ଭୁବନେଶ୍ବର: ରାଜଧାନୀକୁ ମିନି ଓଡ଼ିଶା କହିଲେ ଅତ୍ୟୁକ୍ତି ହେବ ନାହିଁ। କିଏ ପଢ଼ିବା ପାଇଁ ତ କିଏ ଚାକିରି ଆଶା ନେଇ ମେସ୍ ବା ଛୋଟ ଛୋଟ ଘର ଭଡ଼ା ନେଇ ରହିଆସୁଛନ୍ତି। ଅନେକ ବି ବିଭିନ୍ନ କ୍ଷେତ୍ରରେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିବା ପାଇଁ ରାଜଧାନୀକୁ ଆପଣାର କରିସାରିଛନ୍ତି। ଭଡ଼ା ଘର ନେଇ ରହୁଥିବା ସେଇଭଳି କିଛି ବ୍ୟକ୍ତିବିଶେଷଙ୍କ ସଂଖ୍ୟା କମ ନୁହେଁ। ବିଶେଷକରି ବ୍ୟାଚଲର, ଛାତ୍ରଛାତ୍ରୀ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଏ ଲକ୍ଡାଉନ୍ ସମୟରେ ଏକପ୍ରକାର ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି। ଏହିପରି ବ୍ୟକ୍ତିବିଶେଷ ଖୁଚୁରାରେ ଗ୍ୟାସ କିଣି ରୋଷେଇ କରି ଖାଆନ୍ତି। ଇତିମଧ୍ୟରେ ଲକଡାଉନ ୧୫ ଦିନ ବିତିଯାଇଥିବାରୁ ସେମାନଙ୍କ ଗ୍ୟାସ ମଧ୍ୟ ସରିଗଲାଣି। ଏଣେ ଖୁଚୁରା ଗ୍ୟାସ ଭର୍ତ୍ତି କରୁଥିବା ଦୋକାନ ବନ୍ଦ ହୋଇ ଯାଇଥିବାରୁ ରାସନ ଥାଇ ମଧ୍ୟ ଗ୍ୟାସ ନ ଥିବାରୁ ଅନେକ ରୋଷେଇ କରିପାରୁ ନାହାନ୍ତି। କିଛି ବ୍ୟକ୍ତିବିଶେଷ ଛତୁଆ ଓ ଚୁଡ଼ା ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ଖାଇ ଦିନ କାଟୁଛନ୍ତି।
ରାଜଧାନୀରେ ପ୍ରାୟ ୩୦ ପ୍ରତିଶତରୁ ଅଧିକ ଲୋକେ ଘର ଭଡ଼ା ନେଇ ରୁହନ୍ତି। ସେମାନଙ୍କ ମଧ୍ୟରୁ ଛୋଟ ଗ୍ୟାସରେ ରୋଷେଇ କରୁଥିବା ପିଲାଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ। ଆର୍ଥିକ ସ୍ତରରେ ସ୍ବଚ୍ଛଳ ହୋଇ ନ ଥିବାରୁ ଏବଂ ଏଠାରେ ସ୍ଥାୟୀ ଭାବେ ରହିବାର ନ ଥିବାରୁ ସେମାନେ ୫ଲିଟର ବାଲା ଟାଙ୍କିରେ ଗ୍ୟାସ ଭର୍ତି କରି ସେଇଥିରେ ରୋଷେଇ କରି ଖାଇଥାନ୍ତି। ଏଥିପାଇଁ ବଜାରରେ ଅନେକ ଖୁଚୁରା ଗ୍ୟାସ ବ୍ୟବସାୟୀ ଖୁଚୁରାରେ ଗ୍ୟାସ ଯୋଗାଇ ଦିଅନ୍ତି। ଫଳରେ ଏଥିପାଇଁ ସମସ୍ୟା ହୁଏ ନାହିଁ। ଏବେ କିନ୍ତୁ ଗ୍ୟାସ ସରିଆସିବା ପରେ ସେମାନଙ୍କ ଅକଲ ଗୁଡ଼ୁମ ହୋଇଯାଇଛି। କାହା ପାଖେ ଯାଇ ଗ୍ୟାସ ପାଇଁ ନେହୁରା ହେବେ, ସେନେଇ ଚିନ୍ତାରେ ପଡ଼ିଲେଣି। ମୟୂରଭଂଜରୁ ଆସି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିନୋଦ ମାଝୀ କହିଛନ୍ତି, ଆମେ କୋଚିଂ ନେଉଥିବାରୁ ପଢ଼ିବାରେ ସମୟ ଲଗାଉ। ଛୋଟ ଗ୍ୟାସରେ ଅଳ୍ପ କିଛି ରୋଷେଇ କରି ଜୀବନ ବଂଚାଉ। ମାତ୍ର ଏବେ ଗ୍ୟାସ ନ ଥିବାକୁ ସହର ସାରା ହୋଟେଲ ବନ୍ଦ ଥିବାରୁ ଖାଇବା ଚିନ୍ତା ବଢ଼ିଯାଇଛି। ଏବେ କୋଉଠି ଗ୍ୟାସ ପକେଇବୁ ବାଟ ପାଉନାହୁଁ। ଏଣେ ଘରକୁ ଯିବାକୁ ଚାହୁଁଥିଲେ ବି ଗାଡ଼ିମୋଟର ସବୁ ବନ୍ଦ। କିଛିଦିନ ହେଲା ଚୁଡ଼ା ଓ ଛତୁଆ, ବିସ୍କୁଟ, ମିକ୍ସଚରରେ କାମ ଚଳଉଛୁ। ତେଣୁ ଅନ୍ତତଃ ଏହି ଖୁଚୁରା ଗ୍ୟାସ ଦୋକାନଗୁଡ଼ିକୁ ଖୋଲା ରଖିବା ପାଇଁ ସରକାରଙ୍କୁ ନିବେଦନ କରୁଛୁ ବୋଲି ଶ୍ରୀ ମାଝୀ କହିଛନ୍ତି।
ବାସ୍ତବରେ କେବଳ ବିନୋଦ ନୁହନ୍ତି, ଅନେକ ବ୍ୟାଚଲରଙ୍କ ଅବସ୍ଥା ସେଇ ଏକା ରକମର। ଅନେକ ହୋଟେଲ୍ରେ ଖାଉଥିବା ବେଳେ ଏହି ଛୋଟ ଗ୍ୟାସକୁ ବେଳେବେଳେ ବ୍ୟବହାର କରନ୍ତି। ଚିନ୍ତାର ବିଷୟ ହେଉଛି, ଯେଉଁ ଖୁଚୁରା ଗ୍ୟାସ ବ୍ୟବସାୟୀ ନିଜ ଘରେ ଏହି ସେବା ଯୋଗାଇ ଦେଉଛନ୍ତି ସେମାନଙ୍କ ପାଖେ ସମସ୍ତେ ପହଞ୍ଚି ପାରୁନାହାନ୍ତି। ସେମାନେ ବି ଯେତିକି ଗ୍ୟାସ ଟାଙ୍କି ଏ ସମୟରେ ପାଉଛନ୍ତି ତାହା ପୂର୍ବାପେକ୍ଷା ଯଥେଷ୍ଟ କମ। ଯାହା ବି ସେମାନେ କିଣୁଛନ୍ତି ଚଢ଼ା ଦରରେ ଆଣିବାକୁ ପଡ଼ୁଛି। ତେଣୁ ସେମାନେ ବି ଏବେ ଗ୍ୟାସ ଲିଟର ବା କିଲୋ ପିଛା ୧୦୦ ଟଙ୍କା ବା ତାହାଠାରୁ ଅଧିକ ଦରରେ ବିକ୍ରି କରୁଛନ୍ତି। ସରକାର କି ପ୍ରଶାସନ ଏ ବିଷୟଟିକୁ କେବେ ଗୁରୁତ୍ବ ଦେଇ ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହେଇଛି। ତେଣୁ ଏ ବିଷୟ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ବନ୍ଦୋବସ୍ତ କରିବାକୁ ଦାବି ହେଉଛି।