଣ, କିପରି ବ୍ୟବହାର କଲେ କମ୍ ଗ୍ୟାସ୍ ଉପଯୋଗ କରିହେବ ତଥା ଥରେ ଏହି ବ୍ୟବସ୍ଥାରେ ଚୁଲାରେ ପାଇପ୍ ସଂଯୋଗ ହେଲେ ପୁନର୍ବାର ସିଲିଣ୍ଡର ଲଗାଇବାକୁ ଥିବା ତ୍ରୁଟି ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଣକୁ ଆପଣାଇବାରେ କୌଣସି ଆପତ୍ତି ନାହିଁ। ଦିଲ୍ଲୀରେ ରହୁଥିବା ଆମର ଜଣେ ସମ୍ପର୍କୀୟ ମଧ୍ୟ ଏହାର ସୁଫଳ ବିଷୟରେ ସୂଚନା ଦେଇଛନ୍ତି। ମାତ୍ର ସିିଲିଣ୍ଡରରେ ଗ୍ୟାସ୍ ସରିନଥିବା କାରଣରୁ ଆଉ କିଛି ଦିନ ବିଳମ୍ବ ହେବ ବୋଲି ନାଲ୍କୋନଗର ଫେଜ୍-୧ରେ ରହୁଥିବା ଅଜୟ ହୋତା ପ୍ରକାଶ କରିଥିଲେ।
ଗେଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାଇପ୍ ଜରିଆରେ ଯୋଗାଇଦିଆଯାଉଥିବା ପ୍ରାକୃତିକ ଗ୍ୟାସ୍ ବାୟୁଠାରୁ ମଧ୍ୟ ହାଲୁକା। ପାଇପ ଜରିଆରେ ମାତ୍ର ୦.୨ଏମ୍ବି ଚାପରେ ଏହି ଗ୍ୟାସ୍କୁ ଛଡ଼ାଯାଉଛି। ତେଣୁ ବିସ୍ଫୋରଣ ହେବାର ଆଶଙ୍କା ନାହିଁ। ରୋଷେଇ ଘର ଭିତରେ ଦୁଇଟି ଏବଂ ବିଲ୍ଡିଂ ବାହାରେ ଏକ ଭାଲ୍ଭ ଲଗାଯିବା କାରଣରୁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ସେହିପରି ବିଲ୍ ପରିମାଣକୁ ନେଇ ଆଦୌ ଚିନ୍ତିତ ନହେବାକୁ ସେ କହିଛନ୍ତି। କାରଣ ପରିବାର ବ୍ୟବହାର କରିଥିବା ଗ୍ୟାସ୍ର ୟୁନିଟ୍କୁ ନେଇ ବିଲ୍ ଆସିବ। ଏକ ପାଞ୍ଚ ଜଣିଆ ପରିବାର ମାସକୁ ଗୋଟିଏ ସିଲିଣ୍ଡର ବ୍ୟବହାର କରୁଥିବା ବେଳେ ଏହି ବ୍ୟବସ୍ଥାରେ ଉକ୍ତ ପରିବାର ଆର୍ଥିକ ଦୃଷ୍ଟିରୁ ଲାଭରେ ରହିବ। ସେହି ଆହୁରି କହିଛନ୍ତି ଯେ ଏହି କଲୋନିର ପ୍ରତି ପରିବାରକୁ ପାଇପ୍ ଜରିଆରେ ଗ୍ୟାସ୍ ଯୋଗାଣ ନିମନ୍ତେ ସବୁ ବ୍ୟବସ୍ଥା ସରିଛି। ସ୍ମାର୍ଟ ମିଟର ମଧ୍ୟ ଲାଗିଛି। ସ୍ମାର୍ଟ ମିଟରର ପ୍ରଚଳନ ଦ୍ୱାର ବିଲ୍ ପାଇଁ ରୋଷେଇ ଘର ଭିତରକୁ ଯିବାର ଆବଶ୍ୟକତା ନାହିଁ। ୨୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ଯେକୌଣସି ପରିବାରର ବିଲ୍ ସମ୍ପର୍କରେ ଜାଣିହେବ।
ତେବେ ପାଇପ ଜରିଆରେ ଗ୍ୟାସ୍ ଯୋଗାଣ ଭଳି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ ହଠାତ୍ ଏପରି କରିବାର ନଥିଲା ବୋଲି ଆଉ କେତେ ଜଣ ମତ ଦେଇଛନ୍ତି। ଯଦିଓ ବମ୍ବେ ଦିଲ୍ଲୀ ଭଳି ମେଟ୍ରୋ ସହର ଗୁଡ଼ିକରେ ଏହା ସଫଳ ହୋଇଛି ମାତ୍ର ଭୁବନେଶ୍ୱର ଭଳି ସହରରେ ପ୍ରଥମେ ସଚେତନତା ସୃଷ୍ଟି କରିବାର ଥିଲା। ଲୋକଙ୍କ ମନରେ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ସୃଷ୍ଟି କରି ତା’ପରେ ଏହାର ପ୍ରଚଳନ କରିଥିଲେ ଏହି ବ୍ୟବସ୍ଥା ଅଧିକ ସଫଳ ହୋଇପାରିଥାଆନ୍ତ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/gas-1.jpg)